ଭୁବନେଶ୍ବର ୧୦।୩: ଭୁବନେଶ୍ବରରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ ଘଟଣାକୁ ନେଇ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପାଇଁ ପଶ୍ଚିମବଙ୍ଗ ସରକାର ଦାୟୀ । ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପଶୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ବର୍ଡ଼ରରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ କାମ । କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ କାମ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଆଇନ ଓ ପଦକ୍ଷେପକୁ ମଧ୍ୟ ସହଯୋଗ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର । ଦେଶକୁ ଓ ରାଜ୍ୟକୁ ଅନୁପ୍ରବେଶକାରୀ ଆସିବା ଓ ବାଂଲାଦେଶକୁ ଗୋ-ଚାଲାଣ ପଶ୍ଚିମବଙ୍ଗ ଦେଇ ହିଁ ହେଉଛି । ସଂସଦୀୟ ଗଣତନ୍ତ୍ରର ମନ୍ତ୍ରକୁ ମାନୁନି ପଶ୍ଚିମବଙ୍ଗ ।
ଅନ୍ୟପକ୍ଷରେ ଆମ ରାଜ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେଉଛି । ତହସିଲଦାରମାନେ ରାଜ୍ୟରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାରେ ସହାୟତା କରୁଛନ୍ତି । ରାଜ୍ୟରେ ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଅନେକ ପ୍ରକାର ଅପରାଧିକ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି । ଆଇନଶୃଙ୍ଖଳା ଭାଙ୍ଗିବାରେ ଓଡ଼ିଆବାସୀଙ୍କ ତୁଳନାରେ ଏହି ଅନୁପ୍ରବେଶକାରୀ ମାନେ ଅଧିକ ଦାୟୀ । ଆଗକୁ ଏହାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read: