ଭୁବନେଶ୍ବର ୨୯।୬: ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର । ସେ କହିଛନ୍ତି, ଯାହା ପୁରୀରେ ଘଟିଲା, ଏଭଳି ଏହି ସ୍ତରର ଘଟଣା କେବେ ଘଟି ନଥିଲା । ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହା ଘଟିଛି । ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା । ଏହା ସମସ୍ତଙ୍କୁ ବାଧିବ । ଯାହା ସବୁ ଘଟଣା ଘଟୁଛୁ, ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗନ୍ତୁ, ଟ୍ୱିଟ୍ କଲେ ହେବନି ।
ଶରଧାବାଲି ଘଟଣା ଆହୁରି ଆଘାତ ଦେଇଛି । ଏହା ମନ୍ଦିର ପ୍ରଶାସନର ଭୁଲ ପାଇଁ ହୋଇଛି । ୧୨ଟା ୨୦ ରାତିରେ ପହଡ଼ କରିବାକୁ କିଏ ନିର୍ଦ୍ଦେଶ ଦେଲେ । ଦର୍ଶନ ହୋଇପାରିଲା ନାହିଁ । ରାତି ୨ଟାରେ ବି ଭକ୍ତ ଯାଆନ୍ତି । ଦର୍ଶନ ପାଇଁ ମାତ୍ର ୩୦ ହଜାର ଲୋକ ଥିଲେ, ଅଧିକ ଲୋକ ନଥିଲେ । ମନ୍ଦିର ପାଖରେ ପୋଲିସ ଥିଲେ, ହେଲେ ବାହାରେ ଥିବା ଲୋକଙ୍କ ପାଖରେ ସାମାନ୍ୟ ପୋଲିସ କନଷ୍ଟେବଳ ବି ନଥିଲେ । ଆଇନ ମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ, କି ତଦନ୍ତ ଯେଉଁଠି ବଳଭଦ୍ରଙ୍କ ପଡିବା ତଦନ୍ତ ରିପୋର୍ଟ ଆସିଲାନି । ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି । ଆଶା କରୁଛି ହାଇକୋର୍ଟଙ୍କୁ ଅନୁରୋଧ କରି କାର୍ଯ୍ୟରତ ଜିଲ୍ଲା ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ । ଜଗନ୍ନାଥ ତ ଦଣ୍ଡ ଦେବେ, ସରକାର ଆଗ ଦଣ୍ଡ ଦିଅନ୍ତୁ । ଜିଲ୍ଲାପାଳ ଓ ଏସ୍ପି ସମ୍ପୂର୍ଣ୍ଣ ଦାୟୀ । ବଳଭଦ୍ରଙ୍କ ରଥ ତିନି ଥର ଡାହାଣ ମୋଡ଼ ନେଲା । ଦାୟିତ୍ବରେ ଥିଲେ ପୁରୀ ଏସ୍ପି ।
୧୯୭୮ ମସିହା ଘଟଣା ପରେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ, ବଳଭଦ୍ରଙ୍କ ରଥ ଦାୟିତ୍ୱରେ ଏସ୍ପି ଓ ସୁଭଦ୍ରାଙ୍କ ରଥ ଦାୟିତ୍ୱ ଏଡିଏମ୍ଙ୍କର । ୩ ଜଣ ଯନ୍ତ୍ରୀ ଓ ସେବାୟତ ରହିବେ । ପୁରୀ ଏସ୍ପି ବୋଧେ ନଥିଲେ, ତାଙ୍କ ଦେଖା ନଥିଲା । ପୂର୍ଣ୍ଣାଙ୍ଗ ତଦନ୍ତ ହେବା ଦରକାର । ଯେଉଁ ଅଫିସରଙ୍କ ରଥଯାତ୍ରା ଅନୁଭୂତି ଅଛି, ସେମାନେ ଭୁବନେଶ୍ୱରରେ ଅଛନ୍ତି । ଅଭିଜ୍ଞତା ନଥିବା ଏଡିଜି, ଡିଜିଙ୍କୁ ଦାୟିତ୍ୱ ଦିଆଗଲା । ଡିଜିପି ୨୦୦ ବାଟାଲିୟନ କଥା କହିଥିଲେ, ସେ ଫୋର୍ସ କେଉଁଠି ଥିଲା ?
ରଥଯାତ୍ରା ପହଣ୍ଡି ଭିତରେ ପନ୍ଦର ହଜାର ପାସ୍ କେମିତି ଦିଆଗଲା । ମୁଷ୍ଟିମେୟ ଲୋକଙ୍କୁ ପାସ୍ ଦିଆଗଲା । କର୍ଡନ ପାସ୍ ବି ୫ ହଜାର । ରଥ ଟଣା ଆରମ୍ଭରୁ ପାସ୍ ଦିଆଯାଇଥିବା ଲୋକଙ୍କୁ ବାହାର କରିବା କଥା । ସେ ସମୟରେ ପାସ୍ର ଆଉ କିଛି କର୍ତୃତ ନଥାଏ । ଲୋକ ଅଧିକ କଥା ଥିବା ସମ୍ପୂର୍ଣ୍ଣ ମିଛ । ଯିଏ ଅନୀତି କରିଥିବ, ଦଣ୍ଡ ପାଇବ । ୧୯୯୨ ମସିହାରେ ଭୁଲ୍ ହୋଇଥିବାରୁ ସେ ସମୟର ମୁଖ୍ୟମନ୍ତ୍ରୀ ମୋତେ ରାତି ସାରା ପୁରୀରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁଲ ମାଗିଲୁ ଓ କାମ ସାରିଲୁ । ଏବେ ବି ସମୟ ଅଛି, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଦର୍ଶନ କେମିତି ହେବ, ସେଥିପାଇଁ ନିରପେକ୍ଷ ତଦନ୍ତ ହେଉ ବୋଲି ବିଜୟ ମହାପାତ୍ର କହିଛନ୍ତି ।
You Can Read:
ଶରଧାବାଲିରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ