ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ କିଏ ଥିଲେ ? କ’ଣ RBIର ପ୍ରଥମ ପସନ୍ଦ ଥିଲେ ବାପୁ...

Published By : Prameya-News7 Bureau | January 18, 2025 IST

ନୂଆଦିଲ୍ଲୀ ୧୮।୦୧: ଭାରତୀୟ ନୋଟରେ ରହିଛି ମହାତ୍ମା ଗାନ୍ଧୀଙ୍କ ଚିତ୍ର । ନୋଟରେ ଜାତିର ପିତାଙ୍କ ଫଟୋ ରହିବା ଏକ ସାଧାରଣ କଥା ପରି ମନେହୁଏ, କିନ୍ତୁ ଭାରତୀୟ ନୋଟ୍‌କୁ କେମିତି ଆସିଲେ ମହାତ୍ମା ଗାନ୍ଧୀ ? ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ଭାରତୀୟ ନୋଟରେ କିଏ ଥିଲେ ? ରିଜର୍ଭ ବ୍ୟାଙ୍କ ପାଖରେ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଭାରତୀୟ ନୋଟ୍‌ ପାଇଁ କଣ କଣ ରହିଥିଲା ବିକଳ୍ପ ? ଆସନ୍ତୁ ଜାଣିବା...

ଭାରତ ସ୍ୱାଧୀନତା ପୂର୍ବରୁ ଭାରତୀୟ ମୁଦ୍ରା ଉପରେ ବ୍ରିଟିଶ ରାଜାମାନଙ୍କର ଫଟୋ ରହୁଥିଲା । ଏହା ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଥିଲା। ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦେଶର ସମ୍ବିଧାନ ତିଆରି ନହେବା ପର୍ଯ୍ୟନ୍ତ ଏହି ଫଟୋ ରହିଥିଲା। 

ତଥାପି ସ୍ୱାଧୀନତା ପରେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ରହିବା ଉଚିତ । କିନ୍ତୁ ସହମତି ମିଳିଥିଲା ଅଶୋକ ସ୍ତମ୍ଭକୁ । ୧୯୫୦ ମସିହାରେ ପ୍ରଥମ ଥର ପାଇଁ ୨, ୩, ୧୦ ଏବଂ ୧୦୦ ଟଙ୍କାର ନୋଟ୍ ଛପା ଯାଇଥିଲା ।  ଏହି ନୋଟଗୁଡ଼ିକରେ ଅଶୋକ ସ୍ତମ୍ଭର ଚିତ୍ର ମଧ୍ୟ ଛପା ଯାଇଥିଲା ।  

ସ୍ୱାଧୀନତା ପରେ ଭାରତୀୟ ମୁଦ୍ରାରେ ପରୀକ୍ଷଣ ଜାରି ରହିଥିଲା । ୧୯୫୦ ରୁ ୬୦ ମଧ୍ୟରେ ନୋଟରେ ବାଘ ଏବଂ ହରିଣ ଭଳି ପ୍ରାଣୀଙ୍କ ଚିତ୍ର ମଧ୍ୟ ଛପା ହେଉଥିଲା। ଏହାବ୍ୟତୀତ ପରିବର୍ତ୍ତନଶୀଳ ଭାରତ ଅର୍ଥାତ୍ ହୀରାକୁଦ ଡ୍ୟାମ୍, ଆର୍ଯ୍ୟଭଟ୍ଟ ସାଟେଲାଇଟ୍, ବୃହଦେଶ୍ୱର ମନ୍ଦିରର ଚିତ୍ର ମଧ୍ୟ ନୋଟରେ ଦେଖାଯାଇଥିଲା। 

ରିପୋର୍ଟ ଅନୁସାରେ ଗାନ୍ଧୀଙ୍କ ବ୍ୟତୀତ, ନୋଟରେ ମୁଦ୍ରଣ ପାଇଁ RBIକୁ ଆସିଥିବା ଫଟୋ ତାଲିକାରେ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଭଳି ଦେବାଦେବୀଙ୍କ ନାଁ ମଧ୍ୟ ସାମିଲ ରହିଥିଲା।

୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଥମ ଥର ପାଇଁ ଭାରତୀୟ ମୁଦ୍ରାରେ ତାଙ୍କର ଫଟୋ ଛପା ଯାଇଥିଲା । ଏଥିରେ ମହାତ୍ମା ଗାନ୍ଧୀଙ୍କୁ ବସିଥିବାର ଦେଖାଯାଇଥିଲା । ଆଉ ତାଙ୍କ ପଛରେ ସେବାଗ୍ରାମ ଆଶ୍ରମର ଫଟୋ ରହିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୮୭ ମସିହାରୁ ନିୟମିତ ଭାବରେ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ନାଁ ମୁଦ୍ରଣ କରିବା ଆରମ୍ଭ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.