ନୂଆଦିଲ୍ଲୀ ୨୦।୦୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି । ଶନିବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ ସ୍କ୍ବାର୍ଡ । ୧୫ ଜଣିଆ ଦଳର ଅଧିନାୟକ ରହିବେ ରୋହିତ ଶର୍ମା । ଟୁର୍ଣ୍ଣାମେଣ୍ଟରେ ଶୁଭମନ ଗିଲଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଦଳର ଉପ-ଅଧିନାୟକ ହୋଇଛନ୍ତି ଗିଲ୍ । ତେବେ ଚଳିତଥର ICC ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ହେବ ଆରମ୍ଭ ।
ଟିମ୍ ଇଣ୍ଡିଆ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ କରିବ ଡେବ୍ୟୁ । ତେବେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ୯ ମାର୍ଚ୍ଚରେ ଖେଳାଯିବ । ଆଇସିସି ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରୋମୋ ଜାରି କରିଛି, ଯେଉଁଥିରେ ପାକିସ୍ତାନର କିମ୍ବଦନ୍ତୀ ବୋଲର ଚାମ୍ପିଅନ୍ସ ଟ୍ରଫିର ବିଜେତା ଦଳ ପାଇଁ ଧଳା କୋଟ୍ ପ୍ରସ୍ତୁତ କରୁଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଚାମ୍ପିଅନ୍ସ ଟ୍ରଫିର ବିଜେତା ଟିମ୍ କେବଳ ଧଳା କୋଟ୍ କାହିଁକି ପିନ୍ଧନ୍ତି?
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୩ରେ ଜିତିଥିଲା ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏହାପରେ ପୁରା ଟିମ୍ ପିନ୍ଧିଥିଲେ ଧଳା ଜ୍ୟାକେଟ୍ । ତେବେ ଚାମ୍ପିୟନ୍ ଟ୍ରଫିରେ ପୂର୍ବରୁ ବିଜେତା ଟିମ୍ ଧଳା କୋଟ ପିନ୍ଧୁନଥିଲେ । ଏହି ଟ୍ରେଣ୍ଡ ୨୦୦୯ରେ ହୋଇଥିଲା ଆରମ୍ଭ । ଏହି ବର୍ଷ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଆଉ ଟାଇଟଲ୍ ହାତେଇବା ବେଳେ ପିନ୍ଧିଥିଲା ଧଳା କୋଟ୍ । ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ, ଯାହା ଚାମ୍ପିଅନ୍ସ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍ର ଗୁରୁତ୍ୱକୁ ପ୍ରତିଫଳିତ କରେ ।
ଧଳା ଜ୍ୟାକେଟ୍ ଜିତିବାକୁ ଟିମ୍ର ପ୍ରତ୍ୟେକ ଖେଳାଳିଙ୍କୁ ସବୁକିଛି ବାଜିରେ ଲଗାଇବାକୁ ପଡିଥାଏ । ଏହି ଚିହ୍ନ ବିଜେତାଙ୍କୁ ଅନ୍ୟ ଟିମ୍ଠାରୁ ଭିନ୍ନ କରିଥାଏ ଏବଂ ଆଉ ଟୁର୍ଣ୍ଣାମେଣ୍ଟକୁ କରିଥାଏ ସ୍ୱତନ୍ତ୍ର । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ କାର୍ଯ୍ୟାଳୟରେ ରଖାଯାଏ, କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ରହିଥାଏ।
ଚାମ୍ପିଅନ୍ସ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ବିଶ୍ୱର ଶ୍ରେଷ୍ଠ ୮ ଦଳ ମଧ୍ୟରେ ଖେଳାଯାଏ । ତେଣୁ ଏହାକୁ ଜିତିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ଚାମ୍ପିଅନ ପରି ଖେଳିବାକୁ ପଡିଥାଏ । ଆଉ ବିଜୟ ପରେ ଏହି ଧଳା କୋଟ୍ ସଂଘର୍ଷକୁ ପ୍ରତିଫଳିତ କରେ। ତେବେ ଧଳା କୋଟ୍ ପିନ୍ଧିବା ପଛରେ ମଧ୍ୟ ଆଉ କିଛି କାରଣ ରହିଛି । ଧଳା କୋଟ୍ ପିନ୍ଧିବାର ପରମ୍ପରା ଇଂଲଣ୍ଡ କ୍ରିକେଟ୍ରୁ ଆରମ୍ଭ ହୋଇଥିଲା ।
ଯେଉଁଠାରେ ପ୍ରାରମ୍ଭିକ ସମୟରେ ଖେଳାଳିମାନେ ଟେଷ୍ଟ ମ୍ୟାଚ୍ରେ ଧଳା ପୋଷାକ ପିନ୍ଧୁଥିଲେ । ଏହା ଆଧୁନିକ ଯୁଗରେ ମଧ୍ୟ କ୍ରିକେଟର ପରମ୍ପରାକୁ ଜୀବିତ ରଖିବାର ଏକ ଉପାୟ । ଚାମ୍ପିଅନ୍ସ ଟ୍ରଫିରେ ଏହାକୁ ସାମିଲ କରିବା ଦ୍ୱାରା କ୍ରିକେଟର ଐତିହାସିକ ମୂଳକୁ ସମ୍ମାନ ଦିଆଯିବା ଲକ୍ଷ୍ୟ । ଯଦିଓ ଚାମ୍ପିଅନ୍ସ ଟ୍ରଫି ୧୯୯୮ ମସିହାରେ ଆରମ୍ଭ ହୋଇଥିଲା, ଏହାର ବିଜେତାମାନେ ୨୦୦୯ ମସିହାରୁ ଧଳା କୋଟ୍ ପିନ୍ଧିବା ଆରମ୍ଭ କରିଥିଲେ।