୧୨ତମ ରାଉଣ୍ଡ ବାଜି ମାରିଲେ ଲିରେନ, ଗୁକେଶଙ୍କୁ ହରାଇ ସ୍କୋର ୬-୬ରେ ବରାବର

Published By : Prameya-News7 Bureau | December 09, 2024 IST

chess.com

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ନିଜ ବିଜୟ ଧାରାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କ ବିପକ୍ଷରେ ବିଶ୍ୱ ଚେସ୍ ଚାମ୍ପିଅନଶିପର ୧୨ତମ ରାଉଣ୍ଡରେ ତାଙ୍କୁ ପରାଜୟ ମିଳିଛି । ଗୁକେଶଙ୍କ ଆଜିର ପରାଜୟ ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ସ୍କୋର ବରାବର ହୋଇଛି । ବର୍ତ୍ତମାନ ଦୁହେଁ ୬-୬ ଅଙ୍କରେ ବରାବର ଅଛନ୍ତି ।

୧୮ ବର୍ଷୀୟ ଗୁକେଶ ରବିବାର ୧୧ତମ ରାଉଣ୍ଡରେ ବିଜୟୀ ହୋଇ ଗୋଟିଏ ଅଙ୍କ ଲିଡ୍ ନେଇଥିଲେ, କିନ୍ତୁ ଲିରେନ ପୁଣିଥରେ କମବ୍ୟାକ୍ କରିଛନ୍ତି । ଗୁକେଶ ଏବଂ ଲିରେନଙ୍କ ମଧ୍ୟରେ ଲଗାତାର ସାତ ମ୍ୟାଚ୍ ଡ୍ର ରହିବା ପରେ ୧୧ତମ ରାଉଣ୍ଡରେ ରେଜଲ୍ଟ ବାହାରିଥିଲା । ଲଗାତାର ଦୁଇ ରାଉଣ୍ଡରେ ରେଜଲ୍ଟ ବାହାରିଛି । ରବିବାର ଗୁକେଶ ଜିତିଥିବା ବେଳେ ସୋମବାର ଲିରେନ ଜିତି ବରବାର କରିଛନ୍ତି । ଗୁକେଶ ଏବଂ ଲିରେନଙ୍କ ମଧ୍ୟରେ ୧୪ ରାଉଣ୍ଡର କ୍ଲାସିକାଲ ଗେମ୍‌ରେ ଏବେ ଦୁଇଟି ମୁକାବିଲା ବଳକା ରହିଛି । 

ବିଶ୍ୱ ଚେସ୍ ଚାମ୍ପିୟନଶିପରେ ପ୍ରଥମେ ୭.୫ ଅଙ୍କ ହାସଲ କରିଥିବା ଖେଳାଳି ବିଜେତା ହେବେ । ଦୁଇ ଖେଳାଳି ବିଜୟଠାରୁ ୧.୫ ଅଙ୍କ ଦୂରରେ ଅଛନ୍ତି । ଯଦି ବଳକା ଥିବା ଅନ୍ୟ ଦୁଇ ରାଉଣ୍ଡ ଡ୍ର' ଯାଏ ତେବେ ଫାଷ୍ଟର ଟାଇମ୍ କଣ୍ଟ୍ରୋଲ ଜରିଆରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ମଙ୍ଗଳବାର ବିଶ୍ରାମ ଦିନ ଥିବା ବେଳେ ବୁଧବାର ୧୩ତମ ଏବଂ ଗୁରୁବାର ୧୪ତମ ତଥା ଅନ୍ତିମ ରାଉଣ୍ଡ ଖେଳାଯିବ । ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ ୨.୫ ମିଲିୟନ ଡଲାର ଭାରତୀୟ ମୁଦ୍ରାରେ ୨୦.୮ କୋଟି ଟଙ୍କା ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.