ବିଜୁ ପଟ୍ଟନାୟକଙ୍କ ପରାକ୍ରମ ପାଇଁ ସମ୍ମାନିତ କରିଛି ଋଷ, ଶୁକ୍ରବାର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ହେବ ମାଲ୍ୟାର୍ପଣ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ବର ୮ବିଜୁ ପଟ୍ଟନାୟକ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଋଷ ସେନାଙ୍କୁ ହିଟଲରଙ୍କ ନାଜି ବିରୋଧରେ ଅସ୍ତ୍ରଶସ୍ତ୍ର ଯୋଗାଇଥିଲେ ।ସେଥିପାଇଁ ତାଙ୍କୁ ଋଷ ସରକାର ସମ୍ମାନିତ କରିଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ବିଜୁ ବାବୁଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରି ଶୁକ୍ରବାର ଦିଲ୍ଲୀରୁ ଫେରୁଛନ୍ତି । ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ ବୋଲି ଅଶୋକ ପଣ୍ଡା କହିଛନ୍ତି । ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ହେବ । ସେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀ ଜଟଣୀ, ଖୋର୍ଦ୍ଧା, ଜୟଦେବ ଓ ସାମଗ୍ରିକ ଭାବେ ବିଜେଡି ପକ୍ଷରୁ ବି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ବୋଲି ଅଶୋକ ପଣ୍ଡା କହିଛନ୍ତି ।


ନାଜିବାଦ ବିରୁଦ୍ଧରେ ଋଷର ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି । ଏଥିପାଇଁ ମେ’ ୯ ତାରିଖରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି । ଏହି ଆୟୋଜନରେ ଜଣେ ମହାନ ଓଡ଼ିଆଙ୍କ ଅବଦାନକୁ କୃତଜ୍ଞତା ସହ ମନେ ପକାଇଛି ଋଷ । ସେ ଓଡ଼ିଆ ବୀର ହେଉଛନ୍ତି ଆମର ପ୍ରିୟ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।

ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ପୁଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀର ଋଷ ଦୂତାବାସ, ରୁଷିଆ ହାଉସର ବର୍ଣ୍ଣାଢ୍ୟ ପରିବେଶରେ । ଷ୍ଟାଲିନ୍ ଗ୍ରାଡ଼ ଅଭିଯାନରେ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ରୁଷିଆ ହାଉସରେ ବୁଧବାର ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ । ଏଥରେ ମୁଖ୍ୟ ଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ  ଭାରତରେ ଋଷର ରାଷ୍ଟ୍ରଦୂତ ମହାମହିମ ମିଃ ଡେନିସ ଅଲିପୋବଙ୍କ  ମହାର୍ଘ୍ୟ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ ।


ଏହି ଅବସରରେ ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ । ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ  ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ  ନାଜି  ବିରୁଦ୍ଧରେ ଋଷର ବିଜୟକୁ ସୁଗମ କରି ବିଶ୍ୱକୁ ବିପର୍ଯ୍ୟୟରୁ ବଞ୍ଚାଇଥିଲେ ତାହା ଅନନ୍ୟ । ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ନବୀନ ପଟ୍ଟନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଋଷ ଦୂତାବାସର ଉଚ୍ଚ ଅଧିକାରୀ ମାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

You Can Read:

ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମା’ ତାରାତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ, ପୀଠର ବିକାଶ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.