ମୁମ୍ବାଇ: ଅନ୍ତିମ ପର୍ଯ୍ୟାୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଫାଇନାଲ । ଚଳିତ ସଂସ୍କରଣରେ ଆଉ ମାତ୍ର ୧୮ଟି ଟେଷ୍ଟ ବାକି ରହିଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦଳ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଭଳି ଶକ୍ତିଶାଳୀ ଦଳ ମଧ୍ୟ ଫାଇନାଲ୍ ଦୌଡରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏଥର ଦମ୍ଦାର ପ୍ରଦର୍ଶନ ଜାରି ରଖି ଫାଇନାଲ ଦାବିଦାର ରୂପେ ଉଭା ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୦-୩ରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ଫଳରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୌଡ଼ ବେଶ୍ ରୋମାଞ୍ଚକର ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ପରାଜିତ ହେବା ଫଳରେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଖସିଛି । ଭାରତ ନିକଟରେ ସମ୍ପ୍ରତି ୫୮.୩୩% ପଏଣ୍ଟ ରହିଛି । ୬୨.୫୦% ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପରାଜୟ ଭାରତକୁ ଚକ୍ରବ୍ୟୁହରେ ପହଞ୍ଚାଇ ଦେଇଛି । ବର୍ତ୍ତମାନ ଏକମାତ୍ର ଆଶା ବର୍ଡର-ଗାଭାସ୍କର ଟ୍ରଫି । ଏହି ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଭାରତକୁ ସିଧାସଳଖ ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଉକ୍ତ ୪-୦ରେ ଶୃଙ୍ଖଳା ଜିତିବାକୁ ପଡ଼ିବ । ଅଷ୍ଟ୍ରେଲିଆ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ହେଲେ ଏକ ସଙ୍ଗେ ୪ଟି ଟେଷ୍ଟ ଜିତିବା ଅସମ୍ଭବ କାର୍ଯ୍ୟ କହିଲେ ଭୁଲ ହେବ ନାହିଁ ।
ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ ଭାରତର ପଏଣ୍ଟ ୬୫.୭୯%କୁ ବୃଦ୍ଧି ପାଇବ । ତଥାପି ଭାରତ ଶୀର୍ଷ ସ୍ଥାନ ଫେରି ପାଇବା କଷ୍ଟକର ହେବ । କାରଣ ଦକ୍ଷିଣ ଆଫ୍ରିକା ଆଗକୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଯଥାକ୍ରମେ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଉଭୟ ସିରିଜରେ କ୍ଲିନ୍ ସୁଇପ କଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୬୯.୪୪%କୁ ବୃଦ୍ଧି ପାଇବ । ଦଳ ସିଧା ଶୀର୍ଷକୁ ଉଠି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବ । ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ରେ ପହଞ୍ଚିବ । ଗତ ମାସରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ(୨-୦) ଟେଷ୍ଟ ସିରିଜ ବିଜୟ ପରେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୫୪.୧୭%ରେ ପହଞ୍ଚି ଯାଇଛି । ୫୪.୫୫% ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଆଗକୁ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଘରୋଇ ଗ୍ରାଉଣ୍ଡ୍ରେ ଖେଳାଯିବାକୁ ଥିବା ଏହି ସିରିଜକୁ ୩-୦ରେ ଜିତିଲେ ନ୍ୟୁଜିଲାଣ୍ଡର ପଏଣ୍ଟ ୬୪.୨୯%ରେ ପହଞ୍ଚିବ । ଭାରତକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିପାରେ । ଭାରତ ୨-୩ରେ ବର୍ଡର-ଗାଭାସ୍କର ଟ୍ରଫି ପରାଜିତ ହେଲେ ମଧ୍ୟ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିପାରିବ । ମାତ୍ର ଅନ୍ୟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ହେବ । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସିରିଜ ୧-୧ରେ ଡ୍ର’ ରହିବ । ଦକ୍ଷିଣ ଆଫ୍ରିକା ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ୧-୧ରେ ଡ୍ର’ ରଖିବ । ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୦-୦ରେ ଡ୍ର’ ରହିବ । ଏହା ସମ୍ଭବ ହେଲେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିପାରିବ ।