ମୁମ୍ବାଇ; ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ସମୀକରଣ । ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ । ଭାରତ-ଅଷ୍ଟ୍ରେଲିଆକୁ ଛାଡ଼ି ଫାଇନାଲ୍ ରେସ୍ରେ ୪ ଦଳ । ଟିମ୍ ଇଣ୍ଡିଆର ବାଟ ହୁଡ଼ିବ ପାକିସ୍ତାନ । ୩୬ ବର୍ଷ ପରେ ଭାରତ ମାଟିରେ ଭାରତ ଉପରେ ବିଜୟ ହାସଲ ଏବଂ ୧୨ ବର୍ଷରେ ନ୍ୟୁଜିଲାଣ୍ଡର ଟେଷ୍ଟ ଶୃଙ୍ଖଳା କବଜା, ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ସିନେରିଓରେ ବଡ଼ ପରିବର୍ତ୍ତନ ଆଣିଛି । ଭାରତ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ଡବ୍ଲୁଟିସି ସମୀକରଣ ବଦଳିଯାଇଛି । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ମଧ୍ୟ ଟିମ୍ ଇଣ୍ଡିଆର ଫାଇନାଲ୍ ଖେଳିବା ଆଶା ମୁସ୍କିଲ୍ ହୋଇଛି । କାରଣ ସେପଟେ ଘରୋଇ ମାଟିରେ ଇଂଲଣ୍ଡକୁ ମାତ୍ ଦେଇ ପାକିସ୍ତାନ ଧୀରେ ଧୀରେ ଡବ୍ଲୁଟିସି ଫାଇନାଲ୍ ରାସ୍ତା ସଫା କରୁଛି ।
ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ନ୍ୟୁଜିଲାଣ୍ଡ ଠାରୁ ୧୧୩ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚ୍ ହାରିବା ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୨-୦ରେ ରୋହିତ୍ ବାହିନୀ ହାତରୁ ଖସିଛି । ଏହା ସହିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ପୁଣେ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ୬୮.୦୬ ପ୍ରତିଶତ ଅଙ୍କ ସହିତ ଟପରେ ଥିଲା । ମାତ୍ର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ମାତ୍ ଖାଇବା ପରେ ପଏଣ୍ଟ ହାର ହ୍ରାସ ପାଇ ୬୨.୮୨ ପ୍ରତିଶତକୁ ଖସି ଆସିଛି । ରୋହିତ୍ ସେନା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ର ୨୦୨୩-୨୫ରେ ବର୍ତ୍ତମାନ ସୁଦ୍ଧା ୧୩ଟି ମ୍ୟାଚ୍ ଖେଳିଛି । ଏଥିରୁ ୮ଟି ମ୍ୟାଚରେ ବିଜୟ, ୩ ମ୍ୟାଚରେ ପରାଜୟ ଏବଂ ଗୋଟିଏ ଡ୍ର’ ସହିତ ୯୮ ଅଙ୍କରେ ହାସଲ କରିଛି ।
ଡବ୍ଲୁଟିସି ଅଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରୁ ୮ଟିରେ ବିଜୟ ହାସଲ କରିଛି । ୩ଟିରେ ପରାସ୍ତ ଏବଂ ଗୋଟିଏ ମାଚ୍ ଡ୍ର’ କରି ୯୦ ଅଙ୍କ ସହିତ ପାଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପଛକୁ ରହିଛି ଶ୍ରୀଲଙ୍କା ଦଳ । ପୂର୍ବତନ ଭେଟେରାନ୍ ଅଲରାଉଣ୍ଡର ସନଥ୍ ଜୟସୁରିଆ କୋଚ୍ ମଙ୍ଗ ସମ୍ଭାଳିବା ପରେ ଦଳ ଦଳ ମଧ୍ୟରେ ନୂଆ ଉର୍ଜା ସୃଷ୍ଟି ହୋଇଛି । ନ୍ୟୁଜିଲାଣ୍ଡ ଟିମକୁ ୨-୦ରେ ଟେଷ୍ଟ ଶୃଙ୍ଖଳା ହରାଇ ଡବ୍ଲୁଟିସିର ତୃତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କା ପରେ ଚତୁର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ ଟିମ୍ । ଭାରତକୁ ହରାଇ କ୍ବିଓ୍ବି ଦଳ ମଧ୍ୟ ଡବ୍ଲୁଟିସି ଫାଇନାଲ୍ ଖେଳିବା ଆଶା ରଖିଛି ।
ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାରେ ବଡ଼ ଗଡ଼ବଡ଼ କରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ । ଘରୋଇ ମାଟିରେ ବାଂଲାଦେଶ ଠାରୁ ଟେଷ୍ଟ ସିରିଜ୍ ହାରିଥିବା ପାକ୍ ଦଳ ଇଂଲଣ୍ଡକୁ ୨-୧ରେ ହରାଇ ଡବ୍ଲୁଟିସି ଅଙ୍କ ତାଲିକାର ସମୀକରଣକୁ ବିଗାଡ଼ି ଦେଇଛି । ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିଲେ ମଧ୍ୟ ଭାରତ ରାସ୍ତାରେ କଣ୍ଟା ହୋଇ ଉଭା ହୋଇଛି । ପାକିସ୍ତାନ ଟିମ୍ ବାକି ଥିବା ମ୍ୟାଚକୁ ଜିତି ଫାଇନାଲରେ ଏଣ୍ଟ୍ରି କରିବା ଆଶା ରଖିଛି ।
ଚଳିତ ଡବ୍ଲୁଟିସି ୨୦୨୩-୨୫ ଚକ୍ରରେ ୨୦ଟି ମ୍ୟାଚ୍ ବାକି ରହିଛି । ଏହି ୨୦ଟି ମ୍ୟାଚ୍ ଫାଇନାଲ ପାଇଁ ନିର୍ଣ୍ଣାୟକ ହେବା ବୋଲି କୁହାଯାଉଛି । ରୋହିତ୍ ବାହିନୀକୁ ଫାଇନାଲରେ ପ୍ରବେଶ କରିବାକୁ ହେଲେ ବାକି ଥିବା ୬ଟି ମ୍ୟାଚରୁ ସର୍ବନିମ୍ନ ୪ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ଏଥିରେ ଭାରତୀୟ ଦଳ ଫେଲ୍ ମାରିଲେ ଅନ୍ୟ ଟିମର ହାରିବା ଜିତିବା ଉପରେ ନିର୍ଭର କରିବ ଦଳ ।