‘ତୁମେ ଭାରତର ଅସମ୍ମାନ କରିଛ’, ନିଜ ଦେଶର ଖେଳାଳିଙ୍କ ଉପରେ ବର୍ଷିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ: ଭାରତ ଗସ୍ତ ବେଳେ ଇଂଲଣ୍ଡ ଟିମ୍‌ର ପ୍ରଦର୍ଶନ ଅତି ଖରାପ ଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଟି-୨୦ ସିରିଜକୁ ୪-୧ ଏବଂ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଥିଲା ଟିମ୍ ଇଣ୍ଡିଆ । ଅହମଦାବାଦ ଦିନିକିଆ ବେଳେ କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ ଖୁଲାସା କରିଥିଲେ ଯେ ଇଂଲଣ୍ଡ ଖେଳାଳି ପୂରା ସିରିଜରେ କେବଳ ଗୋଟିଏ ଫ୍ରାକ୍ଟିସ୍ ସେସନ୍‌ରେ ସାମିଲ ହୋଇଥିଲେ । ଏବେ ଇଂଲଣ୍ଡର ପୂର୍ବତନ ବ୍ୟାଟର ତଥା ଅଧିନାୟକ କେଭିନ୍ ପିଟରସନ୍ ନିଜ ଦେଶର ଟିମକୁ ଜୋରଦାର ଶୁଣାଇଛନ୍ତି ।  

ଭାରତୀୟ ପରିସ୍ଥିତି ଏବଂ ଭାରତକୁ ଅସମ୍ମାନ କରିଥିବା ଅଭିଯୋଗରେ କେଭିନ୍ ପିଟରସନ୍ ନିଜ ଦେଶର ଖେଳାଳିଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ ଇଂଲଣ୍ଡ ଖେଳାଳିଙ୍କ ସମର୍ପଣ ଭାବର ଅଭାବକୁ ନେଇ ମଧ୍ୟ ଭର୍ତ୍ସନା କରିଛନ୍ତି । ପିଟରସନ୍ ଡିଜନୀ+ହଟ୍‌ଷ୍ଟାରରେ ଇଂଲଣ୍ଡର ପରାଜୟ ପରେ କହିଛନ୍ତି, 'ରବି ଶାସ୍ତ୍ରୀ ଏବଂ ମୁଁ ଉପରେ କଥା ହେଉଥିଲୁ ଯେ ଏମାନେ (ଇଂଲଣ୍ଡ ଟିମ୍) ଅତି କମରେ ଗତ ସପ୍ତାହରେ ତ ଅଭ୍ୟାସ କରିଥିବେ । ସେମାନେ କେବଳ ନାଗପୁର ମ୍ୟାଚ୍ ପୂର୍ବରୁ ଗୋଟିଏ ଦିନ ନେଟ୍ ପ୍ରାକ୍ଟିସ୍ କରିଥିଲେ । ଏହାପରେ ଆଉ ଅଭ୍ୟାସ କରିନାହାନ୍ତି । କେବଳ ଜଣେ ବ୍ୟାଟର-ଜୋ ରୁଟ୍ ନେଟ୍‌ରେ ଅଭ୍ୟାସ୍ କରିଥିଲେ । ମୁଁ ଦୁଃଖିତ କିନ୍ତୁ ଆପଣ ଉପମହାଦେଶକୁ ଆସି ଏଭଳି ଭୁଲ୍ କରିପାରିବେ ନାହିଁ ।

ପିଟରସନ୍ କହିଛନ୍ତି, 'କୌଣସି ବି ଖେଳାଳି, ସେ ପୁରୁଷ ହୁଅନ୍ତୁ ବା ମହିଳା, କୌଣସି ସିରିଜକୁ ଯିବା ପରେ ଅଭ୍ୟାସ ବିନା ଭଲ ପ୍ରଦର୍ଶନ କରିବେ ବୋଲି ଭାବିବା ଭୁଲ । ମୁଁ ଯେତେବେଳେ ଜାଣିଲି ଇଂଲଣ୍ଡ ଟିମ୍ ପ୍ରଥମ ମ୍ୟାଚ୍ ପରେ ଅଭ୍ୟାସ କରିନି, ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।' ନୈରାସ୍ୟଜନକ ପରାଜୟ ସତ୍ତ୍ୱେ ନେଟ୍ ସେସନ୍‌ରେ ଭାଗ ନନେଇ ଗୋଲ୍ଫ ଖେଳିଥିବାରୁ ଇଂଲଣ୍ଡ ଖେଳାଳିଙ୍କୁ କଟାକ୍ଷ ବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଟି-୨୦ ସିରିଜ୍ ବେଳେ ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ୍ କୋଲକାତାରେ ବାୟୁର ମାନକୁ ନେଇ ସମାଲୋଚନା କରିଥିଲେ । ସେ କହିଥିଲେ ଯେ କୋଲକାତାରେ ଧୂଆଁ ଅଧିକ, ଯେଉଁଥି ପାଇଁ ବଲ୍‌କୁ ବୁଝିବାରେ ଅସୁବିଧା ହେଉଥିଲା । ବ୍ରୁକ୍ ପୂରା ସିରିଜ ଖରାପ ପ୍ରଦର୍ଶନ କରିଥିଲେ ଏବଂ ପିଟରସନ ଇଂଲଣ୍ଡ ଖେଳାଳିଙ୍କ ଦ୍ୱାରା ଭାରତର ଅପମାନ କରାଯିବା ଉପରେ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, 'ନୁହେଁ, ସତରେ ମୁଁ ଏହା କହିବା ବେଳେ ଦୁଃଖ ଅନୁଭବ କରୁଛି ଯେ ଆପଣ ଭାରତୀୟ ପରିସ୍ଥିତି ଏବଂ ଭାରତର ଏତେ ଅପମାନ କରିଛନ୍ତି । ଜଣେ ଇଙ୍ଗଲିସ୍ ମ୍ୟାନର ଦୃଷ୍ଟିରୁ ମୁଁ ଦୁଃଖୀ '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.