ଆଇପିଏଲ୍‌ରେ ଗର୍ଜୁନି ଜସ୍ସିଙ୍କ ବ୍ୟାଟ୍‌, ଚିନ୍ତାରେ ରୟାଲ୍ସ ଓପନର

Published By : Prameya-News7 Bureau | April 10, 2025 IST

ଅହମ୍ମଦାବାଦ, ୧୦/୦୪: ରାଜସ୍ଥାନ ରୟାଲ୍ସର ଓପନର ଯଶସ୍ୱୀ ଜୈସ୍ୱାଲ ଚଳିତ ଆଇପିଏଲରେ ଏ ପର୍ଯ୍ୟନ୍ତ ଭଲ ଫର୍ମକୁ  ଫେରିପାରିନାହାନ୍ତି । ଯଦିଓ ସେ ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ କିନ୍ତୁ ବୁଧବାର ପୁଣି ବିଫଳ ହୋଇଥିଲେ । ଫଳରେ ରାଜସ୍ଥାନ ରୟାଲ୍ସକୁ ଘରୋଇ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶୋଚନୀୟ ଭାବେ ପରାଜିତ ହେବାକୁ ପଡ଼ିଲା । 

ସିଜନର ପ୍ରଥମ ମ୍ୟାଚ୍‌ରେ ଜୈସ୍ୱାଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲେ । ୫ଟି ବଲ ଖେଳି ମାତ୍ର ୧ ରନ୍‌ କରି ବାହୁଡ଼ି ଯାଇଥିଲେ । କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଯଦିଓ ସେ ଦୁଇ ଅଙ୍କ ଛୁଇଁଥିଲେ କିନ୍ତୁ ବେଶି ସମୟ ତିଷ୍ଠି ପାରିନଥିଲେ । ସେ ୨୪ ବଲରୁ ୨୯ ରନ୍‌  କରି ଫେରିଥିଲେ । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ୩  ବଲ ଖେଳି ୪ ରନ୍‌ କରିଥିଲେ । କ୍ରମାନ୍ୱୟରେ  ୩ଟି ମ୍ୟାଚ୍‌ରେ ବିଫଳ ହେବା ପରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ସିଜନର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । 

୪୫ ବଲରୁ ସେ ୬୭  ରନ୍‌ କରିଥିଲେ । ପୂର୍ବ ମ୍ୟାଚ୍‌ରେ ପ୍ରଦର୍ଶନ ଆଧାରରେ ଆଜି ଟାଇଟନ୍ସ ବିପକ୍ଷରେ ଜୈସ୍ୱାଲ ଦ୍ରୁତ  ବ୍ୟାଟିଂ କରିବେ ବୋଲି ଆଶା ରହିଥିଲା । ମାତ୍ର ଅର୍ଶଦ ଖାନଙ୍କ ବଲରେ ସେ ପାଭିଲିୟନ  ଫେରିଥିଲେ । ୭ ବଲରୁ ଗୋଟିଏ ଚୌକା ସହ ୬ ରନ୍‌ କରି ଥିଲେ । 

ଅଧିନାୟକ ନାୟକ ସଞ୍ଜୁ ସାମସନ ଓ ସିମରନ ହେତମାୟରଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ  କରି ପାରି ନଥିଲେ । ଫଳରେ ରାଜସ୍ଥାନ ୨୧୮  ରନର ଲକ୍ଷ୍ୟ ନେଇ ମାତ୍ର ୧୫୯ ରନ୍‌ରେ ସୀମିତ ରହିଥିଲା । ସିଜନରେ ରାଜସ୍ଥାନ ରୟାଲ୍ସ ଏ ପର୍ଯ୍ୟନ୍ତ  ୫ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟୀ  ହେବାରେ ସଫଳ ହୋଇଛି । ୪ ପଏଣ୍ଟ ସହ ଟେବୁଲରେ ଦଳ ସପ୍ତମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.