ଭୁବନେଶ୍ୱର,୧୮/୦୪: ଆଜି ଆଇପିଏଲ୍ରେ ଦମ୍ଦାର ମୁକାବିଲା ରହିଛି । ଏଥର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ପଞ୍ଜାବ କିଙ୍ଗ୍ସ ମଧ୍ୟ ଚଳିତ ସିଜନରେ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଉଭୟ ଦଳରେ ବହୁ ଚର୍ଚ୍ଚିତ ତାରକା ଖେଳାଳି ରହିଥିବାରୁ ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ଉଭୟ ରୟାଲ୍ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ କିଙ୍ଗ୍ସ ବର୍ତ୍ତମାନ ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳି ୮ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇପାରିବ । ପଞ୍ଜାବ କିଙ୍ଗ୍ସ ଜିତିଲେ ଦ୍ୱିତୀୟ ସ୍ଥାନ ଦଖଲ କରିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମ୍ୟାଚ୍ଗୁଡ଼ିକ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ରହିଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ପରସ୍ପରକୁ ୩୩ଥର ଭେଟିଛନ୍ତି ।
ଏଥିରୁ ପଞ୍ଜାବ କିଙ୍ଗ୍ସ ୧୭ଟି ଓ ରୟାଲ ଚ୍ୟାଲେଞ୍ଜର୍ସ ୧୬ଟି ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ । ଉଭୟ ମ୍ୟାଚ୍ ଜିତିଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ । ମାତ୍ର ଏଥର ପଞ୍ଜାବ କିଙ୍ଗ୍ସ ବେଶ୍ ଶକ୍ତିଶାଳୀ ଓ ସନ୍ତୁଳିତ । ଦୁଇ ଦିନ ତଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମାତ୍ର ୧୧୧ ରନ କରି ମଧ୍ୟ କୋଲକାତା ନାଇଟ୍ ରାଇଡର୍ସକୁ ୯୫ ରନ୍ରେ ଅଲ ଆଉଟ୍ କରିଥିଲା । ବୋଲିଂ ବଳରେ ମଧ୍ୟ ମ୍ୟାଚ୍ ଜିତିବାର କ୍ଷମତା ରଖିଥିବା ପଞ୍ଜାବ କିଙ୍ଗ୍ସ ପ୍ରମାଣିତ କରିଥିଲା ।
ଶ୍ରେୟାସ ଆୟରଙ୍କ ଦଳ ଗତ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୧୩ ତାରିଖରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ୯ ୱିକେଟ୍ରେ ବିଜୟ ହାସଲ କରିଥିଲା । ଫିଲ ସଲ୍ଟ, ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ । କୋହଲି ଇତି ମଧ୍ୟରେ ୩ଟି ଅର୍ଦ୍ଧଶତକ ଅର୍ଜନ କରି ଚମତ୍କାର ଫର୍ମରେ ରହିଛନ୍ତି । ଆସନ୍ତାକାଲି ତାଙ୍କ ଇନିଂସ ମଧ୍ୟ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ରୟାଲ୍ ଚ୍ୟାଲେଞ୍ଜର୍ସ ନିକଟରେ ଏକ ଶୃଙ୍ଖଳିତ ପେସ୍ ବାହିନୀ ମଧ୍ୟ ରହିଛି ।
ଜୋସ ହାଜେଲଉଡ୍, ଭୁବନେଶ୍ୱର କୁମାର ଓ ୟଶ ଦୟାଲ ପ୍ରତିପକ୍ଷ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହେଉଛନ୍ତି । ଆସନ୍ତାକାଲି ଉଭୟ ଦଳର ଷ୍ଟାର ଭାରତୀୟ ବ୍ୟାଟର କୋହଲି ଓ ଆୟରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ମାତ୍ର ପଞ୍ଜାବ କିଙ୍ଗ୍ସର ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ।
କାରଣ ଗତ ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ପ୍ରିୟାଂଶ ମହମ୍ମଦ ସାମି ଓ ପ୍ୟାଟ୍ କମିନ୍ସଙ୍କ ଭଳି ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହୁଥିବାବେଳେ ଏଠାକାର ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ଯୋଗୁଁ ବିଶାଳ ସ୍କୋର ସମ୍ଭବ । ରାତ୍ରିରେ କାକର ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ