ହୋମ୍ ଗ୍ରାଉଣ୍ଡରେ ଆର୍‌ସିବିର ହ୍ୟାଟିକ୍ ପରାଜୟ, ୫ ଓ୍ୱିକେଟ୍‌ ପଞ୍ଜାବ କିଙ୍ଗସ୍ ବିଜୟୀ

Published By : Prameya-News7 Bureau | April 19, 2025 IST

aajtak

ବେଙ୍ଗାଲୁରୁ ୧୯।୦୪: ହୋମ ଗ୍ରାଉଣ୍ଡରେ ହ୍ୟାଟିକ୍‌ ପରାସ୍ତ । ଆଇପିଏଲ୍‌ ୨୦୨୫ର ୩୪ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍‌ । ୧୮ ଅପ୍ରେଲ (ଶୁକ୍ରବାର) ରାତିରେ ଏହି ମ୍ୟାଚ୍‌ ଥିଲା । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫ ଓ୍ୱିକେଟ୍‌ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍‌ । ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟର ଟିମ୍‌ ଡେଭିଡ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ରେ ପୁରସ୍କାର ଦିଆଯାଇଛି । 

ଆଇପିଏଲ୍‌ ୨୦୨୫ରେ ଶୁକ୍ରବାର ଦିନ ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା । ହେଲେ ବର୍ଷା ଲାଗି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରିନଥିଲା ମ୍ୟାଚ୍‌ । ଶେଷରେ ବର୍ଷା କମିବା ପରେ ମ୍ୟାଚ୍‌କୁ ୧୪ ଓଭର ବିଶିଷ୍ଟ କରାଯାଇଥିଲା । ଟସ୍‌ ଜିତି ପଞ୍ଜାବ କିଙ୍ଗସ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବା ବେଙ୍ଗାଲୁରୁ ଟିମ୍‌ ପାଇଁ ସାଜିଲା କାଳ । ଲଗାତର ଅନ୍ତରାଳରେ ପଡିଚାଲିଲା ଟିମ୍‌ର ଓ୍ୱିକେଟ୍‌ । ହେଲେ ଶେଷ ବେଳକୁ ଟିମ୍‌ ଡେଭିଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୧୪ ଓଭରରେ ମାତ୍ର ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବ କିଙ୍ଗସ୍‌ ପକ୍ଷରୁ ଅର୍ଶଦୀପ ସିଂହ, ମାର୍କୋ ଜନ୍‌ସନ୍‌, ୟୁଜବେନ୍ଦ୍ର ଚହଲ, ହରପ୍ରିତ ବରାର ୨ ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ଜାଭିୟର ବାର୍‌ଟଲେଟ୍‌ଙ୍କ ଖାତାକୁ ଗୋଟିଏ ଓ୍ୱିକେଟ୍‌ । 

ଶେଷରେ ୯୬ ରନ୍‌ରେ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ପଞ୍ଜାବ ଓପନର । ଓପନିଂ ଯୋଡ଼ି ବିସ୍ଫୋରକ ଆରମ୍ଭ କରିଥିଲେ। ହେଲେ ମାତ୍ର ୨୨ ରନ୍‌ରେ ପଡିଥିଲା ପ୍ରଥମ ଓ୍ୱିକେଟ୍‌ । ଶେଷରେ ଦଳ ୧୨ ଓଭର ଗୋଟିଏ ବଲରେ ଟାର୍ଗେଟକୁ ପୂରଣ କରିଥିଲା ।୧୧ଟି ବଲ୍‌ ବାକି ଥାଇ ୫ ଓ୍ୱିକେଟ୍‌ରେ ଆଇପିଏଲ୍‌ ୩୪ ତମ ମ୍ୟାଚ୍‌ରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ । ଏହି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ ଲାଗି ଟିମ୍‌ ଡେଭିଡଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି । 

ତେବେ ବର୍ତ୍ତମାନର ଆଇପିଏଲ୍‌ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ମୋଟ ୭ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ଖାସ୍‌ କରି ନିଜ ହୋମଗ୍ରାଉଣ୍ଡ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଲଗାତର ଭାବେ ୩ଟି ମ୍ୟାଚ୍‌ରେ ବିରୋଧୀ ଦଳ ଠାରୁ ପରାସ୍ତ ହୋଇସାରିଛି । 

  • IPL 2025
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.