ନୂଆଦିଲ୍ଲୀ: ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ପାକିସ୍ତାନ ସୁପର ଲିଗ୍ ଗୋଟିଏ ଓ୍ଵିଣ୍ଡରେ ଅର୍ଥାତ ସମାନ ସମୟରେ ଖେଳା ଯାଉଛି। ଆଉ ସର୍ବଦା ପାକିସ୍ତାନର ମିଡିଆ ଓ ପୂର୍ବତନ କ୍ରିକେଟର ପିଏସଏଲର ତୁଳନା ଆଇପିଏଲ୍ ସହ କରୁଛନ୍ତି। ମାତ୍ର ସମସ୍ତେ ଜାଣିଛନ୍ତି ଯେ, ସେ ରାଜସ୍ଵର କଥା ହେଉ କି, ଭ୍ୟୁଅରସିପ, ପ୍ରାଇଜ ମନି କିମ୍ବା ଅନ୍ୟ କୌଣସି ଦିଗରେ ଆଇପିଏଲ୍ ପିଏସଏଲଠୁ ବହୁତ ଆଗରେ ରହିଛି। ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ପିଏସଏଲର ଏକ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି। ଏହା ପ୍ରମାଣିତ କରୁଛି ଯେ, ପାକିସ୍ତାନରେ ଦର୍ଶକ କେଉଁ ଲିଗ୍କୁ ଅଧିକ ପସନ୍ଦ କରୁଛନ୍ତି।
ଭିଡିଓରେ ପିଏସଏଲର ଏକ ମ୍ୟାଚ୍ ଖେଳା ଯାଉଛି। ଦର୍ଶକ ଜଣକ ଷ୍ଟାଡିୟମ ବସିଛନ୍ତି ମାତ୍ର ସେ ପିଏସଏଲ ନ ଦେଖି ମୋବାଇଲରେ ଆଇପିଏଲ୍ ମ୍ୟାଚ୍ର ସିଧା ପ୍ରସାରଣ ଦେଖୁଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଦର୍ଶକ ଜଣକ ମୋବାଇଲରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଦେଖୁଛନ୍ତି। ଏହାକୁ ନେଇ ଲୋକଙ୍କ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପାକିସ୍ତାନ ଦର୍ଶକ ଜଣକ ଦେଖୁଥିବା ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ଥିଲା।
People watching IPL instead of Psl.#RCBvsPBKS pic.twitter.com/u5IByjIMdP
— Indian Cricket Fc (@Jonathan_fcc) April 18, 2025
ଉଲ୍ଲେଖନୀୟ ଚଳିତ ଆଇପିଏଲ୍ରେ ସବୁଠୁ ବଡ ରୋମାଞ୍ଚକର ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ମଧ୍ୟରେ ଖେଳା ଯାଇଛି। ଏହାର ଫଳାଫଳ ସୁପର ଓଭରରେ ହିଁ ବାହାରିଛି। ରାଜସ୍ଥାନ ରୟାଲ୍ସକୁ ଶେଷ ଓଭରରେ ମ୍ୟାଚ୍ ଜିତିବା ପାଇଁ ୯ ରନ ଦରକାର ଥିଲା। ଦିଲ୍ଲୀ ପକ୍ଷରୁ ଏହି ଓଭର ବୋଲିଂ କରିଥିଲେ ମିଚେଲ୍ ଷ୍ଟାର୍କ। ବ୍ୟାଟିଂ କରୁଥିଲେ ସିମରନ ହେଟମାୟର ଓ ଧ୍ରୁବ ଜୁରେଲ। ହେଲେ ଷ୍ଟାର୍କ ଘାତକ ବୋଲିଂ କରି ମାତ୍ର ୮ ରନ ଦେଇଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା। ଏହା ପୂର୍ବରୁ ପାକିସ୍ତାନ ସୁପର ଲିଗର ତୃତୀୟ ମ୍ୟାଚ୍ରେ ଆଇପିଏଲର ଜଲଓ୍ଵା ଦେଖିବାକୁ ମିଳିଥିଲା। ମ୍ୟାଚ୍ ଦେଖିବାକୁ ଆସିଥିବା ଜଣେ ଦର୍ଶକ ବିରାଟ କୋହଲିଙ୍କ ଆରସିବି ଜର୍ସି ପିନ୍ଧିଥିଲେ।