ନୂଆଦିଲ୍ଲୀ ୬।୩: ଯଦି ଆପଣଙ୍କ ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଆଡମିସନ କରାଇବାକୁ ଚାହୁଁଥାନ୍ତି , ତେବେ ଏହା ଏକ ସୁ ଅବସର। ଏଥି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍) ଆଡମିସନ ନୋଟିଫିକେସନ ଜାରି କରିଛନ୍ତି। ଏହି ନୋଟିଫିକେସନ ଅନୁସାରେ ପ୍ରଥମ ଶ୍ରେଣୀ ଓ ବାଲବାଟିକାରେ ଆଡମିସନ ପାଇଁ ଆବେଦନ ପ୍ରକ୍ରିୟା ୭ ମାର୍ଚ୍ଚ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଓ ଅଭିଭାବକ ମାର୍ଚ୍ଚ ୨୧ ତାରିଖ ପର୍ଯନ୍ତ ଆବେଦନ କରିପାରିବେ।
ଯେଉଁ ଅଭିଭାବକ ନିଜ ଶିଶୁଙ୍କୁ ଆଡମିସନ କରାଇବାକୁ ଚାହୁଁଛନ୍ତି ସେମାନେ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୭ ତାରିଖରୁ କେଭିଏସ୍ ର ଅଧିକାରୀକ ୱେବସାଇଟ୍ କେଭିସଙ୍ଗଠନ ଡଟ୍ ଏନଆଇସି ଡଟ୍ ଇନରେ ଆବେଦନ କରିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟ ଆଡମିସନର ପ୍ରଥମ ପ୍ରୋଭିଜନଲ ଲିଷ୍ଟ ଏପ୍ରିଲ ୧୭ ତାରିଖରେ ଜାରି ହୋଇପାରେ। ଏହା ପରେ ଆଡମିସନ ପ୍ରକ୍ରିୟା ୧୮ ଏପ୍ରିଲରୁ ୨୧ ଏପ୍ରିଲ ମଧ୍ୟରେ ଆରମ୍ଭ ହେବ। ଯେଉଁ ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ସେମାନଙ୍କ ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ଆଡମିସନ କରାଇବାକୁ ଚାହୁଁଛନ୍ତି ଶିଶୁର ସର୍ବ ନିମ୍ନ ବୟସ ୬ ବର୍ଷ ହୋଇଥିବା ଆବଶ୍ୟକ।
ସବୁ ଶ୍ରେଣୀରେ ଆଡମିସନ ଲାଗି ବୟସ ଗଣନା ୩୧ ମାର୍ଚ୍ଚ ୨୦୨୫ ଅନୁସାରେ ହେବ। କେବଳ ଏକାଦଶକୁ ଛାଡି ଦ୍ୱିତୀୟ ଶ୍ରେଣୀରୁ ଉଚ୍ଚତର କକ୍ଷରେ ଆଡମିସନ ସିଟ୍ ଖାଲିଥିଲେ ହେବ। ଏହି ଆଡମିସନ ନିମନ୍ତେ ଆବେଦନ ପ୍ରକ୍ରିୟା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଅଫଲାଇନ ମୋଡରେ ହେବ। ଏଥି ପାଇଁ ଅଭିଭାବକ ପୂରଣ ହୋଇଥିବା ଫର୍ମକୁ ସମ୍ପର୍କିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟରେ ଜମା କରିବାକୁ ହେବ।
କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ ପାଇଁ ଅଭିଭାବକଙ୍କୁ ଶିଶୁର ଜନ୍ମପ୍ରମାଣ ପତ୍ର ସହିତ ସଂରକ୍ଷିତ ବର୍ଗର ହୋଇଥିଲେ ଜାତି ପ୍ରମାଣପତ୍ର ଅଭିଭାବକଙ୍କ ସେବା ପ୍ରମାଣପତ୍ର ସମେତ ପିଲାର ପାସପୋର୍ଟ ଆକାରର ଫଟୋ ଦେବାକୁ ପଡିବ। ବିନା ଆବଶ୍ୟକ ଡକ୍ୟୁମେଣ୍ଟରେ ଆବେଦନ ଅସ୍ୱୀକାର ହେବ।