ଜୟପୁର: ଚଳିତ ଆଇପିଏଲରେ ପୁଣି ଥରେ ଶେଷ ଓଭରରେ ୯ ରନ କରି ପାରିଲାନି ରାଜସ୍ଥାନ ରୟାଲ୍ସ। ଲକ୍ଷ୍ନୌ ସୁପର ଜାଏଣ୍ଟସ ଜୟପୁରରେ ଖେଳା ଯାଇଥିବା ଆଇପିଏଲର ରୋମାଞ୍ଚକର ମ୍ୟାଚ୍ରେ ବାଜି ମାରି ନେଇଛି। ଶେଷ ଓଭରରେ ଜିତିବାକୁ ୯ ରନ ଥିଲେ ହେଁ ଅଭେଶ ଖାନ ଶାଣିତ ବୋଲିଂ କରି ନିଜ ଦଳ ଲକ୍ଷ୍ନୌକୁ ୨ ରନରେ ଜିତାଇଛନ୍ତି। ଆଉ ରାଜସ୍ଥାନ ଜିତିବା ମ୍ୟାଚ୍କୁ ହାତଛଡ଼ା କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଦଳ ପକ୍ଷରୁ ଆଡନ ମାରକ୍ରମ ୬୬ ରନ ଓ ଆୟୁଷ ବାଦୋନି ୫୦ ରନ କରିଥିଲା। ଜବାବରେ ରାଜସ୍ଥାନ ପୁଣି ଥରେ ଭଲ ଆରମ୍ଭ କରି ହିଁ ଶେଷ ମୁହୂର୍ତ୍ତରେ ୫ ଓ୍ଵିକେଟ୍ ହରାଇ ୧୭୮ ରନ କରି ପାରିଛି। ଆଉ ଯଶସ୍ଵୀ ଜୟସ୍ଵାଲଙ୍କ ୭୪ ରନର ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ଅଭେଶ ଖାନ ୩ ଓ୍ଵିକେଟ୍ ନେଇ ଦଳକୁ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଲକ୍ଷ୍ନୌ ଅଷ୍ଟମ ମ୍ୟାଚ୍ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ଷଷ୍ଠ ପରାଜୟ ଭୋଗିଛି।
୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଦମଦାର ଆରମ୍ଭ ଦେଇଥିଲେ ଯଶସ୍ଵୀ ଜୟସ୍ଵାଲ ଓ ପ୍ରଥମ ପଦାର୍ପଣ ମ୍ୟାଚ୍ ଖେଳୁଥିବା ବିସ୍ମୟ ୧୪ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀ। ଦୁଇ ବ୍ୟାଟର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଓପନିଂରେ ୮୫ ରନ ଯୋଡ଼ି ବିଜୟର ମୂଳ ଦୁଆ ପକାଇଥିଲେ। ବିଶେଷ କରି ବୈଭବ ୨୦ ବଲରୁ ୩୪ ରନର ପ୍ରଭାବଶାଳୀ ଇନିଂସ ଖେଳିଥିଲେ। ଏହା ପରେ ନୀତିଶ ରାଣା ୮ ରନ କରିଥିଲେ। ଏହା ପରେ ଜୟସ୍ଵାଲ ଓ ରିୟାନ ପରାଗ ଦଳର ସ୍କୋରକୁ ୧୫୬ ରନରେ ପହଞ୍ଚାଇଥିଲେ। ଜୟସ୍ଵାଲ ଆଉ ଏକ ୭୪ ରନର ଦମଦାର ଇନିଂସ ଖେଳିଥିଲେ।
ଏକଦା ୧୭ ଓଭରରେ ୩ ଓ୍ଵିକେଟ୍ ହରାଇ ୧୫୬ କରିଥିଲା। ଶେଷ ୧୮ ବଲରେ ଦଳକୁ ୨୫ ରନ ଦରକାର ଥିଲା। ହେଲେ ଗତ ମ୍ୟାଚ୍ ଭଳି ରାଜସ୍ଥାନ ଚାପ ଗ୍ରସ୍ତ ହୋଇଥିଲା। ରିୟାନ ପରାଗ ୩୯ ରନ କରି ଆଉଟ୍ ହୋଇଥିଲେ। ପୁଣି ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ ଦରକାର ଥିଲା। ଆଉ କ୍ରିଜରେ ଥିଲେ ହେଟମାୟ ଓ ଧ୍ରୁବ ଜୁରେଲ। ତଥାପି ଦଳ ୫ ଓ୍ଵିକେଟ୍ରେ ୧୭୮ ରନରେ ଅଟକି ଥିଲା। ଅଭେଶ ଖାନ ଶେଷ ଓଭର ବୋଲିଂ କରି ଲକ୍ଷ୍ନୌକୁ ସ୍ମରଣୀୟ ବିଜୟ ଦେଇଛନ୍ତି।