କୋହଲି ଓ ପାଡିକଲଙ୍କ ଅର୍ଦ୍ଧଶତକ, ଦୁଇ ଦିନ ଭିତରେ ପଞ୍ଜାବକୁ ହରାଇ ପ୍ରତିଶୋଧ ନେଲା ବେଙ୍ଗାଲୁରୁ

Published By : Prameya-News7 Bureau | April 20, 2025 IST

ଚଣ୍ଡିଗଡ଼: ବୋଲରଙ୍କ ଶାଣିତ ବୋଲିଂ ପରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍‌ସକୁ ୭ ଓ୍ଵିକେଟ୍‌ରେ ହରାଇଛି। ଏଥିସହ ଦଳ ଦୁଇ ଦିନ ତଳେ ପଞ୍ଜାବଠୁ ହାରିଥିବା ପରାଜୟର ମଧୁର ପ୍ରତିଶୋଧ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୬ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଦଳର କୌଣସି ବ୍ୟାଟର ବଡ଼ ସ୍କୋର କରି ପାରି ନ ଥିଲେ। ଜବାବରେ ବେଙ୍ଗାଲୁରୁ ବିରାଟ କୋହଲିଙ୍କ ଅପରାଜିତ ୭୩ ରନ ଓ ପାଡିକଲଙ୍କ ୬୧ ରନ ବଳରେ ମ୍ୟାଚ୍‌କୁ ୧୮.୫ ଓଭରରେ ୩ ଓ୍ଵିକେଟ୍ ହରାଇ ଜିତି ନେଇଛି। ବେଙ୍ଗାଲୁରୁ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାରେ ତୃତୀୟକୁ ଉଠିଛି। ଅନ୍ୟପଟେ ପଞ୍ଜାବ ତୃତୀୟ ପରାଜୟ ଭୋଗିଛି। 

୧୫୮ ରନର  ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁକୁ ପ୍ରଥମ ଓଭରରେ ହିଁ ଫିଲିପ ସଲ୍ଟ(୧)ଙ୍କ ରୂପେ ଝଟକା ଲାଗିଥିଲା। ଏହା ପରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ଇନିଂସ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଆବଶ୍ୟକ ହାରରେ ରନ ସଂଗ୍ରହ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୦୩ ରନ ଯୋଡ଼ି ବେଙ୍ଗାଲୁରୁର ବିଜୟ ନିଶ୍ଚିତ କରିଥିଲେ। ପାଡିକଲ ୩୫ ବଲରୁ ୫ ଚୌକା ଓ ୪ ଛକା ସହ ୬୧ ରନ କରିଥିଲେ। ଏହା ପରେ ଅଧିନାୟକ ରଜତ ପାଟିଦାର ୧୨ ରନ କରି ଆଉଟ୍ ହୋଇଥିଲେ। ଦଳ ବିଜୟରେ ବାକି ଔପଚାରିକତା ପୂରା କରିଥିଲେ ବିରାଟ କୋହଲି। କୋହଲି ୫୪ ବଲରୁ ୭ ଚୌକା ଓ ୧ ଛକା ସହ ୭୩ ରନରେ ଅପରାଜିତ ଥିଲେ। ଜିତେଶ ଶର୍ମା ଦଳ ପାଇଁ ବିଜୟ ସୂଚକ ଛକା ମାରିଛନ୍ତି। ଉଲ୍ଲେଖନୀୟ ବେଙ୍ଗାଲୁରୁ ଏ ପର୍ଯ୍ୟନ୍ତ ଜିତିଥିବା ୫ଟି ମ୍ୟାଚ୍ ଅନ୍ୟ ଗ୍ରାଉଣ୍ଡରେ ଜିତିଥିବା ବେଳେ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ୩ଟି ମ୍ୟାଚ୍ ହାରିଛି। 

ପଞ୍ଜାବ ଇନିଂସ

ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଆରସିବିକୁ ୧୫୮ରନର ଟାର୍ଗେଟ ଦେଇଥିଲ । ତେବେ ଖେଳ ଆରମ୍ଭରୁ ଦୁଇ ଓପନର ପ୍ରଭସିମରନ୍ ଓ ପ୍ରିୟାଂଶ ଆର୍ଯ୍ୟ ପ୍ରହାର ଆରମ୍ଭ କରିଥିଲେ । ପାଞ୍ଚମ ଓଭରରେ ଦଳ ୪୨ ରନ୍ କରିଥିଲା । ହେଲେ କୃଣାଲ ପାଣ୍ଡ୍ୟା ଘାତକ ବୋଲିଂ କରି ଆରସିବିକୁ ପ୍ରଥମ ବ୍ରେକ୍ ଦେଇଥିଲେ । ସେ ପ୍ରିୟାଂଶ ଆର୍ଯ୍ୟଙ୍କୁ ୨୨ ରନ୍‌ରେ ଆଉଟ୍ କରିଥିଲେ । ପରେ ପ୍ରଭସିମରନଙ୍କୁ ୩୩ ରନରେ ଶିକାର କରିନେଇଥିଲେ । ଏହାପରେ ପଞ୍ଜାବର ବ୍ୟାଟିଂ ଲାଇନ-ଅପ୍ ତାସ୍‌ର ଘର ପରି ଭୁଶୁଡ଼ି ପଡ଼ିଥିଲା । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରରେ ଦଳ ୧୫୭ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.