ମୁମ୍ବାଇରେ ଦୁବେ-ଜାଡେଜାଙ୍କ ଜଲଓ୍ବା; ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୭୭ ଟାର୍ଗେଟ୍

Published By : Prameya-News7 Bureau | April 20, 2025 IST

ମୁମ୍ବାଇ: ଓ୍ବାଙ୍ଖଡେରେ ଦୁବେ ଓ ଜାଡେଜାଙ୍କ ଜଲଓ୍ବା । ମଧ୍ୟକ୍ରମରେ ଚେନ୍ନାଇକୁ ସମ୍ଭାଳିନେଲେ ଦୁଇ ଅଲରାଉଣ୍ଡର । ଅର୍ଦ୍ଧଶତକୀୟ ଇନିଂସ ଖେଳି ସିଏସକେକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଛନ୍ତି । ଶିବମ୍ ଦୁବେଙ୍କ ୫୦ ରନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୫୩ ରନ୍ ବଳରେ  ଚେନ୍ନାଇ ସୁପର କିଙ୍ଗିସ୍ ୧୭୬ ରନ୍ କରିବାରେ ସକ୍ଷମ ହୋଇଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୭୭ରନ୍‌ର ଟାର୍ଗେଟ୍ ରହିଛି । ଏମଆଇ ପକ୍ଷରୁ ଯଶପ୍ରୀତ୍ ବୁମରା ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।

ସୁପର ସନଡେର ଦ୍ବିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି । ଆଇପିଏଲର ଏହି ୩୮ ତମ ମ୍ୟାଚ୍ ଓ୍ବାଙ୍ଖଡେରେ ଖେଳାଯାଉଛି । ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ସିଏସକେ ଆମନ୍ତ୍ରଣ କରିଥିଲା । ତେବେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୭୬ ରନ୍ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆସି, ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ଓଭରରେ ପ୍ରଥମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରାଚିନ୍ ରବିନ୍ଦ୍ର ୯ ବଲ୍‌ରେ ୫ ରନ୍ କରି ଆଉଟ୍ ହୋଇଥିଲେ। ଅଶ୍ୱିନୀ କୁମାର ତାଙ୍କୁ ଆଉଟ୍ କରିଥିଲେ । ପରେ ଦୀପକ ଚହର ଆୟୁଷ ମହାତ୍ରେଙ୍କୁ ପାଭିଲିୟନକୁ ଫେରିଥିଲେ । ସେ ୧୫ ବଲ୍‌ରେ ୩୨ ରନ୍ କରିଥିଲେ । ରସିଦ୍ ୨୦ ବଲ୍‌ରେ ମନ୍ଥର ଖେଳ ଖେଳି ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ । ଚେନ୍ନାଇ ବ୍ୟାଟିଂ ଲାଇନ୍-ଅପ୍ ଭୁଶୁଡ଼ି ପଡ଼ୁଥିବା ବେଳେ ଶିବମ୍ ଦୁବେ ଓ ରବିନ୍ଦ୍ର ଜାଡେଜା ଖେଳକୁ ବଞ୍ଚାଇ ନେଇଥିଲେ । 

ଶିବମ୍ ଦୁବେ ୩୨ ବଲ୍‌ ଖେଳି ୫୦ ରନ୍ କରିଥିଲେ । ଦୁବେ ଏବଂ ଜାଡେଜାଙ୍କ ମଧ୍ୟରେ ଚତୁର୍ଥ ୱିକେଟରେ ୭୯ ରନର ଭାଗୀଦାରି ହୋଇଥିଲା । ଏହାପରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ ଧୋନି ୬ ବଲ୍ ରେ ମାତ୍ର ୪ ରନ୍ କରିପାରିଥିଲେ । ରବିନ୍ଦ୍ର ଜାଡେଜା ଶେଷ ପର୍ଯ୍ୟନ୍ତ ରହି ୩୫ ବଲରୁ ଅପରାଜିତ ୫୩ ରନ୍ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ୪ ଓଭରରେ ୨୫ ରନ ଦେଇ ୨ଟି ୱିକେଟ୍ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.