କୋଟି କୋଟି ଟଙ୍କାରେ ବିକ୍ରି, ଖେଳ କିନ୍ତୁ ଶୂନ; ଚାଲୁନି ବ୍ୟାଟ୍, ପ୍ରଦର୍ଶନ ଫିକା, ଜାଣନ୍ତୁ ଆଇପିଏଲ୍‌ରେ କିଏ ଏହି ଫ୍ଲପ୍ ଫାଇଭ୍ ଫ୍ଲେୟାର

Published By : Prameya-News7 Bureau | April 19, 2025 IST

ମୁମ୍ବାଇ; ଆଇପିଏଲ୍‌ରେ ଫ୍ଲପ୍ ଫାଇଭ୍ ଫ୍ଲେୟାର । ମୋଟା ଅଙ୍କରେ ବିକ୍ରି, ଖେଳ କିନ୍ତୁ ଶୂନ । ଚାଲୁନି ବ୍ୟାଟ୍, ପ୍ରଦର୍ଶନ ଫିକା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଜାରି ରହିଛି । ୧୮ତମ ସଂସ୍କରଣରେ ଏବେ ପିକ୍‌ରେ ରହିଛି । ହେଲେ କିଛି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ଲାଗିଲାଣି । ବାରମ୍ବାର ଫ୍ଲପ୍ ହେଉଛନ୍ତି, ନିଲାମୀ ପ୍ରକ୍ରିୟାରେ ମୋଟା ଅଙ୍କରେ ବିକ୍ରି ହୋଇଥିବା ପାଞ୍ଚ ଖେଳାଳି । ଗତ ଆଇପିଏଲ୍‌ରେ ଗର୍ଜୁଥିବା ଏମାନଙ୍କ ବ୍ୟାଟ୍ ଏବେ ନିରବୀ ପଡ଼ିଛି । ଫଳରେ ଟିମ୍‌ର ସନ୍ତୁଳନ ବିଗିଡ଼ି ଯାଇଥିବା ବେଳେ ଏହାକୁ ନେଇ ଚିନ୍ତାରେ ରହିଛି ଫ୍ରାଞ୍ଚାଇଜ୍ ।

କିଏ ଏହି ପାଞ୍ଚ ଖେଳାଳି ? କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ପରେ ବି ପ୍ରଦର୍ଶନ ଜିରୋ । ଆଇପିଏଲ୍ ଅଧା ହେଲାଣି, ହେଲେ ଜାରି ରହିଛି ଫ୍ଲପ୍ ଶୋ’। ଲିଷ୍ଟରେ ରହିଛନ୍ତି, ରିଷଭ ପନ୍ତ, ରୋହିତ ଶର୍ମା, ଭେଙ୍କଟେଶ୍ ଆୟର, ଗ୍ଲେନ୍ ମାକ୍ସଓ୍ବେଲ୍ ଓ ମାର୍କସ ଷ୍ଟୋନିସ୍ । ଏମାନଙ୍କ ଭିତରେ ପ୍ରଥମ ସ୍ଥାନରେ ରହିଛନ୍ତି ଆଇପିଏଲ୍ ଇତିହାସରେ ସବୁଠୁ ଦାମିକା ଖେଳାଳି ରିଷଭ ପନ୍ତ । ଲକ୍ଷ୍ନୌ ସୁପରି ଜାଏଣ୍ଟସର ତାଙ୍କୁ ୨୭ କୋଟି ଟଙ୍କାରେ କିଣି ଅଧିନାୟକ କରିଛି, ହେଲେ ସେ ସୁପର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ବ୍ୟାଟ୍ ତାଙ୍କର ଗର୍ଜନ କରିବା ବନ୍ଦ କରିଦେଇଛି । ମୋଟ୍ ୮ଟି ମ୍ୟାଚ୍‌ରୁ ପନ୍ତ ୧୭.୧୭ ହାରରେ ୧୦୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ରହିଛି । ଏଲଏସଜି ବାରମ୍ବାର ହାରୁଥିବାରୁ ତାଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଫ୍ଲପ୍ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭେଙ୍କଟସ୍ ଆୟର । ଏହି ଧୁରନ୍ଧର ବ୍ୟାଟରଙ୍କୁ ଶାହାରୁଫ୍ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ୨୩.୭୫ କୋଟି ଟଙ୍କାରେ କିଣିଛି । ହେଲେ ଆଇପିଏଲରେ ଆୟର ଏଯାଏଁ ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇଛନ୍ତି । ବାମହାତୀ ବ୍ୟାଟରଙ୍କ ବ୍ୟାଟ୍ ଚଳିତ ସିଜିନରେ ଶାନ୍ତ ପଡ଼ିଛି । ୭ଟି ମ୍ୟାଚରୁ ସେ ୨୪.୫ ହାରରେ ୧୨୧ରନ୍ ସଂଗ୍ରହ କରିଛନ୍ତି । ଏ ବର୍ଷ ସାନ୍ ରାଇଜର୍ସ ହାଇଦ୍ରାବାଦ ବିରୋଧରେ ସର୍ବାଧିକ ୬୦ ରନ୍‌ର ପାଳି ଖେଳିଛନ୍ତି । ଫଳରେ ଡିଫେଣ୍ଡି ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସର ବିଜୟ ରଥ ମନ୍ଥର ଗତିରେ ଚାଲୁଛି । 

ଆଇପିଏଲର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ୍ ଶର୍ମା ।  ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୋଟା ଅଙ୍କରେ ରିଟେନ୍ ରଖିଛି, ହେଲେ ବାରମ୍ବାର ସେ ଫ୍ଳପ୍ । ଏମଆଇକୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ଏହି ଦୁର୍ଦ୍ଧଶ ଓପନରଙ୍କ ବ୍ୟାଟ୍ ଏଥର ନିରବ ରହିଛି । ବର୍ତ୍ତମାନ ସୁଦ୍ଧା ରୋହିତ୍ ୬ଟି ମ୍ୟାଚ୍ ଖେଳି ମାତ୍ର ୮୨ ରନ୍ କରିଛନ୍ତି । ଏଥିରେ ସର୍ବାଧିକ ସ୍କୋର ୨୬ ରନ୍ ରହିଛି । ଲିଗ୍ ପର୍ଯ୍ୟାୟରେ ଆଗକୁ ଆହୁରି ଅନେକ ମ୍ୟାଚ୍ ରହିଥିବାରୁ ହିଟ୍ ମ୍ୟାନଙ୍କ ଶୋ’ ଚାଲିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଆଇପିଏଲର ଆଉ ଏକ ବଡ଼ ଚେହେରା ହେଉଛନ୍ତି ଅଷ୍ଟ୍ରେଲିଆର ଧୁରନ୍ଧର ଖେଳାଳି ଗ୍ଲେନ୍ ମ୍ୟାକ୍ସଓ୍ବେଲ୍ । ରୟାଲ ଚ୍ୟାଲେଞ୍ଜର୍ସ ତାଙ୍କୁ ରିଲିଜ୍ କରିବା ପରେ ଚଳିତ ସିଜିନରେ ପଞ୍ଜାବ କିଙ୍ଗସ୍ ତାଙ୍କୁ ନିଜ ଦଳରେ ସାମିଲ୍ କରିଛି । ହେଲେ ମ୍ୟାକ୍ସ ଜଲଓ୍ବା ଦେଖିବାକୁ ମିଳୁନାହିଁ । ୪.୨ କୋଟି ଟଙ୍କାରେ ବିକ୍ରି ହୋଇଥିବା ଏହି ହାର୍ଡ ହିଟରଙ୍କ ଫ୍ଲପ୍ ଶୋ’ ଜାରି ରହିଛି । ୬ଟି ମ୍ୟାଚରୁ ସେ ୮.୨୦ ହାରରେ ମାତ୍ର ୪୧ ରନ୍ କରିଛନ୍ତି । 

ସେହିପରି ପଞ୍ଜାବ କିଙ୍ଗସ୍ ର ଅନ୍ୟ ଏକ ଫ୍ଲପ୍ ପ୍ଲେୟାର ହେଲେ ମାର୍କସ ଷ୍ଟୋନିସ୍ । ଫ୍ରାଞ୍ଚାଇଜ୍ ତାଙ୍କୁ ୧୧ କୋଟି ଟଙ୍କାରେ କିଣିଛି । ମାତ୍ର ଚଳିତ ସିଜିନ୍ ସେ ଫିକା ପଡ଼ିଛନ୍ତି । ୬ଟି ମ୍ୟାଚରୁ ମାତ୍ର ୬୬ ରନ୍ କରିଛନ୍ତି । ତେବେ ଆଇପିଏଲର ଏହି ପାଞ୍ଚ ଖେଳାଳି ମୋଟା ଅଙ୍କରେ କିଣା ହୋଇଥିଲେ ମଧ୍ୟ ବ୍ୟାଟ୍ ତାଙ୍କର ପ୍ରଭାବଶୂନ୍ୟ ହୋଇଛି । ଯାହାକୁ ନେଇ ଫ୍ରାଞ୍ଚାଇଜଙ୍କ ଠାରୁ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ  ସମସ୍ତେ ଚିନ୍ତାରେ ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.