୧୨୦,୦୦୦ ସବୁଜ ରଙ୍ଗର ଇଗୁଆନା ମାରିବ ତାଇୱାନ: ପରିବେଶ ସନ୍ତୁଳନ ମୁଖ୍ୟ କାରଣ

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ: ପ୍ରକୃତି ପ୍ରେମୀଙ୍କ ପାଇଁ ଦୁଃଖ ଖବର। ୧ ଲକ୍ଷ ୨୦ ହଜାର ସବୁଜ ରଙ୍ଗର ଇଗୁଆନା ମାରିବେ ତାଇୱାନ ସରକାର। ଏନେଇ ସ୍ଥାନୀୟ ସରକାର ଜନସାଧାରଣଙ୍କୁ ଇଗୁଆନା ବସା ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ମାଛ ଧରିବା ପାଇଁ ବ୍ୟବହାର ହେଉଥିବା ବର୍ଚ୍ଛାକୁ ବ୍ୟବହାର କରି ଇଗୁଆନାଙ୍କୁ ମାରିବା ସବୁଠାରୁ ଭଲ ଉପାୟ ହେବ ବୋଲି ତାଇୱାନ ସରକାର ସୁପାରିଶ କରିଛନ୍ତି।

ତାଇୱାନର ବନ ଏବଂ ପ୍ରକୃତି ସଂରକ୍ଷଣ ଏଜେନ୍ସିର ସୂଚନା ଅନୁସାର, ପ୍ରାୟ ୨୦୦,୦୦୦ ସରୀସୃପ ତାଇୱନର ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ରହୁଛନ୍ତି। ଏହି ଅଞ୍ଚଳଗୁଡ଼ିକ ଅଧିକ ମାତ୍ରାରେ କୃଷି ଉପରେ ନିର୍ଭରଶୀଳ। ହେଲେ ଏଠାରେ ଇଗୁଆନାଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏମାନେ ଚାଷ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି। 

ଇଗୁଆନା ମୁଖ୍ୟତ ଫଳ, ପତ୍ର ଓ ଚାରାଗଛ ଖାଇ ବଞ୍ଚୁଥିବାରୁ ଏମାନେ ଫସଲ ନଷ୍ଟ କରିଦେଉଛନ୍ତି। ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଉଛି। ତେଣୁ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ସରକାର ଇଗୁଆନାଙ୍କୁ ମାରିବାକୁ ଯୋଜନା କରିଛନ୍ତି। ଗତ ବର୍ଷ ବି ତାଇୱାନ ସରକାର ୭୦ ହଜାର ଇଗୁଆନା ମାରିଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିଯୁକ୍ତ କରାଯାଇଥିଲା। ପ୍ରତ୍ୟେକଙ୍କୁ ୧୫ ଆମେରିକୀୟ ଡଲାର ପର୍ଯ୍ୟନ୍ତ ପୁରସ୍କାର ଦିଆଯାଇଥିଲା।

ଏନେଇ ଦକ୍ଷିଣାଞ୍ଚଳ ଜିଲ୍ଲା ପିଙ୍ଗଟୁଙ୍ଗ କୃଷି ବିଭାଗର ଲି ଚି-ୟା କହିଛନ୍ତି "ବହୁତ ଲୋକ ଏମାନଙ୍କୁ ସୁନ୍ଦର ଛୋଟ ପୋଷା ପ୍ରାଣୀ ଭାବରେ କିଣିଥିଲେ, ସେମାନେ ଜାଣି ନ ଥିଲେ ଯେ ଏମାନେ କେତେ ବଡ଼ ଏବଂ ଦୀର୍ଘଜୀବୀ ହେବେ, ତେଣୁ ସେମାନେ ଏମାନଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ। ବର୍ତ୍ତମାନ ଏମାନେ ତାଇୱାନର ପ୍ରାକୃତିକ ପରିବେଶରେ ମିଶି ଯାଇଛନ୍ତି। ଉତ୍ତମ ପରିବେଶ ପାଇବା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ପାଇଛି। ପରିବେଶ ସନ୍ତୁଳନ କରିବା ପାଇଁ ହେଲେ ଆମକୁ ଇଗୁଆନାଙ୍କୁ ମାରିବାକୁ ପଡ଼ିବ।" 

ବଡ଼ କଥା ହେଲା ତାଇୱାନରେ ସବୁଜ ଇଗୁଆନାମାନଙ୍କର କୌଣସି ପ୍ରାକୃତିକ ଶିକାରୀ ନାହାଁନ୍ତି। ତା ଛଡ଼ା ସେମାନେ ଏପରି ଅଞ୍ଚଳକୁ ଚାଲିଯାଇଛନ୍ତି ଯେଉଁଠାକୁ ଅନ୍ୟ ପ୍ରାକୃତିକ ଶିକାରୀ ଯିବା କଷ୍ଟକର। ଏମାନେ ମୁଖ୍ୟତଃ ଜଙ୍ଗଲ ଓ ସହର ଉପକଣ୍ଠରେ ଲୁଚି ରହୁଛନ୍ତି।

ଇଗୁଆନା ଶାରୀରିକ ଗଠନ ଦେଖିଲେ ଏମାନେ ୬.୬ ଫୁଟ ଲମ୍ବ ହୋଇଥାନ୍ତି। ଓଜନ ୫ କେଜି ହୋଇଥିବା ବେଳେ ମାନେ ୨୦ ବର୍ଷ ବଞ୍ଚି ପାରନ୍ତି। ମାଈ ଇଗୁଆନା ଥରକେ ୮୦ରୁ ଅଧିକ ଅଣ୍ଡା ଦେଇପାରେ। ଏତେ ଅଣ୍ଡା ଦେଉଥିବାରୁ ତାଇୱାନ୍‌ରେ ଏମାନଙ୍କ ସଂଖ୍ୟା ପ୍ରଚୁର ମାତ୍ରାରେ ବଢ଼ି ଯାଇଛି। 

ଇଗୁଆନା ମୂଳତଃ ଏମାନେ କେନ୍ଦ୍ର ଆମେରିକା ଏବଂ କେରିୟାନ ଦେଶଗୁଡ଼ିକରେ ଦେଖା ଯାଇଥାଏ। ଏମାନଙ୍କର ଶକ୍ତ ଲାଞ୍ଚ ଓ ମୁନିଆ ଦାନ୍ତ ଥିବା ସତ୍ତ୍ୱେ ଏମାନେ ଆକ୍ରମଣକାରୀ ହୋଇ ନଥାନ୍ତି। ସାନ୍ତ ସ୍ୱଭାବର ହୋଇଥିବା କାରଣରୁ ଲୋକେ ଘରେ ଏହାକୁ ପାଳିବାକୁ ପସନ୍ଦ କରନ୍ତି। ହେଲେ ଘରେ ପାଳିଲେ ଏମାନେ ବେଶି ଦିନ ବନ୍ଦୀ ଜୀବନ କାଟିପାରନ୍ତି ନାହିଁ। ବର୍ଷକ ଭିତରେ ମରି ଯାଆନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.