ପ୍ରୟାଗରାଜ ୨୪।୧: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ପୁଣି ଏବେ ଚର୍ଚ୍ଚାରେ। ନିକଟରେ ଭାରତ ଫେରିଥିବା ମମତା ପ୍ରୟାଗରାଜ ଆସି ମହାକୁମ୍ଭରେ ଯୋଗ ଦେଇଛନ୍ତି। ସେ କେବଳ କୁମ୍ଭରେ ଯୋଗ ଦେଇ ନାହାନ୍ତି ସନ୍ୟାସ ଦିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି। ସନ୍ୟାସ ଗ୍ରହଣ ପରେ ଅଭିନେତ୍ରୀଙ୍କ ନୂଆ ନାମକରଣ ମଧ୍ୟ ହୋଇଛି। ପ୍ରୟାଗରାଜରେ ମମତା କୁଲକର୍ଣ୍ଣିଙ୍କ ପଟ୍ଟାଭିଷେକ ପରେ ନୂଆ ନାମରେ ପରିଚିତ ହେବେ।
ସନ୍ୟାସିନୀ ହେବା ପରେ ମମତା କୁଲକର୍ଣ୍ଣି କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହେବେ। ସନ୍ୟାସ ଗ୍ରହଣ କରିବା ପାଇଁ ମମତା ସଙ୍ଗମ କୂଳରେ ନିଜ ହାତରେ ପିଣ୍ଡଦାନ କରିଛନ୍ତି। ମମତା କୁଲକର୍ଣ୍ଣି ଯାହାଙ୍କୁ ଏବେ ୟାମାୟୀ ମମତାନନ୍ଦ ଗିରି ଭାବେ ଜଣାଯିବ ସେ ଜୁନା ଆଖଡାର ଆଚାର୍ଯ୍ୟ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମମତା କୁମ୍ଭରେ କିନ୍ନର ଆଖଡାରେ ରୁହାରୁହି କରୁଛନ୍ତି। ସେ ସନ୍ୟାସ ଗ୍ରହଣ କରିବା ପରେ ଗୈରିକ ବସ୍ତ୍ର ମଧ୍ୟ ଧାରଣ କରିଛନ୍ତି।
୧୯୯୨ ମସିହାରେ ଫିଲ୍ମ ‘ତ୍ରିରଙ୍ଗା’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ମମତା ତାଙ୍କ ସମୟରେ ଅନୁନ୍ୟ ୪୦ଟି ଫିଲ୍ମରେ କାମ କରିଛନ୍ତି। ୨୦୦୧ ମସିହାରେ ଆସିଥିବା ଫିଲ୍ମ ‘ଛୁପା ରୁସ୍ତମ’ ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ଥିଲା। ୨୦୦୨ ମସିହାରେ ସେ ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ଛାଡି କେନ୍ୟା ଚାଲିଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ମମତା ହିନ୍ଦୀ ଫିଲ୍ମ ବ୍ୟତୀତ କନ୍ନଡ, ତାମିଲ, ତେଲଗୁ ଓ ବଙ୍ଗଳା ଭାଷାର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ମମତା ନିକଟରେ ଭାରତ ଫେରିଛନ୍ତି।
ତେବେ ଏତେ ବର୍ଷ ଧରି ଅଭିନେତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନରେ ମୋର ଭାରତ ଛାଡିବାର କାରଣ ଆଧ୍ୟାତ୍ମ ଥିଲା ବୋଲି କହିଛନ୍ତି। ୧୯୯୬ ମସିହାରେ ଆଧ୍ୟାତ୍ମ ପ୍ରତି ତାଙ୍କର ଆକର୍ଷଣ ବଢିଥିଲା। ଏହି ସମୟରେ ତାଙ୍କର ସାକ୍ଷାତ ଗୁରୁ ଗଗନ ଗିରି ମହାରାଜଙ୍କ ସହିତ ହୋଇଥିଲା। ଏହା ପରଠାରୁ ଆଧ୍ୟାତ୍ମ୍ୟ ପ୍ରତି ଋଚି ଅଧିକ ବଢିବାରେ ଲାଗିଥିଲା ଓ ଏହି ସମୟରେ ସେ ଦୀର୍ଘ ୧୨ ବର୍ଷ ଧରି ବ୍ରହ୍ମଚର୍ଯ୍ୟା ପାଳନ କରିଥିଲେ ବୋଲି କହିଛନ୍ତି।