ନୂଆଦିଲ୍ଲୀ ୨୩।୧: ଓସ୍କାର-୨୦୨୫ ନିମନ୍ତେ ଗୁରୁବାର ନୋମିନେସନ ହୋଇଛି। ଏଥିରେ ପୁଣି ଥରେ ଭାରତକୁ ପ୍ରତିନିଧିତ୍ୱ ମିଳିବାକୁ ଯାଉଛି। କାରଣ ଗୁନିତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ଅନୁଜା’କୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ କ୍ୟାଟଗରୀରେ ନୋମିନେସନ ମିଳିଛି। କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡିଜ୍’କୁ ମଧ୍ୟ ଓସ୍କାର-୨୦୨୫ ନିମନ୍ତେ ପଠାଯାଇଥିଲା, ତେବେ ଏହି ଫିଲ୍ମ ନୋମିନେସନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ।
ଗୁନିତ ମୋଙ୍ଗା ଓସ୍କାର-୨୦୨୫ ନୋମିନେସନ ପୂର୍ବରୁ ଅନୁଜା ଟିମ୍ ସହିତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଛବି ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ ‘ଓସ୍କାର ନୋମିନେସନର କିଛି ଘଣ୍ଟା ପୂର୍ବରୁ ଟିମ ‘ଅନୁଜା’ ସହିତ’। ଚଳଚିତ୍ର ସମ୍ପର୍କରେ କହିବାକୁ ଯାଇ ଗୁନିତ ମୋଙ୍ଗା ଲେଖିଛନ୍ତି ଯେ ‘ଅନୁଜା ଏକ ସୁନ୍ଦର ତଥା ମନକୁ ଛୁଇଁବା ଭଳି ଫିଲ୍ମ, ଏହି ଟିମ୍ ବିନା ଏହି ଯାତ୍ରା ସମ୍ଭବ ହୋଇ ନଥାନ୍ତା’।
#AnujaTheFilm is headed to the Oscars!
— Guneet Monga Kapoor (@guneetm) January 23, 2025
Incredibly honoured for this nomination at the 97th Oscars. It is a privilege to share the story of Anuja, representing the work of Salaam Baalak Trust India. #Oscars2025 pic.twitter.com/VDdqXdNoPy
ଗୁନିତ ମୋଙ୍ଗା ଏହା ପୂର୍ବରୁ ୨୦୨୩ରେ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍ପର୍ସ’ ଲାଗି ଓସ୍କାର ପୁରସ୍କାର ଜିତିଛନ୍ତି। ଏଡମ ଜେ.ଗ୍ରିବସ୍ ନିର୍ଦ୍ଦେଶିତ ‘ଅନୁଜା’ ଦୁଇ ଭଉଣୀଙ୍କ କାହାଣୀ, ଯେଉଁମାନେ ଶୋଷଣ ଓ ବହିଷ୍କାରର ଦୁନିଆରେ ଖୁସି ଏବଂ ଅବସର ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହି ଫିଲ୍ମକୁ ସୂଚୀତ୍ରା ମଟ୍ଟଇ, ମିଣ୍ଡି କଲିଂ, ଗୁନିତ ମୋଙ୍ଗା କପୁର, କୃଷ୍ଣ ନାୟକ, ଆରୋନ କୋପ, ଦେଭାନନ୍ଦ ଗ୍ରେବସ୍, ମାଇକେଲ ଗ୍ରେବସ୍, କ୍ଷିତିଜ ସୈନୀ ଓ ଆଲେକଜାଣ୍ଡ୍ରା ବ୍ଲାନୀ ମିଳିତ ସମର୍ଥନ କରିଛନ୍ତି।
ପ୍ରିୟଙ୍କା ଚୋପ୍ରା ଜୋନାସ ଓ ଅନିତା ଭାଟିଆ ଫିଲ୍ମର କାର୍ଯ୍ୟକାରୀ ନିର୍ମାତା ଅଟନ୍ତି। ନିକଟରେ ନେଟଫ୍ଲିକ୍ସ ଏହି ଫିଲ୍ମ ଖୁବଶୀଘ୍ର ପ୍ଲାଟଫର୍ମରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛି। ୨୦୨୫ ଓସ୍କାର ପୁରସ୍କାର ଲାଗି ନାମାଙ୍କନ ସୂଚୀ ଜାରି କରାଯାଇଛି।