ନୂଆଦିଲ୍ଲୀ ୨୩।୧: ଯୌନ ସମ୍ପର୍କ ସମ୍ବଦ୍ଧିତ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯୌନ ସମ୍ପର୍କ ସ୍ଥାପନା ଲାଗି ସହମତିର ଅର୍ଥ ନୁହେଁ କୌଣସି ପ୍ରକାର ବ୍ୟକ୍ତିଗତ କ୍ଷଣର ରେକର୍ଡ କରିବା ଓ ସୋସିଆଲ ମିଡିଆରେ ସେୟାର କରିବାର ଅନୁମତି। ଦୁଷ୍କର୍ମ ଅଭିଯୁକ୍ତର ଜାମିନ ନିବେଦନକୁ ଖାରଜ କରି କୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା କହିଛନ୍ତି ଯେ ଯୌନ ସମ୍ପର୍କ ଲାଗି ସହମତିର ଅର୍ଥ ନୁହେଁ କୌଣସି ବ୍ୟକ୍ତି ନିଜ ବ୍ୟକ୍ତିଗତ କ୍ଷଣର ଦୂରୁପଯୋଗ ବା ଶୋଷଣର ଅନୁମତି ଦେବା।
କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସହମତିର ସୀମା କେବଳ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ସୀମିତ ଓ ଏହାର ବ୍ୟବହାର କାହାର ବ୍ୟକ୍ତିଗତ କ୍ଷଣକୁ ସାର୍ବଜନିକ କରାଯାଇ ପାରିବ ନାହିଁ। ଅଭିଯୋଗକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତ ବିଶ୍ୱାସ ଜିତି ଏକ ଆପତ୍ତିଜନକ ଭିଡିଓ ରେକର୍ଡ କରିଥିଲା ଓ ପରେ ଏହି ଭିଡିଓ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା। ଅଭିଯୋଗକାରୀ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଭିଡିଓ ଉପଯୋଗ କରି ଦୁଇ ଦିନ ପର୍ଯ୍ୟନ୍ତ ଯୌନ ସମ୍ପର୍କ ସ୍ଥାପନା ନିମନ୍ତେ ବାଧ୍ୟ କରିଥିଲା। ଅଭିଯୁକ୍ତ ଏହି ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବ ବୋଲି ଧମକ ଦେବା ସହ କଥିତ ରୂପେ କିଛି ସାମଗ୍ରୀ ପୋଷ୍ଟ ମଧ୍ୟ କରିଥିଲା।
ତେବେ କୋର୍ଟ କହିଛନ୍ତି ଯେ ପ୍ରାରମ୍ଭିକ ସମ୍ପର୍କ ଯଦିଓ ସହମତିରେ ହୋଇଥିଲା ହେଲେ ପରେ ଅଭିଯୁକ୍ତର କାର୍ଯ୍ୟ ବ୍ଲାକମେଲର ଓ ଜୋର ଜବରଦସ୍ତ ଶ୍ରେଣୀର ହୋଇଥିଲା, ଯାହା କୌଣସି ପରିସ୍ଥିତିରେ ମଧ୍ୟ ସ୍ୱୀକାରଯୋଗ୍ୟ ନୁହେଁ ଯେ ଜଣେ ବ୍ୟକ୍ତି ଅନ୍ୟ ଜଣକର ଦୁର୍ବଳତା ଓ ଗାରିମାର ଫାଇଦା ହାସଲ କରେ। ଅଭିଯୁକ୍ତ ଦାବି କରିଛି ଯେ ମହିଳା ନିଜ ବୈବାହିକ ସ୍ଥିତି ପେଷାଦାରୀ ପୃଷ୍ଠଭୂମି କାରଣରୁ ପରିପକ୍ୱ ଥିଲା ଓ ନିଜ ନିଷ୍ପତ୍ତି ନିଜେ ନେଇ ପାରୁଥିଲା। ତେବେ କୋର୍ଟ ଏହି ତର୍କକୁ ଅଗ୍ରାହ୍ୟ କରି କହିଛନ୍ତି ଯେ କାହାର ବୈବାହିକ ସ୍ଥିତି ଓ ଚାକିରୀ ତାଙ୍କ ଗାରିମା ଉଲ୍ଲଂଘନ କରିବାର ଆଧାର ହୋଇ ନପାରେ।
କୋର୍ଟଙ୍କ ଏହି ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହେଉଛି ଯେ ସହମତିର ଅର୍ଥ ସୀମିତ ଓ କୌଣସି ବ୍ୟକ୍ତିଗତ କ୍ଷଣର ଦୂରୁପଯୋଗ ଓ ବ୍ଲାକ୍ ମେଲ ଆଇନଗତ ଏବଂ ନୈତିକ ଉଭୟ ଦୃଷ୍ଟିରୁ ଭୁଲ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୌଣସି ବ୍ୟକ୍ତିର ପୃଷ୍ଠଭୂମି ଓ ତାର କାମଧନ୍ଦାକୁ ଅସ୍ତ୍ର କରି ତା ବିରୋଧରେ ଅପରାଧକୁ ଉପଯୁକ୍ତ କହିବା ସ୍ୱୀକାରଯୋଗ୍ୟ ନୁହେଁ।