ନୂଆଦିଲ୍ଲୀ: ୬୫ ଲକ୍ଷ ପେନ୍ସନ୍ଭୋଗୀଙ୍କ ପାଇଁ ଖୁସିଖବର । ୮ମ ବେତନ ଆୟୋଗ (ସିପିସି) ଘୋଷଣା କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ମଧ୍ୟରେ ଆଶା ବଢିଛି । ଏହି ବେତନ ଆୟୋଗ ୨୦୨୬ ଜାନୁଆରୀ ୧ରୁ ଲାଗୁ ହେବ ଏବଂ ଏହାଦ୍ୱାରା ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନର୍ସଙ୍କୁ ସିଧା ଲାଭ ମିଳିବ । ରିପୋର୍ଟ ଅନୁସାରେ ଚଳିତଥର ଫିଟ୍ମେଣ୍ଟ ଫ୍ୟାକ୍ଟର ୨.୮୬ ହେବାର ସମ୍ଭାବନା ରହିଛି । ଯାହାପରେ ପେନ୍ସନ୍ ଟଙ୍କାରେ ବଡ଼ ବୃଦ୍ଧି ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ବେସିକ୍ ପେନ୍ସନ୍ ୯ ହଜାର ଟଙ୍କା ରହିଥିବା ବେଳେ ଏହା ବଢି ୨୫,୭୪୦ ଟଙ୍କା ହୋଇଯିବ ।
ସପ୍ତମ ବେତନ ଆୟୋଗକୁ ୨୦୧୬ ମସିହାରେ ଲାଗୁ କରାଯାଇଥିଲା । ଏହା ଅଧିନରେ କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ପେନ୍ସନ୍ ୯ ହଜାର ଟଙ୍କା ସ୍ଥିର କରାଯାଇଥିଲା । ଅନ୍ୟପଟେ ସର୍ବାଧିକ ମାସିକ ପେନ୍ସନ୍କୁ ୧,୨୫,୦୦୦ ଟଙ୍କା ଯାଏ ରଖାଯାଇଥିଲା । ଅନ୍ୟପଟେ ଡିଅର୍ନେସ୍ ରିଲିଫ୍ ପେନ୍ସନ୍ଭୋଗୀଙ୍କୁ ମହାଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାରେ ବଡ଼ ଭୂମିକା ଗ୍ରହଣ କରୁଛି । ବର୍ତ୍ତମାନ ସମୟରେ ଡିଆର୍ ବେସିକ୍ ପେନ୍ସନ୍ର ୫୩ ପ୍ରତିଶତ ରହିଛି ।
ପେନସନ୍ ଏବଂ ଦରମା ବୃଦ୍ଧି ସ୍ଥିର କରିବାର ମୁଖ୍ୟ କାରକ ହେଉଛି ଫିଟ୍ମେଣ୍ଟ ଫ୍ୟାକ୍ଟର । ସପ୍ତମ ବେତନ ଆୟୋଗ ୨.୫୭ର ଫିଟ୍ନେଟ୍ ଗ୍ରହଣ କରିଥିଲା । ଅନ୍ୟପଟେ ୮ମ ବେତନ ଆୟୋଗ ପାଇଁ ପ୍ରସ୍ତାବିତ ୨.୮୬ ଫିଟ୍ମେଣ୍ଟ ଫ୍ୟାକ୍ଟରରେ ଅଧିକ ବୃଦ୍ଧି ନେଇ ଆଶା କରାଯାଉଛି । ଯଦି ଏହି ଫିଟ୍ନେଟ୍ ଫ୍ୟାକ୍ଟର ଲାଗୁ ହୁଏ ତେବେ, ସର୍ବନିମ୍ନ ପେନ୍ସନ୍ ୧୮୬ ପ୍ରତିଶତ ବଢି ୯ ହଜାର ଟଙ୍କାରୁ ୨୫,୭୪୦ ଟଙ୍କା ହୋଇଯିବ । ସେହିପରି ସର୍ବାଧିକ ପେନସନ ୧,୨୫,୦୦୦ ଟଙ୍କାରୁ ବଢି ୩,୫୭,୫୦୦ ଟଙ୍କା ହୋଇଯିବ ।