ଆଦାନୀ ଗ୍ରୁପକୁ ପୁଣି ଲାଗିଲା ଝଟକା, ପାଓ୍ବାର ପର୍ଚେଜ ଆଗ୍ରିମେଣ୍ଟ ରଦ୍ଦ କଲେ ଶ୍ରୀଲଙ୍କା ସରକାର

Published By : Prameya-News7 Bureau | January 24, 2025 IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ସହ ବିଜୁଳି କିଣାକୁ ନେଇ କରାଯାଇଥିବା ବୁଝାମଣାକୁ ରଦ୍ଦ କରିଛନ୍ତି ଶ୍ରୀଲଙ୍କା ସରକାର। ଗତ ବର୍ଷ ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାରେ ଯେଉଁ ଦୁର୍ନୀତି ଅଭିଯୋଗ ଲାଗିଥିଲା, ତାହାକୁ ଦୃଷ୍ଟିରେ ଶ୍ରୀଲଙ୍କା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଶ୍ରୀଲଙ୍କାରେ ଚାଲିଥିବା ଆଦାନୀଙ୍କ ସ୍ଥାନୀୟ ପ୍ରୋଜେକ୍ଟର ଯାଞ୍ଚ ଆରମ୍ଭ କରାଇଥିଲେ। ଆଉ ଏହି ଯାଞ୍ଚ ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି। 

ସୂଚନାଥାଉକି, ୨୦୨୪ ମେ ମାସରେ ଶ୍ରୀଲଙ୍କାର ପୂର୍ବତନ ସରକାର ଆଦାନୀ ଗ୍ରୁପ୍‌ ସହ ପବନ ଶକ୍ତି ପ୍ଲାଣ୍ଟରୁ ବିଜୁଳି କିଣିବା ପାଇଁ ଏକ ଡିଲ୍‌ କରିଥିଲା। ଡିଲ୍‌ ଅନୁଯାୟୀ, ଆଦାନୀ ଗ୍ରୁପ୍‌ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ପବନ ଶକ୍ତି ପ୍ଲାଣ୍ଟ ତିଆରି କରିବ ଏବଂ ଏଠାରୁ ଉତ୍ପାଦିତ ହେଉଥିବା ବିଜୁଳିକୁ କିଲୋଓ୍ବାଟ ପିଛା ୦.୦୮୨୬ ଡଲାର ମୂଲ୍ୟରେ ଶ୍ରୀଲଙ୍କାକୁ ବିକ୍ରି କରିବ। ଅବଶ୍ୟ ଏହି ପ୍ଲାଣ୍ଟ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ। ଆଉ ଏବେ ଡିଲ୍‌ ରଦ୍ଦ ଆଦାନୀ ଗ୍ରୁପ୍‌ ପାଇଁ ଝଟକା ହୋଇପାରେ।

ତେବେ ରିପୋର୍ଟ ଅନୁଯାୟୀ, ସରକାର ଆଦାନୀ ଗ୍ରୁପ୍ ସହ କରିଥିବା ପାଓ୍ବାର ପର୍ଚେଜ ଆଗ୍ରିମେଣ୍ଟକୁ ରଦ୍ଦ କରିଛନ୍ତି।ସଂପୂର୍ଣ୍ଣ ପ୍ରୋଜେକ୍ଟ ନୁହେଁ। ପୂରା ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଏକ କମିଟି ନିଯୁକ୍ତ କରାଯାଇଛି। କମିଟି ସଂପୂର୍ଣ୍ଣ ପ୍ରୋଜେକ୍ଟର ସମୀକ୍ଷା କରି ରିପୋର୍ଟ ଦେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.