ନୂଆଦିଲ୍ଲୀ: ଆମେରିକା ଓ ଋଷିଆ ମଧ୍ୟରେ ଶାନ୍ତି ଆଲୋଚନା ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ । ମାତ୍ର ମସ୍କୋ, ଓ୍ବାଶିଂଟନର ଗ୍ରୀନ୍ ସିଗନାଲକୁ ଆପେକ୍ଷା କରିଛି । ହ୍ବାଇଟ୍ ହାଉସରୁ ଆଲୋଚନା ନେଇ ନିମନ୍ତ୍ରଣ ଆସିଲେ ଏହାକୁ ସ୍ବାଗତ କରିବ ପୁଟିନ । ଏନେଇ ଋଷ୍ କ୍ଷମତା କେନ୍ଦ୍ର କ୍ରିମଲିନ୍ର ମୁଖପାତ୍ର ଡିମିତ୍ରି ପସ୍କୋଭ ସୂଚନା ଦେଇଛନ୍ତି ।
ଗୁରୁବାର ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଋଷ୍ ରାଷ୍ଟ୍ରପତିଙ୍କ ଭ୍ଲାଦିମୀର ପୁଟିନଙ୍କ ସହିତ ସେ ଯଥାଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି । ସେ ଏହି ଭେଟଘାଟରେ ୟୁକ୍ରେନ ଏବଂ ଋଷ୍ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବେ । ଶାନ୍ତି ଆଲୋଚନା ସହିତ ଦୁଇ ଦେଶ ମଧ୍ୟରେ ପରମାଣୁ ଅସ୍ତ୍ର ଉତ୍ପାଦନ କମ୍ କରିବା ନେଇ ମଧ୍ୟ ଟ୍ରମ୍ପ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଋଷ୍-ୟୁକ୍ରେନ ମଧ୍ୟରେ ୨୦୨୨ ଫେବ୍ରୁଆରୀ ୨୪ ତାରିଖରୁ ସଂଘର୍ଷ ଆରମ୍ଭ ହୋଇଥିଲା । ଏହାକୁ ତିନି ବର୍ଷ ହୋଇଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ନାଁ ଧରୁନାହିଁ ।
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ତାଙ୍କର ପ୍ରଥମ ସାକ୍ଷାତରେ ୟୁକ୍ରେନ ସହତ ଯୁଦ୍ଧ ସମାପ୍ତ କରିବାକୁ ଋଷ୍ ସହ ଆଲୋଚନା କରିବେ ବୋଲି କହିଛନ୍ତି । କାରଣ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ଜୀବନ ବର୍ବାଦ ହୋଇଯାଇଛି । ଅନେକ ବାସହରା ହୋଇଛନ୍ତି । ଆରବ ଆରବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଯୁଦ୍ଧ ପାଇଁ ବିଶ୍ବ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ତେଣୁ ଯୁଦ୍ଧ ବନ୍ଦ ହେବା ଜରୁରୀ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସେପଟେ ଟ୍ରମ୍ପଙ୍କ ବୟାନର ଜବାବ ଦେଇଛି ମସ୍କୋ । କ୍ରିମଲିନ୍ ମୁଖପାତ୍ର କହିଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଋଷ୍ । ମାତ୍ର ଓ୍ବାଶିଂଟନର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ।....