ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିଭିଲ୍ ସେବା ପ୍ରାରମ୍ଭିକ ପରୀକ୍ଷା ୨୦୨୫ ପାଇଁ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି । ଏଣିକି ଆବେଦନ ସମୟରେ ହିଁ ଆଶାୟୀଙ୍କୁ ନିଜ ବୟସ ଏବଂ କୋଟା ସହ ଜଡ଼ିତ ଦସ୍ତାବିଜ ଉପଲବ୍ଧ କରାଇବାକୁ ପଡ଼ିବ । ପ୍ରଥମ ଥର ପାଇଁ ଏଭଳି ନିୟମ ଅଣାଯାଇଛି । ଏହା ପୂର୍ବରୁ ଦସ୍ତାବିଜଗୁଡ଼ିକ କେବଳ ପ୍ରାରମ୍ଭିକ ପରୀକ୍ଷା ପାସ୍ କରିବା ପରେ ଜମା କରିବାକୁ ପଡ଼ୁଥିଲା ।
ୟୁପିଏସସି ଦ୍ୱାରା ଏହି ନିଷ୍ପତ୍ତି ପୂର୍ବତନ ଆଇଏଏସ୍ ପ୍ରୋବେସନର ପୂଜା ଖେଡକରଙ୍କ ବିବାଦ ପରେ ନିଆଯାଇଛି । ପୂଜା ଖେଡ଼କରଙ୍କ ଓବିସି ଏବଂ ଦିବ୍ୟାଙ୍ଗତ କୋଟାର ଭୁଲ ଲାଭ ନେଇ ସିଭିଲ ସେବାରେ ଚୟନ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗଗୁଡିକର ଖଣ୍ଡନ କରାଯାଇଥିଲା ।
ଏହି ଦସ୍ତାବିଜଗୁଡ଼ିକ ଜମା କରିବା ବାଧ୍ୟତାମୂଳକ
ଜାନୁଆରୀ ୨୨ରେ ଜାରି ସିଭିଲ୍ ସର୍ଭିସ୍ ପରୀକ୍ଷା ନିୟମ-୨୦୨୫ ଅଧିନରେ ଆବେଦନ କରିବା ସମୟରେ ଆଶାୟୀଙ୍କୁ ନିମ୍ନଲିଖିତ ସୂଚନା ଏବଂ ଦସ୍ତାବିଜ ଦେବାକୁ ପଡ଼ିବ:
- ଜନ୍ମ ତିଥିର ପ୍ରମାଣ
- ବର୍ଗ (ଯେପରି ଏସସି, ଏସଟି, ଓବିସି, ଇଡବ୍ଲିସି, ପିଡବ୍ଲୁବିଡି, ପୂର୍ବତନ ସୈନିକ)
- ଶିକ୍ଷାଗତ ଯୋଗ୍ୟତା
- ସେବା ପସନ୍ଦ
ଯେଉଁ ପ୍ରାର୍ଥୀ ଏହି ଦସ୍ତାବିଦକୁ ଦାଖଲ କରିବାରେ ବିଫଳ ହେବେ, ସେମାନଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯିବ । ୟୁପିଏସସି ବିଜ୍ଞପ୍ତି ଅନୁସାରେ ସିଭିଲ୍ ସେବାର ପ୍ରାରମ୍ଭିକ ପରୀକ୍ଷା ୨୦୨୫ ମେ ୨୫ରେ ଅନୁଷ୍ଠିତ ହେବ । ଚଳିତ ଥର ମୋଟ ୯୭୯ ପଦ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।