ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣରେ ପନ୍ନୁର ଉପସ୍ଥିତି, ବ୍ରିଟେନରେ ଏମର୍ଜେନ୍ସି ସ୍କ୍ରିନିଂ ବେଳେ ବିବାଦ; ଆପତ୍ତି ଉଠାଇଲା ଭାରତ

Published By : Prameya-News7 Bureau | January 24, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଖଲିସ୍ତାନୀ ଅତଙ୍କୀ ପନ୍ନୁର ଉପସ୍ଥିତି ଉପରେ ଭାରତ କଡ଼ା ଆପତ୍ତି ଉଠାଇଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି ଯେ ଭାରତ ଏହି ପ୍ରସଙ୍ଗକୁ ଆମେରିକା ସାମନାରେ ଉଠାଇବ । ଭାରତ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ  ମାମଲାଗୁଡ଼ିକୁ ଆମେରିକା ସାମନାରେ ସବୁବେଳେ ରଖିବ । 

ରଣଧୀର ଜୈସ୍ୱାଲ ବିଦେଶ ମନ୍ତ୍ରଣାଳୟର ସାପ୍ତାହିକ ବାର୍ତ୍ତାରେ କହିଛନ୍ତି, ଯେବେ ବି କୌଣସି ଭାରତ ବିରୋଧୀ ଗତିବିଧି ସାମନାକୁ ଆସେ, ଆମେ ଆମେରିକା ସାମନାରେ ଏହାକୁ ଉଠାଉଛୁ । ଆମ ରାଷ୍ଟ୍ରୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଥିବ ଏବଂ ଭାରତ ବିରୋଧୀ ଏଜେଣ୍ଡା ଥିବା ସବୁ ମାମଲାକୁ ଆମେ ଦୃଢତାର ସହ ସାମନାକୁ ରଖୁଛୁ ।

ଉଲ୍ଲେଖଯୋଗ୍ୟ, ସୋମବାର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ନଜର ଆସିଥିଲା । ପନ୍ନୁ ପାଖରେ ଉଭୟ ଆମେରିକା ଏବଂ କାନାଡାର ନାଗରିକତା ରହିଛି । ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଖଲିସ୍ତାନୀ ଆତଙ୍କବାଦୀକୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ କରାଯାଇନଥିଲା । କିନ୍ତୁ ଅନ୍ୟ କାହା ସହଯୋଗରେ ସେ କାର୍ଯ୍ୟକ୍ରମର ଟିକଟ କିଣିଥିଲା । ଟ୍ରମ୍ପଙ୍କ ଶପଥ ଗ୍ରହଣ ବେଳେ ଲୋକେ ୟୁଏସ୍ ୟୁଏସ୍ ନାରା ଦେଉଥିବା ବେଳେ ପନ୍ନୁ ଖଲିସ୍ତାନ ସମର୍ଥନରେ ନାରା ଦେଉଥିଲା । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ ବ୍ରିଟେନରେ ଫିଲ୍ମ ଏମର୍ଜେନ୍ସିର ସ୍କ୍ରିନିଂ ବେଳେ ହୋଇଥିବା ହିଂସା ଘଟଣାର ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରିଛି । ଏହି ହିଂସା ଘଟଣାରେ ସାମିଲ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଦାବି ଉପସ୍ଥାପନ କରିଛି । ରଣଧୀର ଜୈସ୍ୱାଲ କହିଛନ୍ତି, 'ଫିଲ୍ମ ଏମର୍ଜେନ୍ସିକୁ ଅନେକ ସିନେମା ଘରେ ସ୍କ୍ରିନିଂ କରାଯାଇଥିଲା । ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ଏଥିରେ ବାଧା ସୃଷ୍ଟି କରିଥିଲେ । ଆମେ ଲଗାତାର ୟୁକେ ସରକାରଙ୍କ ସହ ଏହିପରି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରୁଛୁ । ବାକ୍ ସ୍ୱାଧୀନତାର ଦୋହରା ଚେହେରା ନହେବା ଦରକାର ଏବଂ ଏଥିପାଇଁ ଉତ୍ତରଦାୟୀ ହେବା ଦରକାର ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.