ନୂଆଦିଲ୍ଲୀ: ୨୦୨୫-୨୬ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟର ପ୍ରତୀକ ହାଲୁଆ ଉତ୍ସବ ଶୁକ୍ରବାର ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଭାରତରେ ଯେକୌଣସି ଶୁଭ କାମ ଆରମ୍ଭ ପୂର୍ବରୁ ମିଠା ରୋଷେଇର ପରମ୍ପରା ରହିଥାଏ । ଏହି ପରମ୍ପରା ଅନୁସାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ହାଲୁଆ ସେରମନି ଆୟୋଜନ କରାଯାଇଥାଏ । ଏହି ଆୟୋଜନ ପରେ ବଜେଟ୍ ସହ ଜଡ଼ିତ ଅଧିକାରୀଙ୍କୁ ବାହାର ଦୁନିଆଠାରୁ ଅଲଗା ରଖାଯାଇଥାଏ । ଏହାର ଉଦ୍ଦେଶ୍ୟ ବଜେଟ୍ ନିଷ୍ପତ୍ତି ଏବଂ ନୀତିକୁ ଗୋପନୀୟ ରଖିବା । କହିବାକୁ ଗଲେ ଅଧିକାରୀମାନେ ଏକ ପ୍ରକାର ନଜରବନ୍ଦୀ ହୋଇ ରହିଥାନ୍ତି । ଅର୍ଥମନ୍ତ୍ରୀ ଲୋକସଭାରେ ନିଜ ବଜେଟ୍ ଭାଷଣ ଶେଷ କରିବା ପରେ ସମସ୍ତେ ବାହାରକୁ ଆସିଥାନ୍ତି ।
ବଜେଟ୍ ପରମ୍ପରା ଅନୁସାରେ, ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ‘ଲକ୍-ଇନ୍’ ପ୍ରକ୍ରିୟା ପୂର୍ବରୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ । ସଂସଦରେ ବଜେଟ୍ ଉପସ୍ଥାପନର ୫ଦିନ ପୂର୍ବରୁ ଏହି ଉତ୍ସବ ହୋଇଥାଏ । ଏହି ଉତ୍ସବ ପରେ ବଜେଟ୍ କାର୍ଯ୍ୟରେ ଜଡ଼ିତ ଅଧିକାରୀମାନେ ନର୍ଥ ବ୍ଲକ୍ରେ ବନ୍ଦ ରୁହନ୍ତି । ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗାଯୋଗ ରହି ନଥାଏ । ମୋବାଇଲ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ରୁହେ ।
ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ । ଏପ୍ରିଲ ୪ରେ ଅଧିବେଶନ ସମାପ୍ତ ହୋଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ । ସଂସଦ ବଜେଟ୍ ଅଧିବେଶନ ସମୟରେ ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭର ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ମିଳିତ ବୈଠକରୁ ହେବ । ସଂସଦର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ୱୋଧନ କରିବେ ।
ଅଷ୍ଟଦଶ ଲୋକସଭାର ଏହା ତୃତୀୟ ଅଧିବେଶନ ହେବ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅଧିବେଶନ । ଏହା ପୂର୍ବରୁ ଗତ ବର୍ଷ ହୋଇଥିବା ଶୀତ ଅଧିବେଶନ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବାବା ସାହେବ ଆମ୍ୱେଦକରଙ୍କୁ ଅପମାନ କରିଥିବା ନେଇ ଉଭୟ ଶାସକ ଏବଂ ବିରୋଧୀ ମୁହଁମୁହିଁ ହୋଇଥିଲେ । ଏପରିକି ଠେଲାପେଲାରେ ବିଜେପିର ଦୁଇ ସାଂସଦ ଆହତ ବି ହୋଇଥିଲେ ।