ନୂଆଦିଲ୍ଲୀ ୧୭/୦୯: ଦରବୃଦ୍ଧି ଯୋଗୁ ବିଶ୍ୱର ସର୍ବବୃହତ୍ ଅର୍ଥନୀତି ଆମେରିକାରେ ଲୋକଙ୍କ ଅବସ୍ଥା ବେହାଲ । ଏକ ରିପୋର୍ଟ ଅନୁସାରେ, ଦେଶର ଏକତୃତୀୟାଂଶ ଲୋକଙ୍କ ପାଇଁ ଘର ଚଳାଇବା ମୁସ୍କିଲ ପାଲଟିଛି । ଜୁଲାଇରେ ୩୭.୪% ଲୋକଙ୍କ କହିବାନୁସାରେ, ସେମାନଙ୍କ ପାଇଁ ପରିବାର ଖର୍ଚ୍ଚ ତୁଲାଇବା କଷ୍ଟକର ହେଉଛି । ସବୁଠାରୁ ଅଧିକ ସମସ୍ୟା ମିସିସିପି ପ୍ରାନ୍ତରେ ଅଛି ।
ଏଠାରେ ୪୯.୫% ଲୋକଙ୍କ କହିବାନୁସାରେ ସେମାନେ ଅତି ଦରକାରୀ ସାମଗ୍ରୀ କିଣିବା ପାଇଁ ଖର୍ଚ୍ଚ କରିପାରୁନାହାନ୍ତି । ଅଲବାମାରେ ଏହି ସଂଖ୍ୟା ୪୫.୫%, ୱେଷ୍ଟ ଭର୍ଜିନିଆରେ ୪୩.୫% ଏବଂ ଲୁଇସିୟାନାରେ ୪୩.୧% । ଆମେରିକାରେ ଏଭଳି ୧୦ଟି ପ୍ରାନ୍ତ ରହିଛି, ଯେଉଁଠି ୪୦% ଲୋକଙ୍କ କହିବାନୁସାରେ, ସେମାନଙ୍କ ପାଇଁ ଘର ଖର୍ଚ୍ଚ ତୁଲାଇବା କଷ୍ଟକର ପାଲଟିଛି । ଏହା ଏଭଳି ସମୟରେ ହେଉଛି, ଯେତେବେଳେ ଦେଶରେ କଞ୍ଜ୍ୟୁମର କ୍ରେଡିଟ୍ କାର୍ଡ ଡେଟ୍ ୧ ଟ୍ରିଲିୟନ ଡଲାର ପାର୍ କରିଯାଇଛି ।
ଏହା ସ୍ପଷ୍ଟ ଯେ, ଖାଦ୍ୟ ପାନୀୟ ସାମଗ୍ରୀ, ଭଡ଼ା ଏବଂ ୟୁଟିଲିଟି ଖର୍ଚ୍ଚ ଲୋକଙ୍କ ଦରମା ଅଭିବୃଦ୍ଧିଠାରୁ ଦ୍ରୁତ ଗତିରେ ବଢୁଛି । ଦେଶରେ ଗତବର୍ଷ ମୁଦ୍ରାସ୍ଫୀତି ୩.୨% ଥିଲା, ଯାହା ଏ ବର୍ଷ କମି ୨.୫% ହୋଇଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏବେ ବି ଘର ଚଳାଇବା ମୁସ୍କିଲ ପାଲଟିଛି । କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ୱରେ ଏବେ ଦରଦାମ ବୃଦ୍ଧି ପ୍ରଧାନ ସମସ୍ୟା ପାଲଟିଛି । ଦରବୃଦ୍ଧିର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଆର୍ଜେଣ୍ଟିନାରେ । ସେଠାରେ ମୁଦ୍ରାସ୍ଫୀତି ହାର ୨୩୭%ରେ ପହଞ୍ଚିଯାଇଛି । ଦ୍ୱିତୀୟ ସ୍ଥାନରେ ରହିଛି ସିରିଆ ।
ଲମ୍ବା ସମୟ ଧରି ଗୃହଯୁଦ୍ଧରେ ଛନ୍ଦି ହୋଇ ରହିଥିବା ଏହି ଦେଶରେ ମୁଦ୍ରାସ୍ଫୀତି ହାର ୧୨୦% ରହିଛି । ତୁର୍କୀରେ ଏହା ୫୧.୯%, ଭେନେଜୁଏଲାରେ ୩୫.୫%, ଲେବାନନରେ ୩୫.୪%, ପାକିସ୍ତାନରେ ୯.୬% ଏବଂ ବାଂଲାଦେଶରେ ୧୧.୬୬% ରହିଛି । ଭାରତରେ ଏହା ୩.୬୫% ଅଛି ।
ବର୍ତ୍ତମାନ ସମୟରେ ସବୁଠାରୁ କମ୍ ମୁଦ୍ରାସ୍ଫୀତି ରହିଛି ଚୀନ୍ରେ । ସେଠାରେ ଏହା ୦.୬% ଅଛି । ଇଟାଲିରେ ଏହା ୧.୧%, ସାଉଦି ଆରବରେ ୧.୬%, ଆୟାର୍ଲାଣ୍ଡରେ ୧.୭%, ଫ୍ରାନ୍ସରେ ୧.୮%, ସ୍ୱିଡେନ୍ରେ ୧.୯%, ଜର୍ମାନୀରେ ୧.୯%, ଦକ୍ଷିଣ କୋରିଆରେ ୨% ଏବଂ ଇଣ୍ଡୋନେସିଆରେ ୨.୧୨% ରହିଛି ।