ନୂଆଦିଲ୍ଲୀ: ବିଟ୍କଏନ୍ ବିଷୟରେ ତ’ ଆପଣ ନିଶ୍ଚୟ ଶୁଣିଥିବେ। ଏହା ହେଉଛି ଏକ କ୍ରିପ୍ଟୋକରେନ୍ସୀ। ମାନେ ଡିଜିଟାଲ ଯୁଗର ଡିଜିଟାଲ ମୁଦ୍ରା। ଅବଶ୍ୟ ଏହାକୁ ଅନେକ ଦେଶରେ ସ୍ୱୀକୃତି ମିଳିନାହିଁ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ରୁପାକୁ ପଛରେ ପକାଇ ବିଶ୍ୱର ସପ୍ତମ ମୂଲ୍ୟବାନ ସମ୍ପତ୍ତି ହୋଇଛି। ଖାଲି ସେତିକି ନୁହେଁ, ଅନେକ ଦେଶର ଜିଡିପି ଠାରୁ ବି ବିଟ୍କଏନ୍ ମୂଲ୍ୟ ବହୁ ଅଧିକ। ବହୁ ବଡ଼ ବଡ଼ କମ୍ପାନୀର ମାର୍କେଟ୍ କ୍ୟାପ୍ ବି ବିଟ୍କଏନ୍ ଠାରୁ କମ୍। ତେବେ ହଠାତ୍ ବିଟ୍ଏକନ୍ ମୂଲ୍ୟ ବଢ଼ିଲା କେମିତି? ଏହା ପଛରେ ଡୋନାଲ୍ଡ ଟ୍ରମ୍ପଙ୍କର କ’ଣ ଭୂମିକା ରହିଛି ? ବିଜନେଶ ବିଶେଷର ଆଜି ସେ ବିଷୟରେ ବିସ୍ତାରରେ ଜାଣିବା।
ବିଶ୍ୱ ବଜାରରେ ବିଟ୍କଏନର ଚାହିଦା ପ୍ରବଳ ବଢ଼ି ଯାଇଛି। ବଡ଼ ବଡ଼ କମ୍ପାନିଙ୍କ ମାର୍କେଟ ସେୟାର ଓ ଅନେକ ଦେଶରେ ଜିଡିପି ଠାରୁ ବି ବିଟ୍କଏନ୍ ଆଗରେ ରହିଛି। କାରଣ ରୁପାକୁ ଟପି ବିଟକଏନ ଏବେ ହୋଇଛି ବିଶ୍ୱର ସପ୍ତମ ମୂଲ୍ୟବାନ ସମ୍ପତ୍ତି। ଦୁନିଆର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ବିଟ୍କଏନର ମାର୍କେଟ କ୍ୟାପ୍ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଏହାର ମାର୍କେଟ କ୍ୟାପ୍ ତୁର୍କୀ, ଇଣ୍ଡୋନେସିଆ ଏବଂ ସ୍ପେନ ଭଳି ଦେଶର ଜିଡିପିକୁ ପଛରେ ପକାଇଛି।
କଏନ ଡେସ୍କର ତଥ୍ୟ ଅନୁଯାୟୀ, ବିଟକଏନର ମାର୍କେଟ କ୍ୟାପ୍ ୮୯,୯୯୫.୧୨ ଟ୍ରିଲିୟନ ଡଲାରର ଅଲ ଟାଇମ ହାଇକୁ ଛୁଇଁସାରିଛି। ଅବଶ୍ୟ ବର୍ତ୍ତମାନ ଗୋଟିଏ ବିଟକଏନର ଦାମ୍ ୯୧ ହଜାର ଡଲାରରୁ ଅଧିକ ରହିଛି। ଯେହେତୁ ମାର୍କେଟ ପରିବର୍ତ୍ତନଶୀଳ ତେଣୁ ଆମେ ଦେଇଥିବା ତଥ୍ୟ ଆପଣ ଦେଖିଲା ବେଳକୁ ହୁଏତ ପରିବର୍ତ୍ତନ ହୋଇଯାଇଥାଇପାରେ। ବିଟକଏନର ଦାମରେ ଲଗାତାର ବୃଦ୍ଧି କାରଣରୁ ମାର୍କେଟ କ୍ୟାପରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ବିଟକଏନର ମାର୍କେଟ କ୍ୟାପ୍ ୧.୮୧ ଟ୍ରିଲିୟନ ଡଲାର ପାର କରିଛି।
କେବଳ ସେତିକି ନୁହେଁ ବିଟକଏନର ମାର୍କଟ କ୍ୟାପ୍ ଦୁନିଆର ଟପ୍ କମ୍ପାନିଙ୍କ ମାର୍କେଟ କ୍ୟାପ ଠାରୁ ବି ଅଧିକ। ଫେସବୁକର ପ୍ୟାରେଣ୍ଟ କମ୍ପାନି ମେଟାର ମାର୍କେଟ୍ କ୍ୟାପ୍ ୧.୭୪୨ ଟ୍ରିଲିୟନ, ଟେସଲାର ମାର୍କେଟ କ୍ୟାପ ୧.୧୨୩ ଟ୍ରିଲିୟନ, ଓ୍ବରେନ ବଫେଙ୍କ ଓ୍ବର୍କଶାୟର ହାଥଓ୍ବେର ମାର୍କେଟ କ୍ୟାପ୍ ୧.୦୦୭ ଟ୍ରିଲିୟନ ଡଲାରକୁ ପଛରେ ପକାଇ ଆଗକୁ ବଢ଼ିଛି ବିଟ୍କଏନ୍।
କେବଳ ମୂଲ୍ୟବାନ ଧାତୁ କି ବଡ଼ କମ୍ପାନୀ ନୁହେଁ କିଛି କିଛି ଦେଶର ମୋଟ ଜିଡିପିକୁ ବି ଟପି ଯାଇଛି ବିଟ୍କଏନର ମୂଲ୍ୟ। ୟୁରୋପର ବଡ଼ ଅର୍ଥନୀତି ଭାବରେ ଜଣା ସ୍ପେନର ଜିଡିପି, ଏବେ ବିଟକଏନ ତୁଳନାରେ କମ୍। କାରଣ ଦୁନିଆର ୧୫ତମ ସବୁଠୁ ବଡ଼ ଅର୍ଥନୀତି ସ୍ପେନର ଜିଡିପି ବର୍ତ୍ତମାନ ୧.୭୩ ଟ୍ରିଲିୟନ ଡଲାର ରହିଥିଲାବେଳେ ବିଟକଏନର ମାର୍କେଟ କ୍ୟାପ ୧.୮୧ ଟ୍ରିଲିୟନ ଡଲାର। ସେହିପରି ଇଣ୍ଡୋନେସିଆ ୧.୪ ଟ୍ରିଲିଅନ ଓ ତୁର୍କୀର ୧.୩୪ ଟ୍ରିଲିୟନ ଡଲାର ଜିଡିପିକୁ ପଛରେ ପକାଇଛି ବିଟ୍କଏନ୍। ଏହି କ୍ରିପ୍ଟୋକରେନ୍ସିର ମୂଲ୍ୟ ଯଦି ଏମିତି ଦ୍ରୁତ ଗତିରେ ବଢ଼ି ଚାଲିଲା ତେବେ ଆଗାମୀ ଦିନରେ ଏହା ଅଷ୍ଟ୍ରେଲିଆ ଏବଂ ମେକ୍ସିକୋ ଭଳି ଦେଶର ଜିଡିପିକୁ ଟପିଯିବ।
ଡିଜିଟାଲ ଯୁଗରେ ହୁଏତ ଆଜିର ପିଢ଼ି ବିଟକଏନ ସହ ଭଲଭାବରେ ପରିଚିତି ଥିବେ। ତେବେ ଯେହେତୁ ଭାରତରେ ଏହାକୁ ଲିଗାଲ ଟେଣ୍ଡର ବୋଲି ବିଚାର କରାଯାଏ ନାହିଁ, ତେଣୁ ବିଟ୍କଏନ୍ ଏବେ ବି ଅନେକ ଲୋକଙ୍କ ବୁଝିବା ବାହାରେ ରହିଛି। ଆଜି ଆମେ ଆପଣଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ଧାରଣ ଦେବୁ। ବିଟ କଏନ କ’ଣ, ଏହା କେମିତି କାମ କରିଥାଏ ? ଓ ସାଧାରଣ ଲୋକେ ଏଥିରେ କିଭଳି ନିବେଶ କରିପାରିବେ ଆଗକୁ ପଢ଼ନ୍ତୁ ରିପୋର୍ଟ।
ବିଟ୍କଏନ୍ ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ ମୁଦ୍ରା। ଏହା ପାରମ୍ପରିକ ମୁଦ୍ରା ଠାରୁ ସଂପୂର୍ଣ୍ଣ ଭିନ୍ନ। ୨୦୦୮ରେ ସାତୋଶୀ ନାକାମୋତୋ ଏହାକୁ ତିଆରି କରିଥିଲେ। ୨୦୦୯ରେ ଏହାକୁ ଓପନ ସୋର୍ସ ସଫ୍ଟଓୟାର ଭାବରେ ଲଞ୍ଚ କରାଯାଇଥିଲା। ଯାହା ଏବେ ଡିଜିଟାଲ ନେଣଦେଣକୁ ସହଜ କରୁଛି। ତେବେ ବଡ଼ କଥା ହେଲା ଏହା କୌଣସିବି ବ୍ୟାଙ୍କ କିମ୍ବା ସରକାରଙ୍କ ନିୟନ୍ତ୍ରଣରେ ନଥାଏ। ଇଣ୍ଟରନେଟ ମାଧ୍ୟମରେ ଏହାର ନେଣଦେଣ କରାଯାଏ। କ୍ରିପ୍ଟୋଗ୍ରାଫି ଟେକ୍ନୋଲୋଜିର ବ୍ୟବହାର କରି ଏହାର ସୁରକ୍ଷିତ ନେଣଦେଣ କରାଯାଉଥିବାରୁ ଏହାକୁ କ୍ରିପ୍ଟୋକରେନ୍ସୀ ବୋଲି କୁହାଯାଏ। ‘ବିଟକଏନ’ ଇଂରାଜୀ ଶବ୍ଦ ‘କ୍ରିପ୍ଟୋ’ରୁ ଆସିଛି। ଯାହାର ଅର୍ଥ ଗୁପ୍ତ ବା ସିକ୍ରେଟ୍। କ୍ରିପ୍ଟୋଗ୍ରାଫିର ଅର୍ଥ କୋଡିଂ ଭାଷାକୁ ସରଳ କରିବାର କଳା। ବିଟକଏନକୁ ବିଟକଏନ ୱାଲେଟରେ ସେଭ୍ କରାଯାଏ। ଏହାକୁ ଆମେ ଏକ ସୁରକ୍ଷିତ ଅନଲାଇ ଟ୍ରାଞ୍ଜାକ୍ସନ କରିବା ପାଇଁ ବ୍ୟବହାର କରିପାରିବା। ମାଇକ୍ରୋସଫ୍ଟ, ଟେସଲା ଭଳି ଅନେକ ବଡ଼ ବଡ଼ କମ୍ପାନି ଏହାଦ୍ୱାରା ନେଣଦେଣ କରୁଛନ୍ତି।
ବର୍ତ୍ତମାନ ପ୍ରାୟ ୧ ହଜାରରୁ ଅଧିକ କ୍ରିପ୍ଟୋକରେନ୍ସୀ ରହିଛି, କିନ୍ତୁ ଏଥିରେ କିଛି ଏଭଳି ରହିଛି, ଯେଉଁମାନଙ୍କର ବ୍ୟବହାର ସବୁଠୁ ଅଧିକ ହୋଇଥାଏ। ଯେଉଁଥିରେ କିଛି ଜଣାଶୁଣା ବିଟ୍କଏନ୍ ହେହେଉଛି, ଈଥର ବା ଈଥୀରମ, ଲାଇଟକଏନ, ଡ୍ୟାଶ, ଜେଡ କ୍ୟାସ, ଡେଗେକଏନ, ଶିବୁ ଇନୁ।
ଏବେ ଏହା କେମିତି ତିଆରୁ ହୁଏ ଜାଣନ୍ତୁ। ବିଟକଏନ ତିଆରି କରିବା ଏତେ ସହଜ ନୁହେଁ, ଏଥିରେ ଅନେକ ପରିଶ୍ରମ କରିବାକୁ ପଡ଼ିପାରେ। ଏହା ମାଇନିଂ ମେଥଡ ବା ଏକ ପ୍ରକାର ଗାଣିତିକ ପ୍ରକ୍ରିୟା ଦ୍ୱାରା ଆସିଥିବା ଏକ ଇଲେକ୍ଟ୍ରୋନିକ୍ ମୁଦ୍ରା। ଏଥିପାଇଁ ଏହାର ଦାମ୍ ଅଧିକ ହୋଇଥାଏ। ମାଇନରମାନେ ଗାଣିତିକ ଏବଂ କ୍ରିପ୍ଟୋଗ୍ରାଫିକ ଉପାୟରେ ଏହାକୁ କୋଡ-ଡିକୋଡ କରିଥାନ୍ତି। ଏହାର ତିଆରି ପ୍ରୋଶେସ୍କୁ ମାଇନିଙ୍ଗ ପ୍ରୋସେସ ବୋଲି କୁହାଯାଏ। ଏହା ଖୁବ୍ ସମୟସାପେକ୍ଷ। ଆଉ ଏହି କାରଣରୁ ବିଟକଏନ ତିଆରି କରିବା ସହଜ ହୋଇନଥାଏ। ଏମିତିରେ ବିଟକଏନ କେବଳ ସିମୀତ ସଂଖ୍ୟାରେ ତିଆରି କରାଯାଇଥାଏ। କମ ତିଆରି କରିବା ସ୍ୱାଭାବିକ କଥା, ଯଦି କମ୍ ପରିମାଣ ରହିବ ଓ ଚାହିଦା ଅଧିକ ବଢ଼ିବ। ଆଉ ଚାହିଦା ବଢ଼ିଲେ ଦାମ୍ ବି ବଢ଼ିଯିବ।
ବିଟକଏନର ବ୍ୟବହାର ଭିନ୍ନ ଅନଲାଇନ ଟ୍ରାଞ୍ଜାକ୍ସନରେ କରାଯାଇଥାଏ। ଏହା ପି-ଟୁ-ପି ନେଟୱର୍କରେ କାମ କରିଥାଏ। ବର୍ତ୍ତମାନ ଅନଲାଇନ ଡେଭଲପର୍ସ, ଏନଜିଓ ଏହାର ବ୍ୟବହାର ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ କରୁଛନ୍ତି। ଆମେ ବ୍ୟାଙ୍କରୁ କୌଣସି ଟଙ୍କା ପେମେଣ୍ଟ କଲେ ତାହାର ଯେପରି ରେକର୍ଡ ରହିଥାଏ। ବିଟକଏନର କିନ୍ତୁ ସେମିତି କୌଣ ରେକର୍ଡ ପବ୍ଲିକ ଲେଜରରେ ହୋଇନଥାଏ। ଏହାକୁ ଟ୍ରାକ କରାଯାଇପାରିବ ନାହିଁ। କେବଳ ଏହାକୁ ପଠାଇଥିବା ବ୍ୟକ୍ତି ଏବଂ ପାଇଥିବା ବ୍ୟକ୍ତି ହିଁ ଜାଣିପାରିବେ। ବିଟକଏନ ଡିଜିଟାଲ ୱାଲେଟରେ ରହିଥାଏ। ଏହାର ଦାମ ସବୁ ସ୍ଥାନରେ ସମାନ ନଥାଏ। ଏହାର ଦାମ୍ ଅସ୍ଥିର ରହିଥାଏ। ଏହା ଦୁନିଆର ବିଭିନ୍ନ ଗତିବିଧି ଉପରେ ନିର୍ଭର କରିଥାଏ। କ୍ରିପ୍ଟୋ ଟ୍ରେଡିଂର କୌଣସି ସମୟ ବି ନାହିଁ।
ବିଟକଏନରେ ଟ୍ରେଡ ୨୦୧୧ରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଗୋଟିଏ ବିଟକଏନର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ ୭୭ ଲକ୍ଷରୁ ଅଧିକ ଟଙ୍କା ରହିଛି। ବିଟକଏନକୁ ଦୁନିଆରେ କେଉଁଠିବି ଏବଂ କାହାକୁ ପଠାଯାଇପାରିବ। ଏହାର ଆକାଉଣ୍ଟ ବ୍ଲକ କରିହେବନାହିଁ। ଏଥିରେ ମଧ୍ୟସ୍ତିର ଭୂମିକା ନଥାଏ। ଯେହେତୁ ଏହାକୁ କୌଣସି ଦେଶରେ ମାନ୍ୟତା ମିଳିନାହିଁ ତେଣୁ ଏଥିରେ ଟ୍ରାଞ୍ଜାକ୍ସନ ପାଇଁ ଅତିରିକ୍ତ ଚାର୍ଚ୍ଚର ସମସ୍ୟା ନଥାଏ। ତେବେ ଏଥିରେ ଏକ ବଡ଼ ସମସ୍ୟା ରହିଛି।
ଯଦି ଆପଣଙ୍କ ଡାଟା ହ୍ୟାକ ହେଉଛି ଓ ରିକଭର ହୋଇ ନପାରୁଛି କିମ୍ବା ଆପଣ ପାସୱାର୍ଡ ଭୁଲିଯାଉଛନ୍ତି, ତେବେ ଆପଣ ଆପଣଙ୍କ ସବୁ ବିଟକଏନ ହରାଇଦେବେ। ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ। ତେଣୁ ଏହାର ବେଆଇନ କାରବାର ହେବାର ବହୁ ଆଶଙ୍କା ରହିଛି। ଏଥିପାଇଁ ଅନେକ ଦେଶ ଏହାକୁ ଲିଗାଲ ଟେଣ୍ଡରରେ ରଖି ନାହାନ୍ତି।
ସବୁ ଦେଶରେ କରେନ୍ସୀ ମୁଦ୍ରା ନୋଟ ଛାପିବା ପାଇଁ ଏକ ସୀମା ରହିଛି। ଠିକ୍ ସେହିଭଳି ବିଟକଏନ ତିଆରି ପାଇଁ ମଧ୍ୟ ସୀମା ରହିଛି। ସୀମା ହେଉଛି ମାର୍କେଟରେ ବିଟକଏନ ୨୧ ମିଲିୟନ (୨.୧୦ କୋଟି)ରୁ ଅଧିକ ଆସିପାରିବନି। ଅବଶ୍ୟ ମାର୍କେଟରେ ଏହା ୧୩ ମିଲୟନ (୧.୩୦ କୋଟି) ରହିଛି। ଯାହା ନୂଆ ବିଟକଏନ ରହିଛି ତାହା ମାଇନିଂ ଦ୍ୱାରା ଆସିଥାଏ।
ବିଟକଏନ କଣ ଏହା କେମିତି ତିଆରି ହୁଏ ଏ ବିଷୟରେ ତ ଆପଣ ଜାଣିଲେ। ଏବେ ଆସନ୍ତୁ ଜାଣିବା ଭାରତରେ ଏହାର ଟ୍ରେଡିଂ ହୋଇପାରିବ କି ନାହିଁ? ଏହା ଆଇନଗତ ବୈଧ କି ନା। ଏନେ ଇ ଆମ ଦେଶର କଣ ସବୁ ନିୟମ ରହିଛି? ଜାଣନ୍ତୁ।
ଭାରତରେ ବିଟକଏନର ଭବିଷ୍ୟତ କ'ଣ ହେବ ତାହା ଉପରେ ଚର୍ଚ୍ଚା ଏବେ ବି ଜାରି ରହିଛି। କାରଣ ଅନେକ ଦେଶ ବିଟକଏନକୁ ବ୍ୟାନ କରିଛନ୍ତି। ଭାରତରେ ମଧ୍ୟ ଏହାକୁ ବ୍ୟାନ କରିବା ପାଇଁ କଥା ଉଠିଥିଲା କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ଭାରତରେ କ୍ରିପ୍ଟୋକରେନ୍ସୀ ନିୟମ ଖୁବ୍ ଜଟିଳ ରହିଛି । ଏହାକୁ ବାରମ୍ବାର ପରିବର୍ତ୍ତନ କରାଯାଉଛି। ଅବଶ୍ୟ ଭାରତରେ କ୍ରିପ୍ଟୋକରେନ୍ସୀ କିଣିବା ଏବଂ ରଖିବା ବେଆଇନ ନୁହେଁ। ତଥାପି କ୍ରିପ୍ଟ୍ରୋକରେନ୍ସୀକୁ ଲିଗାଲ ଟେଣ୍ଡର ଭାବରେ ଧରାଯାଏ ନାହିଁ। ଏହାର ଅର୍ଥ ଲୋକେ ବିଟକଏନ ଭଳି କ୍ରିପ୍ଟୋକରେନ୍ସୀ କିଣିପାରିବେ, କିନ୍ତୁ ଏହାକୁ ନେଇ ନେଣଦେଣ କରିପାରିବେ ନାହିଁ। ଏହାକୁ ୟୁନୋକଏନ ଏବଂ ଜେବପେ ପ୍ଲାଟଫର୍ମରୁ କିଣିପାରିବେ। ରିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଏବଂ ସେବି ଏହି କ୍ରିପ୍ଟୋକରେନ୍ସି ଉପରେ ନଜର ରଖିଛନ୍ତି। ୨୦୧୮ରେ ଆରବିଆଇ କ୍ରିପ୍ଟୋ ନେଣଦେଣ ଉପରେ ବ୍ୟାନ ଲଗାଇଥିଲା। କିନ୍ତୁ ୨୦୨୦ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏହି ପ୍ରତିବନ୍ଧକ ହଟାଇ ଦେଇଛନ୍ତି।
୨୦୨୨ର କେନ୍ଦ୍ରୀୟ ବଜେଟରେ ସରକାର କ୍ରିପ୍ଟୋକରେନ୍ସୀ ଉପରେ ଟ୍ୟାକ୍ସ ଲଗାଇବା ବ୍ୟବସ୍ଥା କରଥିଲେ। ଏହା ଅନୁଯାୟୀ, କ୍ରିପ୍ଟୋକରେନ୍ସିରେ ହେଉଥିବା ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଏବଂ ବାର୍ଷିକ ୫୦ ହଜାର ଟଙ୍କାରୁ ଅଧିକର ବିଟକଏନ ଟ୍ରାଞ୍ଜାକ୍ସନ ଉପରେ ୧ ପ୍ରତିଶତର ଟିଡିଏସ ଦେବାକୁ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୦୨୩ରୁ କ୍ରିପ୍ଟୋକରେନ୍ସୀକୁ ପିଏମଏଲଏ ଅଧିନିୟମର ଅନ୍ତର୍ଭୁକ୍ତ ମଧ୍ୟ କରାଯାଇଛି।
ଏବେ ଆମେ ପୂର୍ବ ଟପିକକୁ ଆସିବା। ହଠାତ ବିଟ୍କଏନ୍ ମୂଲ୍ୟ ଏତେ ବଢ଼ିଲା କାହିଁକି? ବିଶେଷ କରି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବିଟ୍ କିଏନ୍ର ମୂଲ୍ୟ ହୁହୁ ହୋଇ ବଢ଼ି ଚାଲିଛି। ବିଟ୍କଏନ ସହିତ ଟ୍ରମ୍ପଙ୍କର କ’ଣ ସମ୍ପର୍କ ରହିଛି? ଏହା କେମିତି ବିଶ୍ୱର ଅଷ୍ଟମ ସମ୍ପତ୍ତି ହେଲା ପଢ଼ନ୍ତୁ।
ପ୍ରକୃତରେ ଟ୍ରମ୍ପ ନିଜର ନିର୍ବାଚନୀ କ୍ୟାମ୍ପେନ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଟକଏନ ରିଜର୍ଭ ଭାବରେ ବିକାଶ କରିବା ଓ ବିଶ୍ୱ ସ୍ତରରେ ଆମେରିକାକୁ ଡିଜିଟାଲ ଆସେଟ ହବ୍ରେ ପରିଣତ କରିବା ନେଇ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ଏହି ଘୋଷଣା ସମ୍ପର୍କରେ ସ୍ପଷ୍ଟ ହୋଇ ନଥିଲେ ବି ଏହି ଘୋଷଣା ପରେ ହିଁ କ୍ରିପ୍ଟୋ ମାଇନିଂ ଏବଂ ଟ୍ରେଡିଂ ଇଣ୍ଡଷ୍ଟ୍ରି ବୁଷ୍ଟ ହୋଇଛି।
ଈଥର ଏବଂ ଡଜକଏନ ଭଳି ଛୋଟ ଟୋକେନରେ ମଧ୍ୟ ଦ୍ରୁତ ଭାବରେ ଦେଖିବାକୁ ମିଳିଛି। ଆମେରିକାର ନିୟାମକ (SEC) ଏନେଇ ସ୍ଥିତି ଆହୁରି ଅଧିକ ସହଜ କରିବେ ବୋଲି କ୍ରିପ୍ଟୋ ନିବେଶକ ବେଶ୍ ଆଶାବାଦୀ। ସେପ୍ଟେମ୍ବରରେ ଟ୍ରମ୍ପ ଏକ ନୂଆ କ୍ରିପ୍ଟୋ ଭେଞ୍ଚର ୱାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ ମଧ୍ୟ ଲଞ୍ଚ କରିଥିଲେ। ତେବେ ବିଶେଷଜ୍ଞ ଏହାକୁ ନେଇ ଚେତାବନୀ ଦେଇଛନ୍ତି। କାରଣ କ୍ରିପ୍ଟୋ ମାର୍କେଟ ଏବେବି ଅସ୍ଥିର ରହିଛି। ବିଶେଷଜ୍ଞ ଅନୁଯାୟୀ, କ୍ରିପ୍ଟୋ କରେନ୍ସି ମାର୍କେଟ୍ ବୃଦ୍ଧି ଆଶାବାଦୀ ରହିଥିଲେ ବି, ଦ୍ରୁତ ହ୍ରାସ ମଧ୍ୟ ହୋଇପାରେ।