ନୂଆଦିଲ୍ଲୀ: ଭାରତରେ ଗେମିଂ ମାର୍କେଟ୍ ଲଗାତାର ବଡ଼ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଭାରତୀୟ ଗେମିଂ ବଜାର ୩.୮ ବିଲିୟନ୍ ଡଲାରରୁ ଅଧିକ ହୋଇଛି, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩୨ ହଜାର କୋଟି ଟଙ୍କା ।
ଆର୍ଥିକ ବର୍ଷ ୨୦୨୩ରେ ଇଣ୍ଡିଆନ ଗେମିଂ ଇଣ୍ଡଷ୍ଟ୍ରି ୩.୧ ବିଲିୟନ ଡଲାର ଥିଲା, ଯାହା ୨୩ ପ୍ରତିଶତ ବଢି ଆର୍ଥିକ ବର୍ଷ ୨୪ରେ ୩.୮ ବିଲିୟନ ଡଲାର ହୋଇଛି । ଏହାସହ ଆଗାମୀ ପାଞ୍ଚ ବର୍ଷରେ ଅର୍ଥାତ୍ FY ୨୦୨୯ ସୁଦ୍ଧା ଭାରତୀୟ ଗେମିଂ ବଜାର ୯.୨ ବିଲିୟନ ଡଲାର ଅର୍ଥାତ୍ ୭୬ ହଜାର କୋଟି ଟଙ୍କା ପାର କରିବ । ଇଣ୍ଟରଆକ୍ଟିଭ ମିଡିଆ ଏବଂ ଗେମିଂ ଭେଞ୍ଚର କ୍ୟାପିଟଲ୍ ଫଣ୍ଡ ଲୁମିକାଇ (Lumikai) ଷ୍ଟେଟ୍ ଅଫ୍ ଇଣ୍ଡିଆ ଇଣ୍ଟରଆକ୍ଟିଭ ମିଡିଆ ଆଣ୍ଡ ଗେମିଂ ରିପୋର୍ଟରେ ଏହି ଅନୁମାନ କରିଛି ।
ଅନଲାଇନ୍ ଗେମିଂ ଉପରେ ମୋଟ ଅଙ୍କର ଜିଏସଟି ଲାଗୁ କରାଯିବା ପରେ ବି ଏହା ବୃଦ୍ଧି ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି ଯେ କେବଳ ବଡ଼ ସହରର ନୁହେଁ, ଛୋଟ ସହରରେ ମଧ୍ୟ ଗେମିଂକୁ ନେଇ କ୍ରେଜ୍ ବଢିବାକୁ ଲାଗିଛି ।
ରିପୋର୍ଟରେ କଣ ଉଲ୍ଲେଖ ରହିଛି ?
- ଆର୍ଥିକ ବର୍ଷ ୨୦୨୯ ସୁଦ୍ଧା ୯.୨ ବିଲିୟନ ଡଲାରରେ ପହଞ୍ଚିବ ଗେମିଂ ଉଦ୍ୟୋଗ
- ଆର୍ଥିକ ବର୍ଷ ୩.୧ ବିଲିୟନ ଡଲାରର ବଜାର ଥିଲା, ଏଫୱାଇ୍ ୨୪ରେ ୨୩ ପ୍ରତିଶତ ବଢି ୩.୮ ବିଲିୟନ ଡଲାର ହୋଇଛି
- ବର୍ତ୍ତମାନ ସମୟରେ ୧୨.୫ ବିଲିୟନ ଡଲାରର ନ୍ୟୁ ମିଡିଆ ମାର୍କେଟରେ ଗେମିଂର ଭାଗ ୩୦ ଶତାଂଶ
- ଦେଶରେ ୫୯.୧ କୋଟି ଆକ୍ଟିଭ ଗେମର୍ସ, ଏଥିରୁ ୨.୩ କୋଟି ଚଳିତ ବର୍ଷ ଯୋଡ଼ି ହୋଇଛନ୍ତି
- ମହିଳା ଗେମର୍ସଙ୍କ ସଂଖ୍ୟା ବଢିଛି, ମୋଟ ଗେମର୍ସଙ୍କ ମଧ୍ୟରେ ୪୪ ପ୍ରତିଶତ ଅର୍ଥାତ୍ ୨୬ କୋଟି ମହିଳା
- ମେଟ୍ରୋ ସିଟି ଅପେକ୍ଷା ନନ୍-ମେଟ୍ରୋ ସିଟିରେ ଅଧିକ ଗେମର୍ସ ଅଛନ୍ତି
- ୪୩ ପ୍ରତିଶତ ଗେମର୍ସଙ୍କ ବୟସ ୧୮-୩୦ ବର୍ଷ ମଧ୍ୟରେ, ୩୦-୪୫ ବୟସ ମଧ୍ୟରେ ୨୯ ପ୍ରତିଶତ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ ଗେମର୍ସଙ୍କ ସଂଖ୍ୟା ୨୮ ପ୍ରତିଶତ ରହିଛି
ରିପୋର୍ଟରେ କୁହାଯାଇଛି ଯେ ରିୟଲ ମନି ଗେମିଂ (ଆରଏମଜି) ପ୍ଲାଟଫର୍ମ ଦୁଇ କ୍ରିକେଟ୍ ୱାର୍ଲ୍ଡ କପ୍ ଏବଂ ଗୋଟିଏ ଆଇପିଏଲ୍ ଇଭେଣ୍ଟ ସମେତ ଲାଇଭ୍ ସ୍ପୋର୍ଟ୍ସ ସିଜିନ ଯୋଗୁଁ ନିଜ ରେଭେନ୍ୟୁରେ ୪୦୦ ମିଲିୟନ ଡଲାର ଯୋଡ଼ିଛି । ତେବେ ୨୮ ପ୍ରତିଶତ ଜିଏସଟି ଯୋଗୁଁ ରିୟଲ ଗେମିଂର ରେଭେନ୍ୟୁ ପ୍ରଭାବିତ ହୋଇଛି ଏବଂ ଲାଭ ମଧ୍ୟ କମ ହୋଇଛି । ଏଥିରେ କୁହାଯାଇଛି ଯେ କାଜୁଆଲ୍ ଏବଂ ହାଇପରକାଜୁଆଲ୍ ଗେମ୍ସରେ ଏହି-ଆପ ପରଚେଜିଂ ରେଭେନ୍ୟୁରେ ୧୦ ପ୍ରତିଶତ CAGR ବୃଦ୍ଧି ଦେଖିବାକୁ ମିଳିଛି ।
ଭାରତ ଏବେ ମୋବାଇଲ୍ ଗେମିଂ ଡାଉନଲୋଡ୍ ମାମଲାରେ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ବଜାର । ଏହା ଆମେରିକା ଏବଂ ବ୍ରାଜିଲଠାରୁ ୩.୫ ଗୁଣା ବଡ଼ । ଆର୍ଥକ ବର୍ଷ ୨୪ରେ ୨.୩ କୋଟି ନୂଆ ଗେମର୍ସଙ୍କୁ ଯୋଡ଼ି ଭାରତୀୟ ଗେମିଂ ବଜାର ୫୯ କୋଟି ଗେମର୍ସଙ୍କ ସଂଖ୍ୟା ଛୁଇଁଛି । FY ୨୪ରେ ୮୦ ଲକ୍ଷ ନୂଆ ପେଡ୍ ୟୁଜର୍ସ ଯୋଡ଼ି ହେବା ପରେ ମୋଟ ପେଡ୍ ୟୁଜର୍ସଙ୍କ ସଂଖ୍ୟା ୧୪.୮ କୋଟି ହୋଇଛି । ଭାରତରେ ଗେମର୍ସ ସପ୍ତାହରେ ହାରାହାରି ୧୦ରୁ ୧୩ ଘଣ୍ଟା ସମୟ ଦେଉଛନ୍ତି । ଗେମରେ ସମୟ ବିତାଯାଉଥିବା ହାରାହାରି ସାପ୍ତାହିକ ସମୟ ୩୦ ପ୍ରତିଶତ ବଢି ୧୦ ଘଣ୍ଟାରୁ ୧୩ ଘଣ୍ଟା ହୋଇଛି ।