ମହାରାଷ୍ଟ୍ରରେ ମହାଯୁତି ମେଣ୍ଟ ଜିତିଲେ ସିନ୍ଦେ ନା ଫଡନବୀଶ କିଏ ହେବେ ମୁଖ୍ୟମନ୍ତ୍ରୀ? ଜବାବ ରଖିଲା BJP

Published By : Prameya-News7 Bureau | November 15, 2024 IST

ମୁମ୍ବାଇ ୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ଲାଗି ଭୋଟ ଗ୍ରହଣ ନଭେମ୍ବର ୨୦ ରେ ଓ ଭୋଟ ଗଣନା ୨୩ ତାରିଖରେ ହେବ। ଏଥର ନିର୍ବାଚନ କ୍ଷମତାସୀନ  ମହାଯୁତି ଓ ବିରୋଧୀ ମହାବିକାଶ ଅଘାଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ତେବେ ସବୁଠୁ ଖାସ କଥା ହେଉଛି ଉଭୟ ମେଣ୍ଟ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନକୁ ଯାଉଛନ୍ତି। ଏଣୁ ମହାରାଷ୍ଟ୍ରରେ ଆଗାମୀ ସରକାର କେଉଁ ମେଣ୍ଟର ହେବ ଭେ ତା ଉପରେ ସମସ୍ତଙ୍କ ନଜର, ଏହା ସହିତ ଲୋକେ ଏହା ମଧ୍ୟ ଜାଣିବାକୁ ଉତ୍ସୁକ ସେମାନଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ କିଏ?

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାଯୁତି ଓ ମହାବିକାଶ ଅଘାଡ଼ି ମଧ୍ୟରେ ଜାରି ସଂଗ୍ରାମ ମଧ୍ୟରେ ମହାରାଷ୍ଟ୍ର ଭିଜେପି ନେତା ବିନୋଦ ତାବଡେ ଏଥର ପୁଣି ମହାଯୁତି ମେଣ୍ଟ ସରକାରକୁ ଆସିବ ବୋଲି ଦାବି କରିଛନ୍ତି। ଏହା ସହିତ ସେ ମହାଯୁତି ପକ୍ଷରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମଧ୍ୟ କହିଛନ୍ତି। ତାବଡେଙ୍କୁ ଯେତେବେଳେ ପଚରା ଗଲା ମହାଯୁତି ସରକାର ହେଲେ ସିନ୍ଦେ ନା ଫଡନବୀଶ କିଏ ହେବ ମୁଖ୍ୟମନ୍ତ୍ରୀ? ଏହାର ଜବାବରେ ସେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଚର୍ଚ୍ଚା ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବା ପରେ ହିଁ ହେବ ବୋଲି କହିଛନ୍ତି। 

ଏକ ମରାଠୀ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ବିଜେପି ନେତା କହିଛନ୍ତି ଯେ ମହାଯୁତିରେ ସଂଖ୍ୟାବଳକୁ ନେଇ ମୁଖ୍ୟମନ୍ତ୍ରୀ ପଦ ନିର୍ଦ୍ଧାରଣ ଭଳି କୌଣସି କଥା ନାହିଁ, ଆମେ ନିର୍ବାଚନ ସମାପ୍ତ ହେବା ପରେ ଯାଇ ଏହା ଉପରେ ଆଲୋଚନା କରିବୁ। ସେ ବିହାରର ଉଦାହରଣ ଦେଇ ସଂଖ୍ୟାବଳର କୌଣସି କଥା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିହାରରେ ଆମର ବିଧାୟକଙ୍କ ସଂଖ୍ୟା ଅଧିକ ହେଲେ ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଦିଆଯାଇଛି। 

ତେବେ ତାବଡେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମହାରାଷ୍ଟ୍ରର ହୀତକୁ ଧ୍ୟାନରେ ରଖି ମହାଯୁତିର ଆଗାମୀ ସରକାରର ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିବାକୁ ହେବ। ସେ କହିଛନ୍ତି ଯେ ଏହା ସରପ୍ରାଇଜ ନାମ ବି ହୋଇପାରେ। ତାବଡେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାଯୁତିକୁ ୧୬୦ ଆସନ ମିଳିବାର ଆଶା କରାଯାଉଛି। ଏଥିରୁ ବିଜେପିକୁ ୯୫ରୁ ୧୧୦ ସିଟ୍ ମିଳିପାରେ।   ଅଜିତ ପାୱାରଙ୍କୁ ୨୫-୩୦ଟି ସିଟ୍ ମିଳିବାର ଆକଳନ କରାଯାଉଥିବା ବେଳେ ଏକନାଥ ସିନ୍ଦେଙ୍କ ପାର୍ଟିକୁ ୪୦ରୁ ୪୫ଟି ସିଟ୍ ମିଳିପାରେ ବୋଲି ଆଶା କରାଯାଉଛି। 

ଏହା ପୂର୍ବରୁ ନିତିନ ଗଡକରୀ କହିଥିଲେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ। ସେ କହିଥିଲେ ଯେ ନିର୍ବାଚନର ନେତୃତ୍ୱ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାର ନେଉଛନ୍ତି। ସେ କହିଛନ୍ତି ଯେ ପାର୍ଟି ହାଇକମାଣ୍ଡ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ନିର୍ବାଚନ ପରେ ନେତୃତ୍ୱ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ପାର୍ଟିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.