ସପ୍ତାହରେ ୭୦ ଘଣ୍ଟା କାମ ବୟାନ ଉପରେ ଏବେ ବି ସ୍ଥିର ନାରାୟଣ ମୂର୍ତ୍ତି, କହିଲେ- ମଲା ଯାଏ ବଦଳିବନି ଚିନ୍ତାଧାରା

Published By : Prameya-News7 Bureau | November 15, 2024 IST

ନୂଆଦିଲ୍ଲୀ: ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା ୱାର୍କ କଲ୍‌ଚର ସପକ୍ଷରେ ପୁଣି ଥରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କଠିନ ପରିଶ୍ରମ ହିଁ ଭାରତକୁ ବିକାଶ ମାର୍ଗରେ ଆଗକୁ ନେଇପାରିବ । ସିଏନବିସି ଗ୍ଲୋବାଲ୍ ଲିଡରଶିପ୍ ସମ୍ମିଳନୀରେ ନାରାୟଣ ମୂର୍ତ୍ତି କହିଛନ୍ତି, 'କ୍ଷମା କରିବେ କନ୍ତୁ ମୋର ଚିନ୍ତାଧାରା ବଦଳିବ ନାହିଁ । ଏହି ବିଚାରଧାରା ମୋର ମୃତ୍ୟୁ ଯାଏ ରହିବ ।' ଇନଫୋସିସ୍ ପ୍ରତିଷ୍ଠାତା କହିଛନ୍ତି ଯେ ୧୯୮୬ ଯେତେବେଳେ ଭାରତରେ ସପ୍ତାହରେ ୬ ଦିନରୁ ୫ ଦିନ କାମକୁ ଶିଫ୍ଟ ହେଲା, ମୁଁ ବହୁତ ଦୁଃଖି ହୋଇଥିଲି । ସେ କହିଛନ୍ତି ଯେ ଦେଶକୁ ବିକଶିତ କରିବାର ଅଛି ଯଦି ବିଶ୍ରାମ ନୁହେଁ ବରଂ କିଛି ତ୍ୟାଗ କରିବାକୁ ହେବ ।

ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସପ୍ତାହରେ ୧୦୦ ଘଣ୍ଟା କାମ କରୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ଏତେ ପରିଶ୍ରମ କରୁଛନ୍ତି, ତେବେ ଆମେ କାହିଁକି ନୁହେଁ । ଆମେ ମଧ୍ୟ କାମ କରିବା ଦରକାର ଏବଂ ଦେଶକୁ ଆଗକୁ କିପରି ଆଗକୁ ବଢାଯିବ ତାହା ଉପରେ ବିଚାର କରିବା ଦରକାର । ସେ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଏବଂ ଜାପାନ କିପରି ବିକାଶ କଲେ ଏବଂ ଧନୀ ରାଷ୍ଟ୍ର ହେଲେ, ତାହା ଦେଖି, ଶିଖିବା ଦରକାର । ଭାରତ ମଧ୍ୟ ସେହି ମାର୍ଗରେ ଆଗକୁ ବଢିବା ଦରକାର ଏବଂ ଏଥିରୁ ହିଁ ରାଷ୍ଟ୍ରର ପୁନର୍ନିର୍ମାଣ ସମ୍ଭବ ହୋଇପାରିବ । ଜର୍ମାନୀ ଏବଂ ଜାପାନ ଲୋକ ଯେପରି ଉଦ୍ୟମ କଲେ, ଆମକୁ ମଧ୍ୟ ସେହିପରି ପ୍ରୟାସ କରିବାକୁ ପଡ଼ିବ ।

ନାରାୟଣ ମୂର୍ତ୍ତି କହିଛନ୍ତି ଯେ ମୁଁ ମୋର ସାରା ଜୀବନ ଏହି ଚିନ୍ତାଧାରାର ପାଳନ କରିଛି ଏବଂ ସବୁବେଳେ ୧୪ ଘଣ୍ଟା କାମ କରିଛି । ସେ କହିଛନ୍ତି ଯେ ମୁଁ ସପ୍ତାହରେ ସାଢେ ୬ ଦିନ କାମ କରୁଥିଲି । ମୋର ଲାଇଫଷ୍ଟାଇଲକୁ ନେଇ ମୁଁ ଗର୍ବିତ । ୭୮ ବର୍ଷୀୟ ବ୍ୟବସାୟୀଙ୍କ ମତରେ ଦୁନିଆରେ ସଫଳ ହେବାର ଗୋଟିଏ ହିଁ ଉପାୟ, ତାହା ହେଉଛି କଠିନ ପରିଶ୍ରମ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.