ନୂଆଦିଲ୍ଲୀ ୧୫।୧୧: ସାଇବର ଅପରାଧୀ ଲୋକେ ବ୍ୟାଙ୍କରେ ଜମା ରଖୁଥିବା ସେମାନଙ୍କ କଷ୍ଟାର୍ଜିତ ଧନ ଥରକରେ ଉଡାଇ ନେବାକୁ ନୂଆ ନୂଆ ଚାଲ ଚଳାଉଛନ୍ତି। ନିକଟରେ ଡିଜିଟାଲ ଆରେଷ୍ଟକୁ ନେଇ ଆରମ୍ଭ କରାଯାଇଥିବା ସଚେତନତା ଅଭିଯାନ ପରେ ଠକମାନେ ଠକେଇ ପାଇଁ ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି। ସାଇବର ଠକଙ୍କ ଏହି ନୂଆ ଠକେଇ ସମ୍ପର୍କରେ ଲୋକେ ଅଭିଯୋଗ ମଧ୍ୟ କଲେଣି। ଏଥିରେ କୁହାଯାଇଛି ଇଣ୍ଟରନ୍ୟାସନାଲ ନମ୍ବରରୁ ଏକ କଲ ଆସୁଛି ଯାହାକୁ ରିସିଭ କରିବାମାତ୍ରେ ଲୋକ ଠକେଇର ଶିକାର ହେଉଛନ୍ତି।
ଇଣ୍ଟରନ୍ୟାସନାଲ କଲ ରିସିଭ କରିବାମାତ୍ରେ ଭଏସ ମ୍ୟାସେଜ ବାଜିବା ଆରମ୍ଭ ହୋଇଯାଉଛି। ଏହି ଭୟେସ ମ୍ୟାସେଜରେ ‘ଆପଣଙ୍କ ଲାଗି ସାଇବର ଅପରାଧ ବିଭାଗରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି। ଆପଣଙ୍କ ପର୍ସନାଲ କ୍ରିଡେନସିଆଲକୁ ଲଗାତାର ଡାର୍କ ୱେବରେ ଉପଯୋଗ କରାଯାଉଛି । ଯଦି ଆପଣ ୨ ଘଣ୍ଟା ମଧ୍ୟରେ ରିପୋର୍ଟ ନ କରନ୍ତି ତେବେ ଆମେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବୁ’ ବୋଲି ଧମକ ଆସୁଛି।
ଅଟୋମେଟିକ୍ ଭୟେସ ମ୍ୟାସେଜ ପରେ ଅଧିକ ସୂଚନା ଏକତ୍ର କରିବା ପାଇଁ ରିସିଭର କି ପ୍ୟାଡରେ ୯ ଟାଇପ୍ କରିବାକୁ କୁହାଯାଉଛି। କଲ ରିସିଭ କରିଥିବା ବ୍ୟକ୍ତି ୯ ଦବାଇବା ମାତ୍ରେ ଅପରପଟେ ବସିଥିବା ସାଇବର ଠକ କନେକ୍ଟ ହୋଇଯାଉଛି। ଅନ୍ୟପଟେ ବସିଥିବା ଦ୍ୱିତୀୟ ବ୍ୟକ୍ତି ନିଜକୁ ସାଇବର ଅପରାଧ ବିଭାଗର ପ୍ରତିନିଧି ହୋଇଥିବାର ପରିଚୟ ଦିଅନ୍ତି ଓ ସେ ରିସିଭରଙ୍କ ସମସ୍ୟା ସମାଧାନ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ସୂଚନା, ଆଧାର ନମ୍ବର ଓ ଅନ୍ୟ ବ୍ୟକ୍ତିଗତ ତଥ୍ୟ ମାଗିଥାଏ।
ଡାର୍କ ୱେବ୍ ଓ ଲିଗାଲ ଆକ୍ସନ ଭଳି ଓଜନିଆ ବାକ୍ୟରେ ଅଧିକାଂଶ ଲୋକେ ଆତଙ୍କିତ ହୋଇପଡୁଛନ୍ତି ଓ ନିଜର ଗୋପାନୀୟ ସୂଚନା ଠକକୁ ଦେଇ ଦେଉଛନ୍ତି। ଏପରି ମାମଲାରେ ଅଧିକାଂଶ କଲ ଇଣ୍ଟରନ୍ୟାସନାଲ ନମ୍ବରରୁ ଆସିଥାଏ। ଏହି ନମ୍ବର ସବୁ ଅଜବ ପ୍ରକାରର। ଠକାମୀରୁ ବର୍ତ୍ତିବାକୁ ସବୁଠୁ ଭଲ ଉପାୟ ଏପରି କଲକୁ ଇଗ୍ନୋର କରି ଦିଅନ୍ତୁ। ଯଦି ବି ଆପଣ ଏପରି କଲ ରିସିଭ କରିଛନ୍ତି ତେବେ କି ପ୍ୟାଡରେ କୌଣସି ନମ୍ବର ଟାଇପ କରନ୍ତୁ ନାହିଁ। ଲୋକଙ୍କୁ ସଚେତନ କରିବା ପାଇଁ ବାରମ୍ବାର କୁହାଯାଉଛି କୌଣସି ବ୍ୟାଙ୍କ ଅଥବା ଯାଞ୍ଚ ଏଜେନ୍ସୀ ଫୋନ କରି କହାରିକୁ କୌଣସି ସୂଚନା ମାଗନ୍ତି ନାହିଁ। ଏଣୁ ଏପରି ଠକଙ୍କ ଠାରୁ ସାବଧାନ ରହନ୍ତୁ।