କ୍ଷୀର ଅପମିଶ୍ରିତ ହୋଇଛି କି ନାହିଁ ? ମାତ୍ର ୧ ଟଙ୍କାରେ ହୋଇପାରିବ ଯାଞ୍ଚ

Published By : Prameya-News7 Bureau | November 15, 2024 IST

ନୂଆଦିଲ୍ଲୀ ୧୫।୧୧: ବଜାରକୁ ଆସୁଛି ଅନେକ କମ୍ପାନୀର କ୍ଷୀର । ସମସ୍ତେ ଶୁଦ୍ଧତା ଦାବି କରି ବଜାରରେ କରୁଛନ୍ତି କ୍ଷୀର ବିକ୍ରି । ଏଥିପାଇଁ ପ୍ରାୟ ସମସ୍ତେ ଅପମିଶ୍ରିତ କ୍ଷୀର ଖାଉଛନ୍ତି । ଆଉ ଅନେକ ରୋଗର ହେଉଛନ୍ତି ଶିକାର। କିନ୍ତୁ ଏହି ଅପମିଶ୍ରିତ କ୍ଷୀରକୁ ଚିହ୍ନିବେ କେମିତି ? ବାସ୍ତବରେ କ୍ଷୀରର ଶୁଦ୍ଧତା ଯାଞ୍ଚ ପାଇଁ ଆସିଛି ନୂଆ ଡିଭାଇସ୍‌ । 

ଏହା ସାହାଯ୍ୟରେ ବର୍ତ୍ତମାନ ସାଧାରଣ ଲୋକ ଘରେ ବସି ମାପିପାରିବେ କ୍ଷୀରର ଶୁଦ୍ଧତା । ଏକ ଛୋଟ ଚିପ୍ ସାହାଯ୍ୟରେ କ୍ଷୀରର ଶୁଦ୍ଧତାକୁ ଚିହ୍ନଟ କରାଯାଇପାରିବ । ଯାହାର ଦାମ୍ ମଧ୍ୟ ବହୁତ କମ୍ । ବାସ୍ତବରେ ଏହି ଚିପ୍‌ର ଦାମ୍ କେବଳ ୧ଟଙ୍କା । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁରର ଇନକ୍ୟୁବେସନ ସେଣ୍ଟରରେ ଏହି ଚିପ୍ ତିଆରି କରାଯାଇଛି । ଏହି ଚିପ୍‌ ସାହାଯ୍ୟରେ ମାତ୍ର ୮-୧୦ ସେକେଣ୍ଡରେ କ୍ଷୀରର ଅପମିଶ୍ରଣ ବିଷୟରେ ଜାଣି ହେବ। 

ଡିଭାଇସ୍‌ର ନାଁ ହେଉଛି ମିଲ୍କିଟ୍ । କୁହାଯାଇଛି କି କ୍ଷୀରରେ ଡିଟରଜେଣ୍ଟ, ୟୁରିଆ ଅପମିଶ୍ରଣ କିମ୍ବା ନକଲି କ୍ଷୀର ହୋଇଥାଏ, ତେବେ ଏହା ୮ ସେକେଣ୍ଡ ମଧ୍ୟରେ ଜଣାପଡିବ । କିଟ୍କୁ କ୍ଷୀରରେ ପକେଇବା ମାତ୍ରେ ୮ ପ୍ରକାରର ଅପମିଶ୍ରଣକୁ ଚିହ୍ନଟ କରିବାରେ ସକ୍ଷମ ହେବ ଏହି ଚିପ୍‌ । ଯଦି କ୍ଷୀରରେ ଅପମିଶ୍ରଣ ହୋଇଥିବ ତେବେ ବଦଳିଯିବ କ୍ଷୀରର ରଙ୍ଗ । 

ଏହି ପେପର୍‌ କିଟ୍ କ୍ଷୀରରେ ଥିବା ୟୁରିଆ, ଡିଟରଜେଣ୍ଟ, ଷ୍ଟାର୍ଚ୍ଚ, ବୋରିକ୍ ଏସିଡ୍, ସାବୁନ୍, ଜୀବାଣୁ ଏବଂ ଅନ୍ୟାନ୍ୟ ଅପମିଶ୍ରଣ ବିଷୟରେ ସୂଚନା ଦେବ । ପେପର ସିଟ୍‌ରେ ଅଲଗା ଅଲଗା ରଙ୍ଗର କାଗଜ ରହିଛି । ଶୁଦ୍ଧ ଏବଂ ଅପମିଶ୍ରିତ କ୍ଷୀର ପାଇଁ ପୃଥକ କାଗଜ ତିଆରି କରାଯାଇଛି । ପେପର୍‌ କିଟ୍‌ରେ ୮ ପ୍ରକାରର ଅପମିଶ୍ରଣ ପରୀକ୍ଷା କରାଯାଇପାରେ । କିଟ୍ର ମଝିରେ ଗୋଟିଏ ବୁନ୍ଦା କ୍ଷୀର ପକାଇବାର ମାତ୍ର ୧୦ ସେକେଣ୍ଡ ମଧ୍ୟରେ ବଦଳିଯିବ କ୍ଷୀରର ରଙ୍ଗ । ରଙ୍ଗ ଆଧାରରେ ଜଣା ପଡିବ କ୍ଷୀରରେ କ’ଣ ହୋଇଛି ଅପମିଶ୍ରଣ ? 

ଆଇଆଇଟି ପକ୍ଷରୁ କୁହାଯାଇଛି ଯେ ଏହି ଉପକରଣକୁ ଡିସେମ୍ବର ମାସରେ ବଜାରରେ ଲଞ୍ଚ କରିବ । ଏହାର ଯାଞ୍ଚକୁ ମଧ୍ୟ ଓକେ କରିଛି DRDO । ଏହି ଡିଭାଇସ୍‌କୁ ଆଇଆଇଟି କାନପୁରର ଇନକ୍ୟୁବେସନ ସେଣ୍ଟର ସହାୟତାରେ ଅନୁସନ୍ଧାନକାରୀ ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରିଛନ୍ତି । ଡିଭାଇସ୍ ତିଆରି କରିଥିବା ଏସ୍ନିଫ୍ ଡିଭାଇସ୍ ପ୍ରାଇଭେଟ ଲିମିଟେଡର ମୁଖ୍ୟ କହିଛନ୍ତି ଯେ ଦୁଗ୍ଧ ଶିଳ୍ପରେ ଅପମିଶ୍ରଣକୁ ଚିହ୍ନଟ କରିବା ପାଇଁ ଏହି ଉପକରଣ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଡିଭାଇସ୍ ପାଇଁ ୧୫ ହଜାରରୁ ଅଧିକ ଅର୍ଡର ମିଳିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.