ନୂଆଦିଲ୍ଲୀ ୧୬।୧୧: ସୁନା ଓ ତେଲର ଅଧିକ ଆମଦାନୀ ପାଇଁ ଅର୍ଥଶାସ୍ତ୍ରୀ ଆମଦାନୀ ବିଲ ବୃଦ୍ଧିର କାରଣ କହୁଛନ୍ତି। ଅପରପଟେ ବାଣିଜ୍ୟ ସଚିବ ଭାରତର ଅଣ ପେଟ୍ରୋଲିୟମ ରପ୍ତାନୀ ବୃଦ୍ଧି ହୋଇ ୨୧୧.୩ ବିଲିୟନ ଡଲାରର ଉଚ୍ଚତମ ସ୍ତରକୁ ଛୁଇଁଥିବାର କହିଛନ୍ତି। ଡାଇରେକ୍ଟୋରେଟ ଜେନେରାଲ କମର୍ସିଆଲ ଇଣ୍ଟେଲିଜେନ୍ସୀ ଆଣ୍ଡ ଷ୍ଟାଟିଷ୍ଟିକ୍ସ (ଡିଜିସିଆଇଏସ୍) ଦ୍ୱାରା ଜାରି ଅଧିକାରୀକ ତଥ୍ୟ ଅନୁସାରେ ଗତ ଅକ୍ଟୋବରରେ ଭାରତ ୩୯.୨ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟୀକ ରପ୍ତାନୀ କରି ନୂଆ କିର୍ତ୍ତିମାନ ସ୍ଥାପନା କରିଛି।
ଡିଜିସିଆଇଏସ ଙ୍କ ଅନୁସାରେ ଗତ ୧ ଦଶନ୍ଧୀରେ ଏହା ଏପର୍ଯ୍ୟନ୍ତର ସବୁଠୁ ଅଧିକ ରପ୍ତାନୀ, ଯାହା ବୈଶ୍ୱିକ ବ୍ୟାପାରରେ ଦେଶର ବୃଦ୍ଧିପାଉଥିବା କ୍ଷମତାକୁ ଦର୍ଶାଉଛି। ତଥ୍ୟରୁ ଜଣାପଡିଛି ଯେ ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ ରସାୟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଜଭୁତ ପ୍ରଦର୍ଶନ କରିଛନ୍ତି। ଏହି କ୍ଷେତ୍ରରେ ହୋଇଥିବା ନୀତିଗତ ସୁଧାର ଓ ବଢୁଥିବା ପ୍ରତିଯୋଗୀତା ରପ୍ତାନୀ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି।
ଡିଜିସିଆଇଏସ୍ ଙ୍କ ତଥ୍ୟ ଅନୁସାରେ ଅଣ ପେଟ୍ରୋଲିୟମ ରପ୍ତାନୀ ଏପ୍ରିଲ-ଅକ୍ଟୋବର ୨୦୨୪ ମଧ୍ୟରେ ୨୧୧.୩ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚି ନୂଆ କିର୍ତ୍ତିମାନ ସ୍ଥାପନା କରିଛି। ଯାହା ଗତବର୍ଷର ଏହି ଅବଧି କାଳରେ ୧୯୬.୯ ବିଲିୟନ ଆମେରିକୀୟ ଡଲାରରୁ ଅଧିକ। ଏଥିରେ କୁହାଯାଇଛି ଉତ୍ପାଦନ ଲିଙ୍କଡ ପ୍ରୋତ୍ସାହନ (ପିଏଲଆଇ) ଯୋଜନା, ଉନ୍ନତ ଲଜିଷ୍ଟିକ୍ ଇନଫ୍ରାଷ୍ଟ୍ରକଚର ଓ ଡିଜିଟାଲ ବ୍ୟାପାର ପ୍ରକ୍ରିୟା ଭଳି ଅନୁକୁଳ ସରକାରୀ ଉଦ୍ୟମ ଏହି ରପ୍ତାନୀ ବୃଦ୍ଧିକୁ ପ୍ରୋତ୍ସାହିତ କରିଛି।