ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ ଡି.ଗୁକେଶ ଚେସ୍ର ନୂଆ ଫର୍ମାଟ୍ ଫ୍ରିଷ୍ଟାଇଲ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଚମକପଦ ପ୍ରଦର୍ଶନ ଦେଖାଇବାରେ ବିଫଳ ରହିଛନ୍ତି । ପ୍ରଥମ ଚାରୋଟି ପର୍ଯ୍ୟାୟରେ ସେ ତିନି ଡ୍ର’ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ହରାଇବାକୁ ପଡ଼ିଛି । ଫ୍ରାନ୍ସର ଅଲିରେଜାଙ୍କଠାରୁ ସେ ପରାଜିତ ହୋଇଛନ୍ତି ।
ଗ୍ରୁପ୍ ଷ୍ଟେଜରେ ଏବେ ୫ଟି ପର୍ଯ୍ୟାୟ ରହିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ଗୁକେଶଙ୍କୁ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ଶୀର୍ଷ ୮ରେ ସ୍ଥାନରେ ରହିବାକୁ ପଡ଼ିବ । ଶୀର୍ଷ ୮ ଖେଳାଳିଙ୍କ ମଧ୍ୟରେ ରହିବାକୁ ହେଲେ ଗୁକେଶଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଫ୍ୟାବିୟାନୋ କାରୁଆନା ଏବଂ ସିନ୍ଦାରୋଭ ୩.୫-୩.୫ ଅଙ୍କ ସହ ଶୀର୍ଷରେ ଅଛନ୍ତି । ବିଶ୍ୱର ଏକ ନମ୍ୱର ଖେଳାଳି ମାଗନସ୍ କାର୍ଲସନ ଦୁଇଟି ବିଜୟ ଏବଂ ଦୁଇଟି ପରାଜୟ ଦେଖିଛନ୍ତି ।
ଚେସ୍ର ଏହି ନୂଆ ଫର୍ମାଟକୁ ଜର୍ମାନୀର ଉଦ୍ୟୋଗୀ ଜନ୍ ହେନରିକ୍ ବ୍ୟୁଟଲର୍ ଆରମ୍ଭ କରିଛନ୍ତି । ଏହି ଫର୍ମାଟରେ ଗୋଟିଗୁଡ଼ିକୁ ସ୍ଥାୟୀ ପରିବର୍ତ୍ତେ ଭିନ୍ନ ଭିନ୍ନ ପୋଜିସନରେ ରଖାଯାଇଥାଏ । ପୂର୍ବତନ ବିଶ୍ୱ ଚେସ୍ ଚାମ୍ପିଅନ ବବି ଫିଶରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ୯୬୦ ଚେସ୍କୁ ଫ୍ରି ଷ୍ଟାଇଲ୍ ନାଁରେ ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିରେ ଗୋଟିଗୁଡ଼ିକ ପ୍ରାରମ୍ଭିକ ସ୍ଥିତିକୁ ବଦଳା ଯାଇଥାଏ । ପ୍ରତିଯୋଗିତାରେ ମୋଟ ୧୦ ଜଣ ଖେଳାଳି ସର୍ବପ୍ରଥମେ ରାଉଣ୍ଡ ରବିନ୍ ଆଧାରରେ ରାପିଡ୍ ଫର୍ମାଟରେ ମୁକାବିଲା ଖେଳିବେ । ଏହାପରେ ଶୀର୍ଷ ୮ ଖେଳାଳି ପ୍ଲେ ଅଫ୍ରେ ପ୍ରବେଶ କରିବେ । ସେଠାରୁ ବେଷ୍ଟ ଅଫ୍ ଟୁ ଆଧାରରେ କ୍ଲାସିକଲ୍ ଫର୍ମାଟରେ ମୁକାବିଲା ଖେଳାଯିବ ।
ଫେବ୍ରୁଆରୀ ୭-୮ ରାଉଣ୍ଡ ରବିନ୍ ଷ୍ଟେଜ୍, ଫେବ୍ରୁଆରୀ ୯-୧୦ କ୍ୱାର୍ଟର ଫାଇନାଲ୍, ଫେବ୍ରୁଆରୀ ୧୧-୧୨ରେ ସେମିଫାଇନାଲ୍ ଏବଂ ପ୍ଲେ ଅଫ୍ । ପେବ୍ରୁଆରୀ ୧୩-୧୪ରେ ଫାଇନାଲ୍ ମୁକାବିଲା ଖେଳାଯିବ । ପ୍ରତିଯୋଗିତାରେ ମୋଟ ୬ ଲକ୍ଷ ୬୦ ହଜାର ଡଲାର ପୁରସ୍କାର ଦିଆଯିବ । ଏଥିରୁ ବିଜେତା ଖେଳାଳିଙ୍କୁ ମୋଟ ୨ ଲକ୍ଷ ଡଲାର ଅର୍ଥାତ୍ ୧ କୋଟି ୬୦ ଲକ୍ଷ ଟଙ୍କା ମିଳିବ ।