ନୂଆଦିଲ୍ଲୀ ୮।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ)ର ପରାଜୟ ପରେ ଏବେ ପଞ୍ଜାବରେ ରାଜନୈତିକ ସମୀକରଣ ବଦଳିବ। ଆପ ସୁପ୍ରିମୋ ଅରବିନ୍ଦକେଜରିୱାଲ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ ଉଦ୍ୟମ କରିବେ ବୋଲି ଆକଳନ କରାଯାଉଛି। ଏବେ କଂଗ୍ରେସର ବରିଷ୍ଠ ନେତା ପଞ୍ଜାବରେ ମଧ୍ୟାବଧି ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଅଣ୍ଟାଭିଡିବାକୁ କହୁଛନ୍ତି। କଂଗ୍ରେସ ନେତାମାନେ କହୁଛନ୍ତି ଏବେ ସେହି ଭୋଟରଙ୍କ ସହ ସମ୍ପର୍କ କରିବାକୁ ପଡିବ ଯେଉଁମାନେ ଆପକୁ ଚାଲିଯାଇଥିଲେ।
ଏଥିରୁ କଂଗ୍ରେସ ଏବେ ପଞ୍ଜାବରେ ଆପ ଶାସନର ଅସୁବିଧାଗୁଡିକୁ ଉଜାଗର କରିବା ପାଇଁ ବଡ଼ ଧରଣର ଅଭିଯାନ ଚଳାଇବ, ଯେଉଁଥିରେ ଅଧୁରା ପ୍ରତିଶ୍ରୁତି, ଆଇନ ଶୃଙ୍ଖଳା ଓ ଆର୍ଥିକ ଆହ୍ୱାନ ଭଳି ପ୍ରସଙ୍ଗ ଉପରେ ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରିବ, ଯାହା ଦ୍ୱାରା ଆପକୁ ପ୍ରଭାବହୀନ ଦେର୍ଶା ଯାଇ ପାରେ। ଏହା ଦ୍ୱାରା ରାଜ୍ୟରେ ପୁଣି ଥରେ କଂଗ୍ରେସକୁ ନିଜ ସ୍ଥାନ ହାସଲ କରିବାକୁ ସୁଯୋଗ ମିଳିପାରେ। ଖାସକରି ସେତେବେଳେ ଯେତେବେଳେ ରାଜ୍ୟରେ ଆପର ଉଦୟ କଂଗ୍ରେସ ଭୋଟରଙ୍କ ଆଧାରରେ ହୋଇଛି।
ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ଦିଲ୍ଲୀରେ ସୋଚନୀୟ ପରାଜୟ ପରେ ଅରବିନ୍ଦ କେଜରିୱାଲ ଏବେ ପଞ୍ଜାବକୁ ମୁହାଁଇବେ, ଯେଉଁଠି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରିବେ। ଏଥିରେ ସେ ଆପର ରାଜ୍ୟ ସଭାପତି ଅମନ ଆରୋରାଙ୍କ ବୟାନକୁ ଉଲ୍ଲେଖ କରିଛନ୍ତି। କିଛିଦିନ ପୂର୍ବେ ଆରୋରା କହିଥିଲେ ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ହିନ୍ଦୁ ବି ହୋଇ ପାରନ୍ତି ଓ ମୁଖ୍ୟମନ୍ତ୍ରୀ ପଦବୀରେ ବସିବାକୁ ଥିବା ବ୍ୟକ୍ତି ଯୋଗ୍ୟ ହୋଇଥିବା ଦରକାର ତାଙ୍କୁ ହିନ୍ଦୁ ଅଥବା ଶିଖ ଚଷମାରେ ଦେଖିବା ଉଚିତ ନୁହେଁ ବୋଲି କହିଥିଲେ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆରୋରାଙ୍କ ବୟାନ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ହୋଇପାରେ। ଆପ ନେତୃତ୍ୱ ଏବେ କୌଣସି ପ୍ରକାରେ ପଞ୍ଜାବରେ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ଲୁଧିଆନାରେ ବର୍ତ୍ତମାନ ଆପ ବିଧାୟକଙ୍କ ପରଲୋକ ପରେ ବିଧାନସଭାର ଏକ ଆସନ ପୂର୍ବରୁ ଖାଲି ପଡିଛି ଓ ଏଠାରୁ କେଜରିୱାଲ ଉପନିର୍ବାଚନ ଲଢିବା ସୁବିଧାଜନକ ହୋଇପାରେ।
ତେବେ ଗୁରଦାସପୁର କଂଗ୍ରେସ ସାଂସଦ ସୁଖଜିନ୍ଦର ସିଂହ ରନ୍ଧାୱା କହିଛନ୍ତି ଯେ ଦିଲ୍ଲୀରେ ହାର ପରେ ଆମଆଦମୀ ପାର୍ଟି ବିଛାଡି ହୋଇ ଯାଇପାରେ। ଏଣୁ ପଞ୍ଜାବରେ ମଧ୍ୟାବଧି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ହେବ। ରନ୍ଧାୱା କହିଛନ୍ତି ଯେ ଆପର ୩୫ ବିଧାୟକ ଅନ୍ୟ ପାର୍ଟିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ପଞ୍ଜାବରେ ମଧ୍ୟ ବଡ଼ଧରଣର ଅନିୟମିତତା ସାମ୍ନାକୁ ଆସିପାରେ। ମଦ ଓ ଧାନକ୍ରୟରେ ଏମଏସପି ଗଡ଼ବଡ଼ି ସାମ୍ନାକୁ ଆସିପାରେ। କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖୈହରା ଏହି ହାରକୁ ପାର୍ଟି ଓ ଏହାର ଜାତୀୟ ସଂଯୋଜକଙ୍କ ନିମନ୍ତେ ଅପମାନଜନକ କହିଛନ୍ତି।