ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଗତ ଦୁଇ ମାସରେ ହୋଇଛି ୭୬ ଆକ୍ରମଣ: କେନ୍ଦ୍ର ସରକାର

Published By : Prameya-News7 Bureau | February 08, 2025 IST

indiatoday

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିବା ଆକ୍ରମଣକୁ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତ ସରକାର। ଏନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଲୋକସଭାରେ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ୨୬ ନଭେମ୍ବର, ୨୦୨୪ ରୁ ୨୫ ଜାନୁଆରୀ, ୨୦୨୫ ମଧ୍ୟରେ ପଡ଼ୋଶୀ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ମୋଟ ୭୬ଟି ଆକ୍ରମଣ କରାଯାଇଛି। 

ପଡ଼ୋଶୀ ଦେଶରେ ହିନ୍ଦୁ ଅତ୍ୟାଚାର ନେଇ ଲୋକସଭାରେ ଏକ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୪ ଠାରୁ ୨୩ ଜଣ ହିନ୍ଦୁ ପ୍ରାଣ ହରାଇଛନ୍ତି। ହିଂସାରେ ୧୫୨ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଭାରତ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ କୂଟନୈତିକ ସ୍ତରରେ ଉଠାଇଛି। ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପର ଆବଶ୍ୟକତା ନେଇ ଗୁରୁତ୍ୱ ଦେଇଛି ବୋଲି ମନ୍ତ୍ରୀ ଲୋକସଭାରେ ତଥ୍ୟ ରଖିଛନ୍ତି।

ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେବା ବଢ଼ି ଯାଇଛି। ଧାର୍ମିକ ଚରମପନ୍ଥୀମାନେ ହିନ୍ଦୁଙ୍କୁ ହତ୍ୟା, ଦୁଷ୍କର୍ମ କରିବା ସହିତ ମନ୍ଦିର ଭଙ୍ଗା ରୁଜା କରୁଛନ୍ତି। ହେଲେ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଭାରତ ସରକାର ବାରମ୍ବାର ଅଭିଯୋଗ କରୁଛନ୍ତି। 

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ଭାରତ ନେଇଥିବା ପଦକ୍ଷେପ ବିଷୟରେ କହି ଶ୍ରୀ ସିଂହ କହିଛନ୍ତି "୯ ଡିସେମ୍ବର  ୨୦୨୪ରେ ବୈଦେଶିକ ସଚିବଙ୍କ ବାଂଲାଦେଶ ଗସ୍ତ ବେଳେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲୁ। ସଂଖ୍ୟାଲଘୁଙ୍କ ସମେତ ବାଂଲାଦେଶର ସମସ୍ତ ନାଗରିକଙ୍କ ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ପ୍ରାଥମିକ ଦାୟିତ୍ୱ ବାଂଲାଦେଶ ସରକାରଙ୍କ ଉପରେ ନ୍ୟସ୍ତ। ଢାକାରେ ଥିବା ଭାରତୀୟ ଉଚ୍ଚାୟୋଗ ସଂଖ୍ୟାଲଘୁଙ୍କ ସହ ଜଡିତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।"

ତେବେ ଭାରତର କୂଟନୈତିକ ଆଲୋଚନା ପରେ, ବାଂଲାଦେଶୀ ସରକାର ୧୦ ଡିସେମ୍ବର ୨୦୨୪ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ସହ ଜଡିତ ୮୮ ଟି ମାମଲାରେ ୭୦ ଜଣଙ୍କୁ ଗିରଫ କରିଥିବା ଘୋଷଣା କରିଥିଲେ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ୧୨୫୪ ହିଂସା ହୋଇଛି ବୋଲି ବାଂଲାଦେଶ ସରକାର ରିପୋର୍ଟରେ ଜଣାପଡ଼ିଛି। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାର କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଲୋକସଭାରେ ସୂଚନା ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.