କଟକ ୮/୨: ସୁପର ସଣ୍ଡେରେ ସୁପର ମୁକାବିଲା । ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ରବିବାର ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ମ୍ୟାଚ ପୂର୍ବରୁ ବାରବାଟୀରେ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରାକ୍ଟିସ କରୁଛନ୍ତି ଭାରତୀୟ ଟିମ୍ । ରାତି ୮ଟା ଯାଏ ଅଭ୍ୟାସ ଚାଲିବ । ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ ଲାଗିଛି ।
ସେପଟେ ଖେଳପ୍ରେମୀଙ୍କ ପାଇଁ ଅଛି ଖୁସି ଖବର । ମ୍ୟାଚ ଖେଳିପାରନ୍ତି ବିରାଟ କୋହଲି । ସେ ଫିଟ୍ ଅଛନ୍ତି ଓ ଅଭ୍ୟାସ କରୁଥିବା ନେଇ ସୂଚନା ଆସିଛି । ପ୍ଲେଇଙ୍ଗ-୧୧ ନେଇ ନିଷ୍ପତ୍ତି ନେବେ କୋଚ୍ ଓ କ୍ୟାପ୍ଟେନ । ଏ ସଂପର୍କରେ ପ୍ରେସମିଟ୍ କରି ସୂଚନା ଦେଇଛି ଟିମ୍ ଇଣ୍ଡିଆ ।
ଖେଳାଳିମାନେ ଭୁବନେଶ୍ବର ମେ ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ ପାଇଁ ପରିବହନ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ । ଓସିଏ ପକ୍ଷରୁ ୫ଟି ସ୍ବତନ୍ତ୍ର ବସ୍ ସହ ଇନୋଭା ଗାଡି କମିଶନରେଟ୍ ପୋଲିସକୁ ହସ୍ତାନ୍ତର କରାଯାଇଛି । ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦର୍ଶକଙ୍କ ଅଧିକ ଭିଡକୁ ନଜରରେ ରଖି ଷ୍ଟାଡିୟମର ଗ୍ୟାଲେରି ନଂ-୫ରେ ବ୍ୟବସ୍ଥା କରାଯାଇଛି । ଏଥର ଷ୍ଟାଡିୟମକୁ ପାଣି ବୋତଲ ଓ ଫିଙ୍ଗିବା ଭଳି କୌଣସି ସାମଗ୍ରୀ ଉପରେ କଟକଣା ରହିଛି । ସେପଟେ ରବିବାର ମ୍ୟାଚ ପାଇଁ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।