'ସାମୟିକ ଯୁଦ୍ଧବିରତି ପାଇଁ ରାଜି ୟୁକ୍ରେନ, କଟକଣା ହଟାଇବେ ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ ୧୨/୦୩: ଋଷ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ୟୁକ୍ରେନ୍। ସାଉଦି ଆରବରେ ଆମେରିକା-ୟୁକ୍ରେନ୍ ଶାନ୍ତି କାଥାବାର୍ତ୍ତା ସଫଳ। ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବରେ ୟୁକ୍ରେନ୍ ରାଜି ହୋଇଛି । ୟୁକ୍ରେନ୍‌ର ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଏବେ ଅସ୍ତ୍ରବିରତି ପାଇଁ ପୁଟିନ ମାନିବେ ବୋଲି ଆଶା କରୁଛୁ। 

ଆଗାମୀ ଦିନରେ ୩ ବର୍ଷ ହେଲାଣି ଲାଗିରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ବିରାମ ଲାଗିପାରେ। ଏଥିପାଇଁ ମୁଁ ଖୁବଶୀଘ୍ର ପୁଟିନଙ୍କ ସହ ଆଲୋଚନା କରିବି।  ଋଷ ସହ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ସାଉଦି ଆରବର ରିୟାଦରେ ଆମେରିକା ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଛି । ଗତମାସରେ ୱାଶିଂଟନ ସ୍ଥିତ ହ୍ୱାଇଟ୍‌ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଉଭୟ ଦେଶ ପକ୍ଷରୁ ଏହା ପ୍ରଥମ ଆଲୋଚନା । 

ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଓ ଏନ୍‌ଏସ୍‌ଏ ମାଇକ୍‌ ୱାଲ୍‌ଜ ପ୍ରତିନିଧିତ୍ୱ କରୁଥିବା ବେଳେ ୟୁକ୍ରେନ ପକ୍ଷରୁ ଜେଲେନ୍‌ସ୍କିଙ୍କ ଘନିଷ୍ଠ ସହଯୋଗୀ ଆନ୍ଦ୍ରୀ ୟର୍‌ମାକ ଏହି ଆଲୋଚନାରେ  ଅଂଶଗ୍ରହଣ କରିଛନ୍ତି । ସାଉଦି ଆରବରେ ଉପସ୍ଥିତ ଥିବା ଜେଲେନ୍‌ସ୍କି ଏହି ଆଲୋଚନାରେ ସାମିଲ ହୋଇନାହାନ୍ତି । 

ମଙ୍ଗଳବାର ସେ ସାଉଦିର ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ସାକ୍ଷାତ କରିଥିଲେ । ତେବେ ଆଜିର ଏହି ଆଲୋଚନାରୁ  ଯୁଦ୍ଧ ବନ୍ଦର କୌଣସି ନିଷ୍କର୍ସ ବାହାରିବ ବୋଲି  ସେ ଆଶା ପ୍ରକାଶ କରିଛନ୍ତି । ୨୦୨୨ରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଆମେରିକା ଲଢ଼ିବା ଲାଗି ୟୁକ୍ରେନକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଆସୁଥିଲା । କିନ୍ତୁ ଆମେରିକାରେ  କ୍ଷମତା ପରିବର୍ତ୍ତନ ଘଟିବା ପରେ ତାର ଆଭିମୁଖ୍ୟ  ମଧ୍ୟ ବଦଳି ଯାଇଛି । 

ରାଷ୍ଟ୍ରପତି ଭାବେ ଟ୍ରମ୍ପ ଦାୟିତ୍ୱ  ଗ୍ରହଣ କରିବା ପରେ ୟୁକ୍ରେନକୁ ସାମରିକ, ଗୁଇନ୍ଦା ଓ ଆର୍ଥିକ ସହାୟତା ବନ୍ଦ କରିଦେଇଛନ୍ତି ।  ତେବେ ଆଜିର ଆଲୋଚନା ପୂର୍ବରୁ ରୁବିଓ ଗଣମାଧ୍ୟମକୁ କହିଥିଲେ ଯେ ସଂଘର୍ଷର ସୈନ୍ୟ ସମାଧାନ ସମ୍ଭବ ନୁହେଁ । ଋଷ ୟୁକ୍ରେନକୁ ସମ୍ପୂର୍ଣ୍ଣ  କବ୍‌ଜା କରିପାରିବ ନାହିଁ କିମ୍ବା ୟୁକ୍ରେନ ଋଷକୁ ୨୦୧୪ ବେଳର ସ୍ଥିତିକୁ ହଟାଇ ପାରିବ ନାହିଁ । ତେଣୁ  ଆଲୋଚନା ଦ୍ୱାରା ଏହାର ସମାଧାନ ହେବ । ଉଭୟ ରୁଷ ଓ ୟୁକ୍ରେନ କଠୋର ନିଷ୍ପତ୍ତି ପାଇଁ ପ୍ରସ୍ତୁତ ରହିବା ଉଚିତ । 

ଯୁଦ୍ଧ ବନ୍ଦ କରିବାକୁ ହେଲେ ୟୁକ୍ରେନକୁ କିଛି  ତ୍ୟାଗ କରିବାକୁ ହେବ । ଋଷ କବ୍‌ଜା କରିଥିବା ଜମି ୟୁକ୍ରେନକୁ ଛାଡିବାକୁ ହେବ । ସେପଟେ ୟୁକ୍ରେନ ଆଜି ଋଷ ଉପରେ ୩୩୭ ଡ୍ରୋନ ଆକ୍ରମଣ କରିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କେତେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ରୁଷ ୪ଟି ବିମାନବନ୍ଦରକୁ ବନ୍ଦ କରିଛି । କେତେକ ଡ୍ରୋନକୁ ଖସାଇ ଦେଇଛି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.