ଆମେରିକା ନାଟୋ ଛାଡିଲେ ଦୁର୍ବଳ ହୋଇପଡିବ ୟୁରୋପ, ୩ ରାଷ୍ଟ୍ର ଉପରେ ହମଲା କରିବ ଋଷ

Published By : Prameya-News7 Bureau | March 12, 2025 IST

ବ୍ରସେଲ୍ସ, ୧୨/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକଚାଟିଆ ନୀତି ଅନେକ ଦେଶ ପାଇଁ ଘାତକ ସାଜିଛି । ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି । ୟୁରୋପର ରାଜନୈତିକ ତଥା ସାମରିକ ମେଣ୍ଟ ‘ନାଟୋ’ରୁ ଆମେରିକା ଓହରିଯିବା ନେଇ ଆଶଙ୍କା ଦେଖାଦେଲାଣି । ଏହା ଉପରେ ଟ୍ରମ୍ପ୍‌ ପ୍ରଶାସନ ଗୁରୁତ୍ୱର ସହ ଚିନ୍ତା କରୁଛି । ଯଦି ସେଭଳି ଘଟେ, ତେବେ ସମଗ୍ର ୟୁରୋପ ଦୁର୍ବଳ ପାଲଟିବ । 

ବିଶେଷକରି ସେମାନଙ୍କର ପ୍ରତିରକ୍ଷା ବଳ ସଙ୍କୁଚିତ ହୋଇଯିବ । ଏହା ଦ୍ୱାରା ସେମାନଙ୍କ ଉପରେ ରୁଷ୍‌ର ଆଖି ପଡ଼ିବ । ନାଟୋ (ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ)ର ପୂର୍ବତନ କମାଣ୍ଡର ତଥା ପୂର୍ବତନ ବ୍ରିଟିଶ ସେନା ଜେନେରାଲ ସାର୍‌ ରିଚାର୍ଡ ଶିରେଫ୍‌ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ତାଙ୍କ ମୁତାବକ, ଯଦି ନାଟୋରୁ ଆମେରିକା ଅଲଗା ହୋଇଯାଏ, ତେବେ ରୁଷ୍‌ ସେନାର ଶକ୍ତି ବୃଦ୍ଧି ପାଇବ । ଏହା କିଛି ବର୍ଷ ମଧ୍ୟରେ ଅତିକମ୍‌ରେ ୩ଟି ୟୁରୋପୀୟ ଦେଶ ଯଥା ମୋଲଡୋଭା, ଜର୍ଜିଆ ଓ ରୋମାନିଆ ଉପରେ ଆକ୍ରମଣ କରିବ । 

ତେବେ ତାହା ପୂର୍ବରୁ ୟୁକ୍ରେନ୍‌ ଉପରେ ନିଜର ବିଜୟ ଘୋଷଣା କରିବ କ୍ରେମ୍‌ଲିନ୍‌ । ଇତିମଧ୍ୟରେ ସାମରିକ ଓ ଗୁଇନ୍ଦା ସହାୟତା ବନ୍ଦ କରି ୟୁକ୍ରେନ୍‌କୁ ଦୁର୍ବଳ କରିଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହାଦ୍ୱାରା ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ତୀବ୍ରତର ହୋଇଛି । ଏହାକୁ ନେଇ ସାର୍‌ ରିଚାର୍ଡ ଶିରେଫ୍‌ ଟ୍ରମ୍ପ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି, ୟୁକ୍ରେନ୍‌କୁ ସହାୟତା ବନ୍ଦ କରି ଟ୍ରମ୍ପ୍‌ ୟୁରୋପକୁ ଶକ୍ତ ଧକ୍କା ଦେଇଛନ୍ତି । ତାଙ୍କ ନିଷ୍ପତ୍ତି ପରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ ଠପ୍‌ ହୋଇଯାଇଛି । 

also read...

'ସାମୟିକ ଯୁଦ୍ଧବିରତି ପାଇଁ ରାଜି ୟୁକ୍ରେନ, କଟକଣା ହଟାଇବେ ଡୋନାଲ୍ଡ ଟ୍ରମ୍ପ

ଗୁଇନ୍ଦା ସୂଚନା ମିଳିବା ବି ବନ୍ଦ ହୋଇଛି । ଏହାପରେ ପୁଟିନ୍‌ଙ୍କ କମାଣ୍ଡରମାନେ କିଏଭ୍‌ ଦଖଲ ଲାଗି ଆଗକୁ ବଢ଼ୁଛନ୍ତି । ତାଙ୍କ ମୁତାବକ, ୟୁକ୍ରେନ୍‌ ଦଖଲ କରିବା ପରେ ରୁଷ୍‌ ଚୁପ୍‌ ବସିବ ନାହିଁ । ଏହାର ଆଖି ମୋଲଡୋଭା, ଜର୍ଜିଆ ଓ ରୋମାନିଆ ଉପରେ ପଡ଼ିବ । ଏହି ଦେଶଗୁଡ଼ିକର ନିର୍ବାଚନକୁ ନିୟନ୍ତ୍ରଣ କରି ନିଜ ବିଶ୍ୱସ୍ତଙ୍କୁ ରୁଷ୍‌ କ୍ଷମତାସୀନ କରାଇବ । ଫଳରେ ଦେଶଗୁଡ଼ିକରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଛାୟା ଶାସନ ଚାଲିବ । 

ଏଭଳି ସ୍ଥିତିରେ ଟ୍ରମ୍ପ୍‌ ପ୍ରଶାସନ ୟୁରୋପକୁ ସହାୟତା ଦେବା ଆଶା ଅତ୍ୟନ୍ତ କ୍ଷୀଣ । ଏଭଳି ଆଶଙ୍କାକୁ ଏଡ଼ାଇବା ସକାଶେ ବ୍ରିଟେନ୍‌ ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେଠାରୁ ସତର୍କ ହୋଇଯିବା ଜରୁରି । ସେମାନେ ବିଳମ୍ବ ନ କରି ୟୁକ୍ରେନୀୟ ସେନା ଲାଗି ବିକଶିତ ଯୁଦ୍ଧାସ୍ତ୍ରର ଏକ ଶକ୍ତିଶାଳୀ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିଦେବା ଆବଶ୍ୟକ । ନାଟୋକୁ କିଭଳି ପ୍ରତିରକ୍ଷା ଦୃଷ୍ଟିରୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଯାଇ ପାରିବ, ସେଥିଲାଗି ଚିନ୍ତା କରିବା ଉଚିତ । 

ଏହାଦ୍ୱାରା ପୁଟିନ୍‌ଙ୍କୁ ଏକ ବଡ଼ ସଂକେତ ଯିବ ଯେ ବାଲ୍‌ଟିକ୍‌ ରାଷ୍ଟ୍ରଙ୍କୁ ସେ ଯଦି ନିଜ ସେନା ପଠାନ୍ତି, ତେବେ ୟୁରୋପ ଚୁପ୍‌ ନ ବସି କଡ଼ା ଜବାବ ଦେବ । ସେ ଆହୁରି ଦର୍ଶାଇଛନ୍ତି ଯେ ୟୁକ୍ରେନ୍‌ ଯୁଦ୍ଧବିରତି ଲାଗି ଯଦି ଆମେରିକା ପ୍ରାୟୋଜିତ ଚୁକ୍ତି ସ୍ୱାକ୍ଷର ହୁଏ, ତେବେ ପରିସ୍ଥିତି ବଦଳିବ ନାହିଁ । ବରଂ ଏହାଦ୍ୱାରା ୟୁକ୍ରେନ୍‌ ଉପରେ ରୁଷ୍‌ର ବିଜୟ ନିଶ୍ଚିତ ହୋଇଯିବ । ପୁଟିନ୍‌ ନିଜ ବିଜୟ ଘୋଷଣା କରିବାକୁ ସୁଯୋଗ ପାଇବେ । ଏଥିସହ ସେ ନିଜ ସେନାକୁ ଆହୁରି ବଳଶାଳୀ କରିବେ ।

ୟୁକ୍ରେନ୍‌କୁ ଜିତିବା ପରେ ପୁଟିନ୍‌ ବାଲ୍‌ଟିକ୍‌ ଦେଶଗୁଡ଼ିକ ଉପରେ ଘାତକ ଆକ୍ରମଣ କରିବେ । ରୁଷ୍‌ର ସମ୍ଭାବ୍ୟ ଆକ୍ରମଣରେ ବାଲ୍‌ଟିକ୍‌ ଦେଶଗୁଡ଼ିକ ୟୁକ୍ରେନ୍‌ର ମାରିଉପୋଲ୍‌ ସହର ଭଳି ଧ୍ୱଂସ ହୋଇଯିବେ । ଏଠାରେ ମଧ୍ୟ ମାରିଉପୋଲ୍‌ ଭଳି ଗଣହତ୍ୟା ହେବା ସହ ବହୁ ସଂଖ୍ୟାରେ ପିଲାଙ୍କୁ ଅନ୍ୟତ୍ର ଚାଲାଣ କରାଯିବ । ମହିଳାମାନଙ୍କୁ ବଳାତ୍କାର କରାଯିବ । ରୁଷ୍‌ର ପ୍ରତ୍ୟେକ ଆକ୍ରମଣରେ ଏହିସବୁ ଘଟଣା ଘଟିବା ସ୍ୱାଭାବିକ ପାଲଟିଛି । 

ସାର୍‌ ଶେରିଫ୍‌ଙ୍କ ବ୍ୟତୀତ ଆମେରିକାର ପୂର୍ବତନ ଶୀର୍ଷ ସେନା ଜେନେରାଲ ବେନ୍‌ ହୋଜେସ୍‌ ମଧ୍ୟ ସମାନ କଥା ଆକଳନ କରିଛନ୍ତି । ସେ କହିଛନ୍ତି, ରୁଷ୍‌ର ମିସାଇଲ୍‌ଗୁଡ଼ିକ ବିମାନବନ୍ଦର ଓ ବନ୍ଦରଗୁଡ଼ିକୁ ଟାର୍ଗେଟ୍‌ କରିବ । ଏଥିସହ ପୋଲାଣ୍ଡ ଓ ରୋମାନିଆ ଦେଇ ନାଟୋର ପୂର୍ବ ଘାଟିଗୁଡ଼ିକରେ ଆକ୍ରମଣ କରାଯିବ । କାଇନେଟିକ୍‌ ଷ୍ଟ୍ରାଇକ୍‌ ଓ ସାଇବର ଆକ୍ରମଣ ଭଳି ଘଟଣା ଘଟିବ । 

ସାର୍‌ ଶେରିଫ୍‌ କହିଛନ୍ତି, ରୁଷ୍‌ ତୁଳନାରେ ୟୁରୋପୀୟ ଅର୍ଥନୀତି ୧୦ ଗୁଣା ଅଧିକ ବଡ଼ । କିନ୍ତୁ ଟ୍ରମ୍ପ୍‌ ପ୍ରଶାସନ ଯଦି ନାଟୋ ଛାଡ଼େ, ତେବେ ଆମେରିକା ସେନାର ଦକ୍ଷତାର ଅଭାବ ଅନୁଭୂତ ହେବ । ତଥାପି ୟୁରୋପ ଚାହିଁଲେ ନିଜକୁ ସଶକ୍ତ କରିପାରିବ । ଏଥିପାଇଁ ସମୟ ଓ ଅଧିକ ଉଦ୍ୟମ ଲାଗି  ଉଦ୍ୟମ ଲାଗିପାରେ । କିନ୍ତୁ ଏହା ଅସମ୍ଭବ ନୁହେଁ । ନେତୃତ୍ୱ ଓ ସମର୍ପଣଭାବ ରହିବା ଅପରିହାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.