ବିଜୟ ମଞ୍ଚରେ କାହିଁକି ନଥିଲେ ପିସିବି ଅଧିକାରୀ, ଜବାବ ରଖିଲା ଆଇସିସି...

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମାପନ ହୋଇଛି । ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟ ମୁକୁଟ ପନ୍ଧିଛି ଟିମ୍ ଇଣ୍ଡିଆ । ମାତ୍ର ଏହି ଫାଇନାଲ୍ ମ୍ୟାଚର ପୁରସ୍କାର ବିତରଣ ଉତ୍ସବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜକ ଦେଶର ଜଣେ ବି କେହି ସଦସ୍ୟ ସାମିଲ ନଥିଲେ । ମଞ୍ଚରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା । ଏହାକୁ ନେଇ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି । ଆଓ୍ବାର୍ଡ ସେରିମନିରେ କାହିଁକି ପିସିବିର ଅଧିକାରୀ ନଥିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛି ଆଇସିସି ।   

ଟିମ୍ ଇଣ୍ଡିଆ ଫାଇନାଲ୍ ମ୍ୟାଚ ଜିତିବା ପରେ ଆଇସିସି ଆଧ୍ୟକ୍ଷ ଜୟ ଶାହଙ୍କ ସମେତ ୪ଜଣ ଅଧିକାରୀ ପୁରସ୍କାର ବିତରଣ ମଞ୍ଚରେ ଥିଲେ । ଏମାନଙ୍କ ମଧ୍ୟରୁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଏବଂ ସଚିବ ଦେବଜିତ୍ ସାଇକିଆ ସହ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ରାଜର ଦ୍ବେଜ୍ ଉପସ୍ଥିତ ଥିଲେ । ଫାଇନାଲ ମଞ୍ଚରେ ଏଭଳି କିଛି ଦେଖିବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅକ୍ତର, ଓ୍ବାସିମ୍ ଆକ୍ରମଣ ଏବଂ କିଛି କ୍ରିକେଟ୍ ପ୍ରଶଂସକ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ପୁରସ୍କାର ବିତରଣ ଉତ୍ସବ ପିବିସି ଅଧିକାରୀ ନଥିବା ଦୁର୍ଭଗ୍ୟଜନକ କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଆଇସିସିର ପ୍ରତିକ୍ରିୟା:

ଆଇସିସି ମୁଖପାତ୍ର ଜିୟୋ ଟିଭି ସହ ଆଲୋଚନା କଲା ବେଳେ କହିଛନ୍ତି, ଆଇସିସି କର୍ତ୍ତୃପକ୍ଷ ପିସିବି ଅଧ୍ୟକ୍ଷ ମୋହସିନ ନକବୀଙ୍କୁ ଫାଇନାଲ୍ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସେ ପହଞ୍ଚି ନଥିଲେ । ନିୟମ ଅନୁଯାୟୀ, ଆଇସିସି କେବଳ ଆୟୋଜକ ବୋର୍ଡର ପ୍ରମୁଖଙ୍କୁ ନିମନ୍ତ୍ରଣ କରିଥାଏ । ଏଥିରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସିଇଓ ରହିଥାନ୍ତି । ହେଲେ ବୋର୍ଡର ଅନ୍ୟ ଅଧିକାରୀମାନେ ଆୟୋଜନ ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ପୁରସ୍କାର ବିତରଣ ଉତ୍ସବରେ ସାମିଲ୍ ହୋଇନଥାନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.