ଭୁବନେଶ୍ବର ୧୧।୩: ବନ୍ଦେ ଉତ୍କଳ ଜନନୀ ସମ୍ପର୍କିତ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଯାହା ହୋଇଛି ରେକର୍ଡ ହୋଇକି ଅଛି, ଚାହିଁଲେ ଦେଖିପାରିବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ମୁଁ ଚାହେଁ ନାହିଁ । କୌଣସି ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମାଇକ୍ ମୋଡ଼ିଦେବା, ପଢୁଥିବା କାଗଜ ଛଡେଇ ନେବା ମୁଁ ୨୫ ବର୍ଷ ହେଲା ଦେଖିନାହିଁ । ମୁଁ ଯାହା କହିଛି, ମୋ ଷ୍ଟାଣ୍ଡ୍ରେ ପରିବର୍ତ୍ତନ ନାହିଁ ।
ଗୋଟିଏ ମୁଖ୍ୟମନ୍ତ୍ରୀ ୨୪ବର୍ଷ ଓଡ଼ିଆ କହିଲେ ନାହିଁ । କିନ୍ତୁ ମୁଁ ମୋ ଅଞ୍ଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା କ୍ଷୁର୍ଣ୍ଣ ହେବ ମୁଁ କିଛି କହିପାରିବି ନାହିଁ । ସୁପ୍ରିମକୋର୍ଟ କହିସାରିଛି ରାଜ୍ୟର ସଂଗୀତ କିମ୍ବା ପତାକା ହୋଇପାରିବ ନାହିଁ । ଗୋଟିଏ ଜାତୀୟ ପତାକା ଗୋଟିଏ ଜାତୀୟ ସଙ୍ଗୀତ । ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି । ବନ୍ଦେ ଓଡ଼ିଶା ଜନନୀ କରନ୍ତୁ ମୋର କିଛି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡ଼ିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
ବିକାଶ ସବୁ ଦିଗରେ ପହଞ୍ଚିବା କଥା, ସବୁ ଅଞ୍ଚଳର ଭାଷା ସଂସ୍କୃତିକୁ ସମ୍ମାନ ଦେବାର ଅଛି । ବିଜେଡ଼ିର ପଶ୍ଚିମ ଓଡ଼ିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି । ବିଜେଡ଼ି ପଶ୍ଚିମ ନୁହେଁ ଉପକୂଳ ଓଡ଼ିଶାରେ କ'ଣ ବିକାଶ କରିଛି ହିସାବ ଦିଅନ୍ତୁ । ମୁଁ ଚାହୁଁଛି, ୩୦ ଜିଲ୍ଲାକୁ ମିଶାଇ ଏମିତି ଗୋଟିଏ ସଂଗୀତ ଆସୁ । ରାଜା ସ୍ବାଇଁ ସମ୍ବଲପୁର ଅଂଚଳର ବିରୋଧୀ, ସେ ଓଡ଼ିଶା ବିଭାଜନର ମୂଳ କର୍ତ୍ତା । ଯେଉଁମାନେ ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ପରିଚାଳିତ ସେମାନେ ଏସବୁ କଥା କହିବାର ତାଙ୍କର କ'ଣ ଅଧିକାର ଅଛି ବୋଲି ଜୟନାରାୟଣ କହିଛନ୍ତି ।
You Can Read:
ରାଜଧାନୀରେ ଗର୍ଜିଲେ ନବ ନିର୍ମାଣ କୃଷକ ସଙ୍ଗଠନ, ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ