ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦୁବାଇରେ ତ୍ରିରଙ୍ଗା ଲହରାଇବା ପରେ ସ୍ଵଦେଶ ଫେରୁଛନ୍ତି। ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟ୍ରେ ହରାଇ ୧୨ ବର୍ଷ ପରେ ଦିନିକିଆ ଫର୍ମାଟ୍ର ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ମଧ୍ୟରେ ଦଳର କିଛି ଖେଳାଳି ଦୁବାଇରୁ ସିଧାସଳଖ ମୁମ୍ବାଇ ପହଞ୍ଚିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ହିଟ୍ମ୍ୟାନଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଭାରତୀୟ ଦଳ ଏମିରେଟ୍ସ ବିମାନ ସଂଖ୍ୟା ଇକେ ୫୦୮ରୁ ଯାତ୍ରା କରି ମୁମ୍ବାଇରେ ବିମାନ ବନ୍ଦର ଅବତରଣ କରିଛି। ଆଜି ବିଳମ୍ବିତ ରାତ୍ରିରେ ସବୁ ଖେଳାଳି ନିଜ ନିଜ ସହରକୁ ଫେରିବେ ବୋଲି ସୂଚନାରୁ ପ୍ରକାଶ। ତେବେ ମୁମ୍ବାଇ ବିମାନ ବନ୍ଦରରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ଙ୍କୁ ଦେଖିବାକୁ ମିଳିଥିଲା। ବାକି ଖେଳାଲି ଆଜି ବିଳମ୍ବିତ ରାତି ସୁଦ୍ଧା ଭାରତରେ ପହଞ୍ଚିଯିବେ।
Also read: ନିଜର ଅବସରକୁ ନେଇ ମୁହଁ ଖୋଲିଲେ ରବୀନ୍ଦ୍ର ଜାଡ଼େଜା, ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ କହିଲେ...
ଅନ୍ୟପଟେ ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଗମ୍ଭୀର ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିନ ଥିଲେ ଏବଂ ଗାଡ଼ିରେ ବସି ଏୟାରପୋର୍ଟରୁ ବାହାରି ଯାଇଥିଲେ।
ଚାମ୍ପିଅନ୍ସ ଟ୍ରଫି ସଂପନ୍ନ ପରେ ଆସନ୍ତା ୨୨ ତାରିଖରୁ ଆଇପିଏଲ୍ ୨୦୨୫ ଆରମ୍ଭ ହେଉଛି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଚାମ୍ପିଅନ୍ସ ଟ୍ରଫିର ଐତିହାସିକ ବିଜୟ ପରେ ବି ଭାରତୀୟ ଦଳ ପାଇଁ କୌଣସି ବସ୍ ପରେଡ଼ ଆୟୋଜିତ କରାଯାଇ ନାହିଁ। ସବୁ ଖେଳାଳି କିଛି ଦିନ ଘରେ ବିତାଇବା ପରେ ନିଜ ନିଜର ଫ୍ରାଞ୍ଚାଇଜ ସହ ଯୋଗ ଦେବେ।