ଜୟପୁର: କୋରାପୁଟରେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ବିଗ୍ବଜେଟ୍ ସାଉଥ୍ ଫିଲ୍ମ ସୁଟିଂ ପାଇଁ ଓଡ଼ିଶା ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟର ସେମିଳିଗୁଡ଼ାରେ ଏକ ହୋଟେଲରେ ସେ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ତାଲାମାଳିରେ ଫିଲ୍ମ ସୁଟିଂ ପାଇଁ ଯିବେ ପ୍ରିୟଙ୍କା । ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ଏସ୍ଏସ୍ ରାଜା ମୌଲିଙ୍କ ଫିଲ୍ମ ‘ଏସ୍ଏସ୍ଏମ୍ବି ୨୯’ କୋରାପୁଟରେ ସୁଟିଂ ହେଉଛି ।
ଉଲ୍ଲେଖଯୋଗ୍ୟ ‘ଏସ୍ଏସ୍ଏମ୍ବି ୨୯’ର ସୁଟିଂ ଓଡ଼ିଶାର କୋଟାପୁଟରେ ଆରମ୍ଭ ହୋଇଛି । ଏସ୍ଏସ୍ ରାଜମୌଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମକୁ ଭାରତର ସବୁଠୁ ମହଙ୍ଗା ସିନେମା ବୋଲି କୁହାଯାଉଛି । ଫିଲ୍ମର ସୁଟିଂ ପାଇଁ ପ୍ରିୟଙ୍କା ଓଡ଼ିଶା ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଏୟାରଲାଇନ୍ କ୍ରିୟୁଙ୍କ ସହ ପୋଜ୍ ଦେଉଥିବା ନଜର ଆସୁଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।
‘ଏସ୍ଏସ୍ଏମ୍ବି ୨୯’ର ପ୍ରିୟଙ୍କା ଚୋପ୍ରାଙ୍କ ରୋଲ୍ ନେଗେଟିଭ୍ ରହିଥିବା ଜଣାପଡ଼ିଛି । ଫିଲ୍ମରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୁଇ କଳାକାରଙ୍କ ଫିଲ୍ମ ଦୁନିଆରେ କାମ କରିବାର ୨୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । କିନ୍ତୁ ଦୁହେଁ କେବେ ମିଶି କାମ କରିନଥିଲେ । ପ୍ରଥମ ଥର ପାଇଁ ଏହି ଯୋଡ଼ି ବଡ଼ ପରଦାରେ ନଜର ଆସିବେ ।
‘ଏସ୍ଏସ୍ଏମ୍ବି ୨୯’ ଏବେଠାରୁ ନିଜ ନାଁରେ ଏକ ରେକର୍ଡ କରିସାରିଛି । ଏହି ଫିଲ୍ମ ଭାରତର ସବୁଠୁ ମହଙ୍ଗା ଫିଲ୍ମ । ଏହାର ବଜେଟ୍ ୧ ହଜାର କୋଟି ଟଙ୍କା ଥିବା ରିପୋର୍ଟରେ ଦାବି କରାଯାଉଛି । ଆଜି ପର୍ଯ୍ୟନ୍ତ ଭାରତରେ ଏତେ ଟଙ୍କାରେ କୌଣସି ସିନେମା ନିର୍ମାଣ ହୋଇନାହିଁ । ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ପୃଥ୍ୱୀରାଜ ସୁକୁମାରନ ଅଛନ୍ତି । ଓଡ଼ିଶାରେ ଫିଲ୍ମର ଦ୍ୱିତୀୟ ସେଡ୍ୟୁଲର ସୁଟିଂ ଚାଲିଛି ।