କୋଲକାତା ୧୦।୩: ପଶ୍ଚିମବଙ୍ଗ ହଳଦିଆରୁ ବିଜେପି ବିଧାୟକ ତାପସୀ ମଣ୍ଡଳ ସୋମବାର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟତମ ସହଯୋଗୀ ଥିଲେ ତାପସୀ। ତେବେ ତାପସୀ ଟିଏମସିରେ ଯୋଗ ଦେବା ନା କେବଳ ପୂର୍ବ ମେଦିନୀପୁରରେ ବିଜେପିକୁ ଝଟକା ଲାଗିଛି ବିଜେପି ବିଧାୟକ ଦଳର ମଧ୍ୟ କ୍ଷତି ହୋଇଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାପସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା।
ପୂର୍ବ ମେଦିନୀପୁର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ମନେକରାଯାଏ। ଏଠାରେ ବନ୍ଦର ନଗରୀ ହଳଦିଆ ରହିଛି। ତାପସୀ ରାଜ୍ୟ ଶକ୍ତିମନ୍ତ୍ରୀ ଅରୂପ ବିଶ୍ୱାସଙ୍କ ଉପସ୍ଥିତିରେ କୋଲକାତାସ୍ଥିତ ତୃଣମୂଳ କଂଗ୍ରେସ ମୁଖ୍ୟାଳୟରେ ପାର୍ଟିରେ ସାମିଲ ହୋଇଛନ୍ତି। ତେବେ ତାପସୀ ମଣ୍ଡଳ ବାରମ୍ବାର ପାର୍ଟି ବଦଳାଇବା ପାଇଁ ନିଜ ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶର ରାଜନୀତିର ଅଂଶବିଶେଷ ହେବା ପାଇଁ ଏହି ନିଷ୍ପତ୍ତି ନେଇଛି।
ତାପସୀ ମଣ୍ଡଳ ୨୦୧୬ ମସିହାରେ କଂଗ୍ରେସ ସମର୍ଥିତ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିରୁ ହଳଦିଆ ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ଛାଡି ବିଜେପିରେ ଯୋଗ ଦେବାରୁ ତାପସୀ ମଧ୍ୟ ତାଙ୍କ ପଛେପଛେ ବିଜେପିରେ ଯୋଗ ଦେଇଥିଲେ। ଏବେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି।