ମୁମ୍ବାଇ: ଏୟାର ଇଣ୍ଡିଆ ବିମାନକୁ ଧମକପୂର୍ଣ୍ଣ ଚିଠି । ମୁମ୍ବାଇରୁ ନ୍ୟୁ-ୟର୍କ ଯାଉଥିବା AI119 ବିମାନକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଫଳରେ ଫ୍ଲାଇଟକୁ ଜରୁରୀ ଅବତରଣ କରାଯାଇଛି । ବିମାନକୁ ପୁଣି ଥରେ ମୁମ୍ବାଇ ବିମାନ ବନ୍ଦରକୁ ଫେରାଇ ଅଣାଯାଇଛି । ଏୟାର ଇଣ୍ଡିଆ ଅଧିକାରୀଙ୍କ ମୁତାବକ, ବିମାନକୁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଇଥିଲା । ସକାଳ ପ୍ରାୟ ୧୦.୨୫ ମିନିଟରେ ବିମାନକୁ ମୁମ୍ବାଇ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ଏହାପରେ ବିମାନକୁ ତନତନ କରି ଯାଞ୍ଚ କରାଯାଇଥିଲା । ଏହାଛଡ଼ା ୧୧ ତାରିଖ ପାଇଁ ପୁଣି ଥରେ ଫ୍ଲାଇଟକୁ ରିସିଡ୍ୟୁଲ୍ କରାଯାଇଛି ।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ ତାରିଖ ରାତି ପ୍ରାୟ ୧.୪୫ ମିନିଟରେ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟରୁ ନ୍ୟୁୟର୍କ ପାଇଁ ଉଡାଣ ଭରିଥିଲା ଏୟାର ଇଣ୍ଡିଆର AI119 ବିମାନ । ଏହି ଫ୍ଲାଇଟ୍ ନିର୍ଦ୍ଧାରିତ ସମୟରୁ ପ୍ରାୟ ୨୦ ମିନିଟ ବିଳମ୍ବଳରେ ଟେକ୍-ଅପ୍ କରିଥିଲେ । ହେଲେ ଉଡ଼ାଣର କିଛି ସମୟ ପରେ ବିମାନକୁ ପୁଣି ଥରେ ମୁମ୍ବାଇକୁ ଫେରାଇ ଅଣାଯାଇଛି । ଜରୁରୀ ଅବତରଣ ପରେ ସୁରକ୍ଷା ଏଜେନ୍ସିର ଅଧିକାରୀ ମାନେ ବିମାନକୁ ଯାଞ୍ଚ କରିଛନ୍ତି ।