ନୂଆଦିଲ୍ଲୀ: ମହାକୁମ୍ଭ ବେଳେ ପ୍ରୟାଗରାଜରେ ତ୍ରିବେଣୀ ସଂଗମରେ ଗଙ୍ଗା ପାଣି ସ୍ନାନ ଯୋଗ୍ୟ ଥିଲା । କେନ୍ଦ୍ର ସରକାର ସୋମବାର ଲୋକସଭାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ନୂଆ ରିପୋର୍ଟ କଥା ଉଲ୍ଲେଖ କରି ଏହି କଥା କହିଛନ୍ତି । ସରକାର ଏହା ବି କହିଛନ୍ତି ଯେ ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ (ମାର୍ଚ୍ଚ ୯ ଯାଏ)ରେ ଗଙ୍ଗାରେ ସଫେଇ ପାଇଁ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ପାଇଁ ମୋଟ ୭୪୨୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ସମାଜବାଦୀ ସାଂସଦ ଆନନ୍ଦ ଭଦୌରିଆ ଓ କଂଗ୍ରେସ ସାଂସଦ କେ.ସୁଧାକରଣଙ୍କ ପ୍ରଶ୍ନର ଲିଖିତ ଦିଆଯାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ସିପିସିବି ରିପୋର୍ଟ ଅନୁସାରେ ନୀରିକ୍ଷଣରେ ଥିବା ସବୁ ସ୍ଥାନରେ ପିଏଚ୍, ଦ୍ରବିଭୂତ ଅମ୍ଲଜାନ (ଡିଓ), ଜୈବ ରାସାୟନିକ ଅକ୍ସିଜେନ ଚାହିଦା (ବିଓଡି) ଓ ଫିକଲ୍ କଲିଫର୍ମ (ଏଫସି)ର ହାରାହାରି ମାନ ସ୍ନାନ ପାଇଁ ଯୋଗ୍ୟ ସୀମା ଭିତରେ ଥିଲା ।
ଡିଓ ପାଣିରେ ଅମ୍ଲଜାନ ମାତ୍ରାକୁ ଦର୍ଶାଇଥାଏ । ବିଓଡି କାର୍ବନିକ୍ ପଦାର୍ଥକୁ ଭାଙ୍ଗିବା ପାଇଁ ଆବଶ୍ୟକୀୟ ଅକ୍ସିଜେନକୁ ମାପିଥାଏ । ଏଫ୍ସି ଜଳର ଦୂଷିତ ମାତ୍ରାକୁ ଦର୍ଶାଇଥାଏ । ଏହି ସବୁ ପାଣି ଗୁଣବତ୍ତାର ପ୍ରମୁଖ ସଂକେତ ଅଟେ । ସିପିସିବି ଫେବ୍ରୁଆରୀ ୩ରେ ଏକ ରିପୋର୍ଟରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲକୁ ଦେଇଥିଲା । ଏଥିରେ କୁହାଯାଇଥିଲା ଯେ ମହାକୁମ୍ଭ ବେଳେ ପ୍ରୟାଗରାଜରେ ଅନେକ ସ୍ଥାନରେ ପାଣି ଉଚ୍ଚ ଫିକଲ୍ କଲିଫର୍ମ ସ୍ତର କାରଣରୁ ପ୍ରାଥମିକ ସ୍ନାନ ଜଳ ଗୁଣବତ୍ତା ମାନକୁ ପୂରଣ କରିପାରୁ ନାହିଁ । ତେବେ ଫେବ୍ରୁଆରୀ ୨୮ରେ ଏନ୍ଜିଟିକୁ ହସ୍ତାନ୍ତର କରାଯାଇଥିବା ଏକ ନୂତନ ରିପୋର୍ଟରେ ସିପିସିବି କହିଥିଲା ଯେ ଷ୍ଟାଟିସଟିକାଲ୍ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ମହାକୁମ୍ଭରେ ପାଣିର ମାନ ସ୍ନାନ ପାଇଁ ଉପଯୁକ୍ତ ଥିଲା । ବୋର୍ଡ ଫେବ୍ରୁଆରୀ ୨୮ର ଏହି ରିପୋର୍ଟକୁ ମାର୍ଚ୍ଚ ୭ରେ ଏନ୍ଜିଟିର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଥିଲା । ଜାନୁଆରୀ ୧୨ରୁ ଏବେ ସୁଦ୍ଧା ପ୍ରତି ସପ୍ତାହରେ ଦୁଇ ଥର (ଅମୃତ ସ୍ନାନର ଦିନ ବି ସାମିଲ) ଗଙ୍ଗା ନଦୀର ୫ ସ୍ଥାନ ଓ ଯମୁନା ନଦୀର ୨ଟି ସ୍ଥାନ ପାଣିର ଗୁଣବତ୍ତା ନୀରିକ୍ଷଣ କରାଯାଇଥିଲା ।