ନୂଆଦିଲ୍ଲୀ ୧୦।୩: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ୱିଟର) ମଙ୍ଗଳବାର ଏକ ବଡ଼ ଆଉଟେଜର ଶିକାର ହୋଇଛି, ଯାହା ଦ୍ୱାରା ହଜାର ହଜାର ୟୁଜର ପ୍ରଭାବିତ ହୋଇଛନ୍ତି। ସାରା ବିଶ୍ୱରେ ଅନେକ ଲୋକ ଏକ୍ସ ଆପରେ ୱେବସାଇଟ୍ ଆକ୍ସେସ କରି ହେଉ ନଥିବା ଅଭିଯୋଗ କରୁଛନ୍ତି। କିଛି ୟୁଜର ଫିଡ୍ ରିଫ୍ରେସ କରିବାକୁ ସମସ୍ୟା ହେଉଥିବା କହୁଛନ୍ତି। ଅନେକ ଲୋକେ ଲଗିନ ହେଉନଥିବାର ଅଭିଯୋଗ କରୁଛନ୍ତି। ତେବେ ବିଭିନ୍ନ କ୍ଷେତ୍ରରେ ଲୋକେ ଏକ୍ସ କୁ ନେଇ ଭିନ୍ନ ଭିନ୍ନ ସମସ୍ୟାରେ ଥିବା ଜଣାପଡିଛି।
ଆଉଟେଜ ଟ୍ରାକିଂ ୱେବସାଇଟ୍ ‘ଡାଉନ ଡିଟେକ୍ଟର’ ଅନୁସାରେ ଭାରତୀୟ ସମୟ ଅପରାହ୍ନ ୩ଟା ୩୭ ମିନିଟ୍ ବେଳକୁ ଆମେରିକାରେ ୨୦ ହଜାରରୁ ଅଧିକ ସର୍ଭିସ ଡିସରୁପସନ ରିପୋର୍ଟ ହୋଇଥିଲା। ଏଥିରେ ୫୮ ପ୍ରତିଶତ ଅଭିଯୋଗ ଆପ୍ ସମ୍ପର୍କିତ ଥିଲା। ବାକି ୩୧ ପ୍ରତିଶତ ୱେବସାଇଟ ସମ୍ପର୍କିତ ଅଭିଯୋଗ ହୋଇଥିବା ବେଳେ ୧୧ ପ୍ରତିଶତ ସର୍ଭର କନେକ୍ସନ ସମ୍ପର୍କିତ ଥିଲା। ତେବେ ଭାରତରେ ଏହି ପ୍ରଭାବ ଆମେରିକା ତୁଳନାରେ କମ ଦେଖାଯାଇଛି।
ତେବେ ଡାଉନଲୋଡ ଡିଟେକ୍ଟର ଭାରତରେ ଏ ନେଇ ୨,୨୦୦ରୁ ଅଧିକ ଅଭିଯୋଗ ମିଳିଥିବାର ସୂଚିତ କରିଛନ୍ତି। ଏଥିରୁ ୫୩ ପ୍ରତିଶତ ସମସ୍ୟା ୱେବସାଇଟ୍ ସମ୍ପର୍କିତ ହୋଇଥିବା ବେଳେ ୪୨ ପ୍ରତିଶତ ଆପ ସମ୍ପର୍କିତ ଓ ୪ପ୍ରତିଶତ ଲଗଇନ ସମ୍ପର୍କିତ ବୋଲି କୁହାଯାଇଛି। ତେବେ ଏକ୍ସ ର ଏପରି ଅବସ୍ଥାରେ ୟୁଜର ଏବେ ଅନ୍ୟ ସୋସିଆଲ ମିଡିଆ ସାଇଟରେ ମାଜାଦର ମିମସ୍ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏକ୍ସ ଡାଉନ ହେବା ନୂଆ କଥା ନୁହେଁ। ପୂର୍ବରୁ କିଛି କିଛି ମିନିଟ୍ ପାଇଁ ଡାଉନ ହୋଇଥିବା ବେଳେ ଏଥର ଦୀର୍ଘ ସମୟ ଧରି ଡାଉନ ପଡିବା ଲୋକଙ୍କୁ ହତାସ କରିଛି।
ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ଏକ ବଡ଼ ଧରଣର ସର୍ଭର ଡାଉନ ହୋଇଥିଲା। ଚଳିତ ମାସରେ ମଧ୍ୟ ସର୍ଭର ଡାଉନ ରିପୋର୍ଟ କରାଯାଇଥିଲା। ଏଥିରେ ଡେସ୍କଟପ ସାଇଟ୍ ଅଚାନକ ଲଗ ଆଉଟ୍ ହୋଇଥିବାର ଅଭିଯୋଗ ହୋଇଥିଲା। ଯେତେବେଳେ ଏଥିରେ ଦ୍ୱିତୀୟବାର ଲଗଇନ ଉଦ୍ୟମ କରାଯାଇଥିଲା ସେତେବେଳେ ସାଇଟ୍ କେବଳ ରିଫ୍ରେସ ହୋଇଥିଲା। ଏଥିରେ ଲଗଇନ ଓ ପାସୱାର୍ଡ ବକ୍ସ ମଧ୍ୟ ଦେଖାଯାଇ ନଥିଲା।